ଝାରସୁଗଡ଼ା : ଶନିବାର ଦିନ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜାତୀୟ ଆଇନ୍ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ କଟକ ଙ୍କ ନିର୍ଦ୍ଦେଶ କ୍ରମେ ଝାରସୁଗୁଡ଼ା ସିଭିଲ୍ କୋର୍ଟ ଓ ଲଖନପୁର ଗ୍ରାମ ନ୍ୟାୟାଳୟ ପରିସରରେ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଗାମ୍ବର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ବିଭିନ୍ନ ଅଦାଲତରେ ବିଚାରାଧିନ ଥିବା ମାମଲା ମାନଙ୍କ ମଧ୍ୟରେ ଏହି ଲୋକ ଅଦାଲତରେ ବିଭିନ୍ନ ମୋଟରଯାନ ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲ ବିଚାରାଧିନ ଥିବା ୦୪ ଟି ମୋଟରଯାନ ଦୁର୍ଘଟଣା ଦାବି ଜନିତ ମାମଲାର ୨୭,୪୦,୦୦୦ ଟଙ୍କାରେ, ୦୨ ଟି ମିଳାମିଶା ଯୋଗ୍ୟ ଫୌଜଦାରୀ, ୦୭ ଟି ଚେକ ବାଉନ୍ସ ମାମଲାର ୪,୫୦,୦୦୦ ଟଙ୍କାରେ, ୦୫ ଟି ଟଙ୍କା ପୁନରୁଦ୍ଧାର ମାମଲା ୪୪,୩୦,୨୬୬ ଟଙ୍କାରେ, ୦୨ ଟି କର୍ମଚାରୀ କ୍ଷତିପୁରଣ ମାମଲା ୨୭,୩୦,୬୦୦ ଟଙ୍କାରେ, ୦୮ ଟି ଉପଭୋକ୍ତା ବିବାଦ ମାମଲା ୧୫,୦୩,୭୭୨ ଟଙ୍କାରେ, ୦୩ ଟି ଅନ୍ୟାନ୍ୟ ଦେୱାନି, ୭୧ ଅନ୍ୟାନ୍ୟ ଫୌଜଦାରୀ ମୋକଦ୍ଦମାର ସମାଧାନ ଆପୋଷ ବୁଝାମଣା ମାଧ୍ୟମରେ ହୋଇଯାଇଛି । ପ୍ରାକ୍ ମୋକଦ୍ଦମା ମଧ୍ୟରେ ବିଭିନ୍ନ ବ୍ୟାଙ୍କର ୪୨ଟି ବ୍ୟାଙ୍କ ଋଣ ମାମଲା ୨୫,୨୧,୬୦୦ ଟଙ୍କାରେ, ଭାରତ ସଂଚାର ନିଗମ ଲିମିଟେଡର ଟେଲିଫୋନ ବିଲ୍ ସଂବନ୍ଧିୟ ୧୭ ଟି ମାମଲା ୩୩,୨୨୧ ଟଙ୍କାରେ ଏବଂ ଅନ୍ୟାନ୍ୟ ମାମଲା ଗୁଡିକ ମଧ୍ୟରେ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ୦୩ ଟି ମାମଲାର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ହୋଇଯାଇଅଛି । ଜିଲ୍ଲା ଓ ଦୌରା ଜଜ୍ ପୃଷ୍ଟି ଏବଂ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ସତ୍ୟବ୍ରତ ମିଶ୍ର ମୋଟରଯାନ ଦୁର୍ଘଟଣା ଦାବି ଜନିତ ମୋକଦ୍ଦମା ଗୁଡ଼ିକର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରି ବୀମା କମ୍ପାନୀ ମାନଙ୍କୁ କ୍ଷତିପୁରଣ ରାଶି ପ୍ରଦାନ କରିବା ପାଇଁ ଆଦେଶ କରିଥିବା ବେଳେ, ପରିବାର ଅଦାଲତର ବିଚାରପତି ହର ପ୍ରସାଦ ପଟ୍ଟନାଏକ, ବରିଷ୍ଠ ଦେୱାନି ବିଚାରପତି ସ୍ୱପ୍ନାଶ୍ରୀ ନାୟକ ଓ କନିଷ୍ଠ ଦେୱାନି ବିଚାରପତି ରୋଶନିବାଳା ସେନାପତିି ଅନ୍ୟାନ୍ୟ ଦେୱାନି ମୋକଦ୍ଦମା ଗୁଡ଼ିକର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରିଥିଲେ । ସେହିପରି ଉପଖଣ୍ଡ ସ୍ତରିୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦିବ୍ୟସଚି ବେହେରା, ନ୍ୟାୟାଧିକାରୀ ଗ୍ରାମ୍ୟ ନ୍ୟାୟାଳୟ ଲଖନପୁର ଶୁଶ୍ରୀ ମୋନାଲିସା ପଣ୍ଡା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମୟୀ ନନ୍ଦ ଓ ପ୍ରିୟଙ୍କା ପ୍ରିୟଦର୍ଶିନି ପଟେଲ ଫୌଜଦାରୀ ମାମଲା ଗୁଡିକର ଆପୋଷ ସମାଧାନ କରିଥିଲେ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ସୁଶ୍ରୀ ନେହା ଦାସ ଏହି ଲୋକ ଅଦାଲତକୁ ପରିଚାଳନା କରିଥିବାବେଳେ ସିଭିଲ ଜଜ୍ (ପ୍ରୋବେସନ) ଅନିମେଷ ସାମଲ ଉପସ୍ଥିତ ଥିଲେ । ଏହି ଲୋକ ଅଦାଲତରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ୦୬ ଟି ବିଭିନ୍ନ ଲୋକ ଅଦାଲତ ବେଂଚର ଗଠନ କରାଯାଇଥିଲା ଏବଂ ଏହି ବେଂଚ ଗୁଡିକର ସଦସ୍ୟ ଭାବରେ ମଧ୍ୟସ୍ଥତା କେନ୍ଦ୍ରର ମଧ୍ୟସ୍ଥି ସୁରେନ୍ଦ୍ର ମହାପାତ୍ର, ଡାକେଶ୍ୱର ପାଣ୍ଡେ, ସମାଜସେବୀ ଦେବାର୍ଚନ ଠାକୁର, ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର କନ୍ସିଲେଟର ଅଶୋକ କୁମାର ପାଟ୍ଟଜୋଶୀ ଓ ସାଜଦା ବେଗମ, ପ୍ରାଧିକରଣର ତାଲିକାଭୁକ୍ତ ଆଇନଜୀବି ଦୟାନିଧି ଚାନ୍ଦ, ଢ଼ମାଲି ପଟେଲ, ସୁଶ୍ରୀ ବୋନେଲା ନାଗେଶ୍ୱରୀ, ଉପସ୍ଥିତ ଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now