କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ସ୍ନାନ ମଣ୍ଡପରେ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି । ଗତକାଲି ସକାଳୁ ପୂର୍ବ ନିଦ୍ଧାରିତ ନୀତିକାନ୍ତି ଅନୁଯାଇ ଶ୍ରୀ ଜୀଉଙ୍କର ୨ ଘଣ୍ଟା ବିଳମ୍ବରେ ପହଣ୍ଡି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ପହଣ୍ଡି ବିଜେ ଦେଖିବା ପାଇଁ ସକାଳୁ ସକାଳୁ ମନ୍ଦିର ପରିସରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଶ୍ରୀଜୀଉମାନେ ସ୍ନାନ ମଣ୍ଡପରେ ଅବସ୍ଥାନ କରିବା ପରେ ଜୟ ମଙ୍ଗଳା ଆଳତୀ କରାଯାଇ ୧୦୮ ଗରା ସୁବାସିତ ଜଳରେ ଜୀଉ ମାନଙ୍କୁ ସ୍ନାନ କରାଯାଇ ଥିଲା । ପରେ ପରେ ବଲ୍ଲଭ ମଣୋହୀ ଓ ମଙ୍ଗଳାର୍ପଣ କରାଯାଇ ଜୀଉମାନଙ୍କ ଗଜାନନ ବେଶ ସ୍ନାନ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ଏହି ବେଶ ଦେଖିବା ପାଇଁ କେନ୍ଦ୍ରାପଡା ସହର ସମେତ ଦୂର ଦୂରାନ୍ତରୁ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ ମନ୍ଦିର ପରିସର ରେ ଲାଗି ରହିଥିଲା । ଅପରାହ୍ନରେ ଖେଚୁଡୀ ଧୂପ ପରେ ବେଶ ଉଲାଗି କରାଯାଇ ଅନବସର ଗୃହ ପ୍ରବେଶ ପହଣ୍ଡି ପାଇଁ ଜୀଉମାନଙ୍କୁ ସେନାପଟା କରାଯାଇ ଥିଲା । ବିଳମ୍ବିତ ରାତିରେ ଜୀଉ ମାନେ ଧାଡି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ବିଗ୍ରହ ସମେତ ଶ୍ରୀ ବଳଦେବଜୀଉ ପରେ ମା’ ସୁଭଦ୍ରା ଓ ସର୍ବ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ମଣି ବିଗ୍ରହଙ୍କୁ ସେବକ ମାନେ ଅନବସର ଗୃହକୁ ବିଜେ କରାଇଥିଲେ । ଆଜି ରାତିରୁ ମଝି ଦେଉଳରେ ବିଗ୍ରହ ମାନଙ୍କ ପଟି ଦିଅଁଙ୍କ ପୂଜା ପରେ ବଡ ସିଂହାର ନୀତି ଅନୁଷ୍ଠିତ ହେବ । ଆସନ୍ତା କାଲି ଠାରୁ ୧୫ ଦିନ ପର୍ଯ୍ୟନ୍ତ ଜୀଉ ମାନେ ଅଣସର ଘରେ ଗୁପ୍ତ ସେବାରେ ରହିବା ସହ ଭକ୍ତମାନଙ୍କୁ ପଟି ଦିଅଁ ଭାବେ ଦର୍ଶନ ଦେବେ । ପରମ୍ପରା ଅନୁଯାଇ ତୁଳସୀ କ୍ଷେତ୍ରରେ ଆଜି ଠାରୁ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣର ଶୁଭାରମ୍ଭ କରାଯାଇଛି । ପୂର୍ବରୁ ନିର୍ମିତ ଅଖ, ଚକ ପ୍ରଭୃତି ଖଞ୍ଜା ଯାଇ ଆଜିଠାରୁ ରଥ ନିର୍ମାଣ କାର୍ଯ୍ୟ ୧୫ ଦିନ ମଧ୍ୟରେ ସଂପୂର୍ଣ୍ଣ କରାଯିବାର ବ୍ୟବସ୍ଥା ରହିଛି । ଶାନ୍ତି ଶୃଙ୍ଖଲା ରକ୍ଷା ପାଇଁ ଟାଉନ ଥାନା ଅଧିକାରୀ ତପନ ନାୟକଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ପୋଲିସ କର୍ମୀ ମନ୍ଦିର ପରିସର ଓ ମନ୍ଦିର ବାହାରେ ଶାନ୍ତି ଶୃଙ୍ଖଲା ରକ୍ଷା କରିବା ପାଇଁ ମୁତୟନ ହୋଇଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now