ଉତ୍ତରପ୍ରଦେଶର ଉନ୍ନାଓରେ ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସୱେରେ ଏକ ଡବଲ ଡେକର ବସ୍ ଦୁର୍ଘଟଣା ଘଟିଛି । ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ଜଣ ଗୁରୁତର ହୋଇଛନ୍ତି । ବସ୍ଟି ଏକ ଦୁଗ୍ଧ ଟ୍ୟାଙ୍କରେ ଚଢ଼ିଯିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ସମସ୍ତ ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ବସଟି ବିହାରର ମୋତିହାରୀରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା। ଏହା ଗରହା ଗ୍ରାମ ନିକଟରେ ଦୁଗ୍ଧ ଟ୍ୟାଙ୍କରକୁ ଧକ୍କା ଦେଇଥିଲା ବୋଲି ଉନ୍ନାଓ ଜିଲ୍ଲା ମାଜିଷ୍ଟ୍ରେଟ ଗୌରାଙ୍ଗ ରାଠୀ କହିଛନ୍ତି। ଦୁର୍ଘଟଣା ଘଟିବା ପରେ ବସ୍ ଭିତରୁ ଲୋକମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ପୁଲିସ ଏବଂ ଅନ୍ୟ ଜରୁରୀକାଳୀନ କର୍ମଚାରୀମାନେ ଉକ୍ତ ସ୍ଥାନକୁ ଯାଇଥିଲେ। ଦୁର୍ଘଟଣାର କାରଣ ଅନୁସନ୍ଧାନ ଚାଲିଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ବସ୍ ଅତ୍ୟଧିକ ଦ୍ରୁତ ଗତିରେ ଆସୁଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ୍ସରେ ଏ ନେଇ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ଉକ୍ତ ସ୍ଥାନରେ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”
Naxatra News is now on Whatsapp
Join and get latest news update delivered to you via whatsapp
Join Now