ଅଗଷ୍ଟ ୨୧ରେ ଭାରତ ବନ୍ଦ

ଅଗଷ୍ଟ ୨୧ରେ ଭାରତ ବନ୍ଦ। ଭାରତ ବନ୍ଦ ଡାକରା ଦେଇଛି ଅନୁସୁଚିତ ଜାତି, ଜନଜାତି, ସଂଖ୍ୟାଲଘୁ ମିଳିତ କମିଟି। ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ସଂଗଠନ ବନ୍ଦ ଡାକରା ଦେଇଛି। ସୋସିଆଲ ମିଡ଼ିଆରେ ଭାରତ ବନ୍ଦକୁ ସଫଳ କରିବାକୁ ଜୋରଦାର କ୍ୟାମ୍ପେନ୍ ଆରମ୍ଭ ହୋଇଗଲାଣି। ସେପଟେ ପ୍ରସ୍ତାବିତ ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ଯେଭଳି ସାଧାରଣ ଲୋକେ ହଇରାଣ ହେବେନି, ସେ ନେଇ ଗୃହ ବିଭାଗ ସମସ୍ତ ରାଜ୍ୟକୁ ଆଡଭାଇଜୋରୀ ଜାରି କରିଛି।

କୋଟା ଭିତରେ କୋଟାକୁ ମଞ୍ଜୁରୀ। ଅଗଷ୍ଟ ପହିଲାରେ ସୁପ୍ରିମକୋର୍ଟର ୭ ଜଣିଆ ଖଣ୍ଡପୀଠ ଏହାକୁ ଅନୁମତି ଦେଇଥିଲେ। ଅନୁସୂଚିତ ଜାତି ଜନଜାତି କ୍ୟାଟେଗୋରୀ ତାଲିକାରେ ଉପ-ଜାତି ବି ସଂରକ୍ଷଣ ପାଇବାକୁ ହକଦାର। ଏହି ତାଲିକା ରାଜ୍ୟ ସରକାର କରିପାରିବେ ବୋଲି କହିଥିଲେ ସୁପ୍ରିମକୋର୍ଟ। ଓବିସି ଭଳି ଏହି ବର୍ଗରେ ବି ଲୋକେ କ୍ରିମି ଲେୟାରରୁ ବାଦ୍ ପଡ଼ିବା ଜରୁରୀ। ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ, ରାଜ୍ୟ ସରକାର ଏଣିକି ଅନୁସୂଚିତ ଜାତି ଜନଜାତି ତାଲିକା ଭିତରେ ସବ-ଲିଷ୍ଟ୍ ତିଆରି କରିପାରିବେ। ସରଳ ଭାଷାରେ କହିବାକୁ ଗଲେ, ଏସସି ଓ ଏସଟି ତାଲିକା ଭିତରେ ସବ-ଲିଷ୍ଟ କରି ଅଲଗା ଅଲଗା ସଂରକ୍ଷଣ ଦିଆଯାଇପାରିବ। ଏମିତି କରିବା ଜରୁରୀ। କାରଣ ସାମାଜିକ ଓ ଆର୍ଥିକ ରୂପରେ ଦୁର୍ବଳ ଲୋକଙ୍କୁ କୋଟାର ଫାଏଦା ମିଳିପାରିବ।

ହେଲେ ଏଭଳି ରାୟ ବିରୁଦ୍ଧରେ ସ୍ୱର ଉଠାଇଲେଣି ଦଳିତ, ଆଦିବାସୀ ସଂଗଠନ। ରାୟର ପ୍ରତିବାଦରେ ଅଗଷ୍ଟ ୨୧ରେ ଭାରତ ବନ୍ଦ ଡାକରା ଦେଇଛନ୍ତି ଦଳିତ, ଆଦିବାସୀ ସଂଗଠନ। ସକାଳ ୫ଟାରୁ ସଂଧ୍ୟା ୫ଟା ଯାଏ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ଅନୁସୂଚିତ ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ଅକାମୀ କରିଦେବ। ଏଥିରେ ଅଧିକ ସଂଖ୍ୟକ ସାଧାରଣ ବର୍ଗ ଉପକୃତ ହେବେ। ସୁପ୍ରିମକୋର୍ଟ ସମ୍ପ୍ରତ୍ତି ଏସସି-ଏସଟିଙ୍କ ସାମାଜିକ, ଆର୍ଥିକ, ଶିକ୍ଷାଗତ ସ୍ଥିତିକୁ ସଠିକ୍ ଆକଳନ କରିନାହାନ୍ତି। ଏହି ବର୍ଗର ସୁରକ୍ଷା ଲାଗି ଥିବା ସାମ୍ୱିଧାନିକ ଅନୁଷ୍ଠାନ ଓ ମନ୍ତ୍ରଣାଳୟ ସହ ପରାମର୍ଶ ନ କରି ଏଭଳି ରାୟ ଦେଇଥିବାରୁ ଏହାର ପୁନର୍ବିଚାର ଲାଗି ଦାବି କରିଛନ୍ତି ସଂଗଠନ। ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛି ଓଡ଼ିଶା ଏସସି ଏସଟି, ଓବିସି ସଂଖ୍ୟାଲଘୁ ଯୁଗ୍ମ କମିଟି। ସେପଟେ ଭାରତ ବନ୍ଦକୁ ସଫଳ କରିବାକୁ ସୋସିଆଲ ମିଡିଆରେ ଜୋରଦାର କ୍ୟାମ୍ପେନ୍ ଆରମ୍ଭ ହେଲାଣି। ଭାରତ ବନ୍ଦ ପରିପ୍ରେକ୍ଷୀରେ ଆକ୍ରୋଶ ରାଲି ବାହାରିବ।

ଅନେକ ଦଳିତ ଓ ରାଜନୀତିକ ସଂଗଠନ ଏହି ବନ୍ଦ ଡାକରା ଦେଇଛନ୍ତି। ବନ୍ଦ ଡାକରାରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ସେଦିନ ପୁରା ଚକା ଜାମ୍ କରିବେ ସଂଗଠନ। ସଂରକ୍ଷଣରୁ କ୍ରିମି ଲେୟାର ଗ୍ରୁପକୁ ବାଦ୍ ଦେବା ନେଇ ଆସିଥିବା ରାୟ ବିରୁଦ୍ଧରେ ଝଡ଼ ବୋହିଛି ଅନଲାଇନ କ୍ୟାମ୍ପେନରେ। ବନ୍ଦକୁ ଦୃଷ୍ଟିରେ ଦେଖି ଆଇନଶୃଙ୍ଖଳା ପରିସ୍ଥିତି ଯେଭଳି ବ୍ୟାହତ ନହୁଏ, ସେଥିଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୀକ୍ଷ୍ନ ନଜର ରଖିଛନ୍ତି। ଆନ୍ଦୋଳନ ବେଳେ ଯେଭଳି ସାଧାରଣ ଜନଜୀବନ ପ୍ରଭାବିତ ନହୁଏ, ସେଥିଲାଗି ମାର୍ଗଦର୍ଶିକା ଜାରି ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *