ଟପ୍ ଟାର୍ଗେଟରେ ସଲମାନ ଖାନ୍

ସଲମାନ ଖାନଙ୍କ ଘନିଷ୍ଠ ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇଦିଆଯାଇଛି। ସଲମାନଙ୍କୁ ଓ୍ୱାଇ-ପ୍ଲସ ସିକ୍ୟୁରିଟି ଦିଆଯାଇଛି। ଆଗକୁ ଥିବା ମିଟିଂ ଓ ସୁଟିଂକୁ ବି ବାତିଲ୍ କରିଦିଆଯାଇଛି। ତାଙ୍କର ନିକଟ ସମ୍ପର୍କୀୟଙ୍କୁ ବି ତାଙ୍କ ସହ ମିଶିବାକୁ ବାରଣ କରାଯାଇଛି। ସଲମାନଙ୍କ ସୁରକ୍ଷା ଲାଗି ପରିବାର ପକ୍ଷରୁ ଏଭଳି ଅନୁରୋଧ କରାଯାଇଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ସଲମାନଙ୍କ ଜୀବନ ପ୍ରତି ବିପଦ ଥିବାର ଆଶଙ୍କା କରି ଏଭଳି ପଦକ୍ଷେପ ପୁଲିସ ଓ ପରିବାର ନେଇଛି। ତା ସତ୍ତ୍ୱେ ସଲମାନଙ୍କୁ ଲରେନ୍ସ ଗ୍ୟାଙ୍ଗ ନାଁରେ ଧମକ ଆସିଛି। ୫ କୋଟି ଟଙ୍କା ମଗାଯାଇଛି। ମୁମ୍ୱାଇ ଟ୍ରାଫିକ ପୁଲିସର ଓ୍ୱାଟସଅପରେ ଏହି ଧମକପୂର୍ଣ୍ଣ ମେସେଜ୍ ଆସିଛି। ଏଭଳି ମେସେଜ ପଠାଇଥିବା ବ୍ୟକ୍ତି କହିଛି, ଏଭଳି ବାର୍ତ୍ତାକୁ ହାଲୁକା ଭାବେ ନେଲେ ବିଷମ ପରିସ୍ଥିତି ସୃଷ୍ଟି ହେବ। ସଲମାନଙ୍କୁ ଜୀବିତ ଅବସ୍ଥାରେ ରଖିବାକୁ ଚାହୁଁଥିଲେ, ଲରେନ୍ସ ବିଷ୍ଣୋଇ ସହ ଶତୃତା ଶେଷ କରିବାକୁ ପଡ଼ିବ। ଆଉ ୫ କୋଟି ଟଙ୍କା ଦେବାକୁ ପଡ଼ିବ। ନଚେତ ବାବା ସିଦ୍ଦିକିଙ୍କ ଅବସ୍ଥାଠୁ ଅଧିକ ଖରାପ ହେବ। ଏହି ମାମଲାକୁ ନେଇ ମୁମ୍ୱାଇ ପୁଲିସ ଛାନଭିନ ଆରମ୍ଭ କରିଛି। କୌଣସି ଧମକକୁ ଗୁରୁତ୍ୱ ଭାବେ ନେଉଛି ପୁଲିସ। କାରଣ ନଭି ମୁମ୍ୱାଇ ପୁଲିସ ପକ୍ଷରୁ କୋର୍ଟରେ ଦାଖଲ ଚାର୍ଜସିଟରେ କୁହାଯାଇଛି ଯେ, ସଲମାନ ଖାନଙ୍କୁ ପାନଭେଲସ୍ଥିତ ଫାର୍ମହାଉସରେ ହତ୍ୟା କରିବାକୁ ୨୫ଲକ୍ଷ ଟଙ୍କାର ସୁପାରୀ ଦିଆଯାଇଛି। ଏହି ସୁପାରୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଦେଇଛି। ଏଥିଲାଗି ଅଭିଯୁକ୍ତମାନେ ପାକିସ୍ତାନରୁ ଏକେ-୪୭, ଏକେ- ୯୨, ଏମ-୬, ତୁର୍କୀ ନିର୍ମିତ ଜିଗାନା ବନ୍ଧୁକ କିଣିବାକୁ ଯୋଜନା କରିଥିଲେ। ହତ୍ୟା ପାଇଁ ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ଯୋଗାଡ଼ କରାଯାଇଥିଲା। ସଲମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ୬୦ରୁ ୭୦ ଜଣଙ୍କୁ କାମରେ ନିୟୋଜିତ କରାଯାଇଥିଲା। ଏପ୍ରିଲ ୨୦୨୩ରୁ ୨୦୨୪ ଭିତରେ ହତ୍ୟା କରିବାକୁ ଯୋଜନା ହୋଇଥିଲା। ସଲମାନଙ୍କ କଡ଼ା ସୁରକ୍ଷା, ବୁଲେଟପ୍ରୁଫ୍ ଗାଡ଼ି ଲାଗି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା କହି ଅଭିଯୁକ୍ତ ସୁଟର ଅଜୟ କାଶ୍ୟପ ସୁଖାକୁ କହିଥିଲା। ଗୁରୁବାର ହରିୟାଣା ପାନିପତରୁ ଗିରଫ ହୋଇଛି ସୁଖା। ସୁଖା ପୁଲିସକୁ କହିବା ମୁତାବକ, ପାକିସ୍ତାନର ଅସ୍ତ୍ର ଦଲାଲ୍ ଦୋଗାର ସହ ଭିଡିଓ କଲ କରିଥିଲା। ୫୦ ପ୍ରତିଶତ ଅର୍ଥ ଅଗ୍ରୀମ ଦେବାକୁ କଥା ଛିଡ଼ିଥିଲା। କାନାଡ଼ାରେ ଥିବା ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର୍ ଓ ଲରେନ୍ସର ଭାଇ ଅନମୋଲ ବିଷ୍ଣୋଇର ନିର୍ଦେଶକୁ ସାର୍ପସୁଟର ଅପେକ୍ଷା କରିଥିଲେ। ଏମତିରେ ଲରେନ୍ସ ସଲମାନଙ୍କୁ ୨୦୧୮ରୁ ଲଗାତାର ଧମକ ଦେଇଆସିଛି। ଏହାରି ଭିତରେ ଅନେକ ଥର ସଲମାନଙ୍କୁ ମାରିବାକୁ ପ୍ରୟାସ ବି କରିଛି ଲରେନ୍ସ ଗ୍ୟାଙ୍ଗ୍। କଳା ହରିଣ ଶୀକାର କାରଣରୁ ଲରେନ୍ସ ଗ୍ୟାଙ୍ଗ ସଲମାନଙ୍କ ପଛରେ ପଡ଼ିଯାଇଛି। ଲରେନ୍ସ ଗ୍ୟାଙ୍ଗର ଦାବି ହେଉଛି ଯେ, ଯଦି ସଲମାନ ଯୋଧପୁରରେ ଥିବା ତାଙ୍କ ମନ୍ଦିରକୁ ଯାଇ କ୍ଷମା ମାଗନ୍ତି, ତାହେଲେ ଯାଇ ସେମାନେ ସଲମାନଙ୍କୁ ଛାଡ଼ିବେ। ଏଭଳି ସ୍ଥିତିରେ ସଲମାନଙ୍କ ସବୁଠୁ ବଡ଼ କ୍ରିଟିକ୍ କେଆରକେ ଲରେନ୍ସ ବିଷ୍ଣୋଇଙ୍କୁ ଫିଲ୍ମ ଅଫର୍ ଦେଇଛନ୍ତି।

ଏମିତିରେ ସଲମାନ ଖାନ୍ କେଆରକେଙ୍କ ବିରୁଦ୍ଧରେ ମାନହାନୀ ମକଦ୍ଦମା କରିଥିଲେ। ସଲମାନଙ୍କୁ ନେଇ କେଆରକେ କରୁଥିବା କଣ୍ଟେଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତା ସତ୍ତ୍ୱେ ସଲମାନଙ୍କ ବିରୁଦ୍ଧରେ କହିବାକୁ ପଛଘୁଞ୍ଚା ଦେଉନାହାନ୍ତି କେଆରକେ। କେଆରକେ ବିଗ ବସ୍‌ରେ ଥିଲେ। ଆଉ ସିଜିନରେ ସଲମାନ କେଆରକେଙ୍କୁ ଧମକ ଦେଇ ବିଗ୍ ବସ ଘରୁ ବାହାର କରିଦେଇଥିଲେ। ସେବେଠୁ ସଲମାନଙ୍କ ବଡ଼ ସମାଲୋଚକ ସାଜିଛନ୍ତି କେଆରକେ। କେଆରକେ ଟ୍ୱିଟ୍ କରି କହିଛନ୍ତି ଯେ, ସେ ତାଙ୍କ ଫିଲ୍ଣ ଦେଶଦ୍ରୋହୀ-୨ ଲରେନ୍ସ ବିଷ୍ଣୋଇଙ୍କ ସହ କରିବାକୁ ଚାହୁଁଛନ୍ତି। କାରଣ ଲରେନ୍ସ ହିଁ ପରଫେକ୍ଟ ହିରୋ ଭଳି ଲାଗନ୍ତି। ଫିଲ୍ମରେ ରିଅଲ ଆକ୍ସନ କରିପାରିବେ ଲରେନ୍ସ। ଆଉ ସଲମାନଙ୍କୁ ବୁଢ଼ା କହି ଏଥିରେ ଭିଲେନ୍ ଅଭିନୟ କରିବାକୁ ଅନୁରୋଧ କରିଛନ୍ତି କେଆରକେ। ସଲମାନଙ୍କୁ ନେଇ ଅତୀତରେ ରାମଗୋପାଳ ବର୍ମା ବି ବିବାଦୀୟ ଟ୍ୱିଟ୍ କରିଥିଲେ। ଯାହା ବେଶ୍ ଚର୍ଚ୍ଚାକୁ ଆସିଥିଲା। ସଲମାନ ଖାନ୍ ବିଷ୍ଣୋଇଙ୍କୁ ସୁପର୍ କାଉଣ୍ଟର ଧମକ ଦିଅନ୍ତୁ। ସଲମାନଙ୍କଠୁ ଅଧିକ କୌଣସି ଅଭିନେତା ଏତେ ଗୁଡ୍ ଲୁକିଂ ନୁହଁନ୍ତି। ସଲମାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ୍ ସୋମି ଅଲ୍ଲୀ ବି ଲରେନ୍ସଙ୍କୁ ତାଙ୍କ ନମ୍ୱର ମାଗିଛନ୍ତି। ଗୁରୁବାର ସୋମି ଅଲ୍ଲୀ ଇନଷ୍ଟାଗ୍ରାମରେ ଲରେନ୍ସ ବିଷ୍ଣୋଇଙ୍କୁ ଭିଡିଓ କଲ୍ ଜରିଆରେ ଆଲୋଚନା ଲାଗି ଆମନ୍ତ୍ରଣ କରିଛନ୍ତି। ଜେଲରୁ ଯଦି ଜୁମ୍ କଲ୍ କରିପାରୁଛନ୍ତି ଲରେନ୍ସ। ତେବେ ତାଙ୍କ ସହ ବି ଜୁମ୍ କଲ କରି ଆଲୋଚନା କେମିତି ସମ୍ଭବ, ସେ ନେଇ ଜଣାନ୍ତୁ। ଏହି ଆଲୋଚନା ଲରେନ୍ସଙ୍କ ଲାଗି  ଲାଭଦାୟକ ସାଜିବ ବୋଲି ବିଶ୍ୱାସ କରନ୍ତୁ ବୋଲି ପୋଷ୍ଟ କରିଛନ୍ତି ଅଲ୍ଲୀ। ସଲମାନଙ୍କ ସହ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କର ବାବା ସିଦ୍ଦିକିଙ୍କ ଭଳି ଅବସ୍ଥା ହେବ ବୋଲି ଲରେନ୍ସ ଗ୍ୟାଙ୍ଗ୍ ଚେତାବନୀ ଦେବା ପରିପ୍ରେକ୍ଷୀରେ ଏଭଳି ମନ୍ତବ୍ୟ ଓ ଟ୍ୱିଟ୍ ବାସ୍ତବରେ ସଲମାନଙ୍କ ଜୀବନ ପ୍ରତି ବିପଦକୁ ବଢ଼ାଇଦେଉଛି ବୋଲି ଚର୍ଚ୍ଚା ହେଉଛି। ଲରେନ୍ସ ଗ୍ୟାଙ୍ଗରୁ ଧମକ ମିଳିବା ପରେ ତାଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ୨୪ ଘଣ୍ଟିଆ ପୁଲିସ ପ୍ରହରା ଲାଗିଛି। ଅସ୍ଥାୟୀ ପୁଲିସ ଫାଣ୍ଡି କରାଯାଇଛି। ଏପ୍ରିଲ ୧୪ରେ ସଲମାନଙ୍କ ବାନ୍ଦ୍ରାସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ଘର ଉପରେ ଫାୟାରିଂ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *