ବାଲେଶ୍ୱର: ପରୀକ୍ଷା ସାରି ଫେରୁଥିବା ବିଦ୍ୟାର୍ଥୀ ଦୁର୍ଘଟଣାଗ୍ରସ୍ତ । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଧୀନ ପାଟଣା ଛକ ନିକଟରେ । ଦୁର୍ଘଟଣାରେ କିଛି ପିଲା ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଅଟୋଟି ଭାରସାମ୍ୟ ହରାଇଥିବାରୁ ଏପରି ଦୁର୍ଘଟଣା ଘଟିଥିବା କଥା ଜଣାପଡିଛି ।
ଆଜି ଜଳେଶ୍ୱର ଶିଶୁ ବିଦ୍ୟାମନ୍ଦିରର ବିଦ୍ୟାର୍ଥୀମାନେ ମାଟ୍ରିକ ପରୀକ୍ଷାର ଇତିହାସ ଓ ଭୂଗୋଳ ପରୀକ୍ଷା ସାରି ଏକ ଅଟୋରେ ଜଣେ ଗୁରୁଜୀଙ୍କ ସହ ମୋଟ ୧୦ ଜଣ ଫେରୁଥିଲେ । ପାଟଣା ଛକ ଠାରେ ଜଣେ ବୃଦ୍ଧା ହଠାତ୍ ଅଟୋ ଆଗକୁ ଚାଲିଆସିଥିଲେ। ଡ୍ରାଇଭର ବୃଦ୍ଧାଙ୍କୁ ବଞ୍ଚାଇବାକୁ ଯାଇ ଅଟୋ ଉପରୁ ଭାରସାମ୍ୟ ହରାଇଥିଲେ ଏବଂ ନିକଟସ୍ଥ ଏକ ଚର୍ଚ୍ଚରେ ଅଟୋ ଧକ୍କା ହୋଇଥିଲା। ଫଳରେ ଅଟୋଟି ଓଲୋଟି ପଡିଥିଲା। ଏଥିରେ ଜଣେ ଛାତ୍ରଙ୍କ ସହ 4 ଜଣ ଛାତ୍ରୀ ଗୁରୁତର ହୋଇଥିଲେ । ସେହିପରି ବୃଦ୍ଧା ମଧ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏହି ଦୁର୍ଘଟଣାରେ ଅଟୋ ଡ୍ରାଇଭର ଜଣକ ଫେରାର ହୋଇଥିବା କଥା ଜଣା ପଡିଛି ।
ତେବେ ଏନେଇ ଥାନାରେ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ହୋଇନଥିବା କଥା ଜଣା ପଡିଛି । ଏବଂ ମାଟ୍ରିକ ପିଲାମାନଙ୍କ ଶେଷ ପରୀକ୍ଷା ସୋମବାରେ ଥିବାବେଳେ ପିଲାମାନେ ଶେଷ ପରୀକ୍ଷା କିପରି ଦେବେ ଏନେଇ ସମସ୍ତଙ୍କ ମନରେ ଶଙ୍କା ସୃଷ୍ଟି ହୋଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now