ଜମ୍ମୁକଶ୍ମୀରରେ ରକ୍ତମୁଖା ଆତଙ୍କବାଦୀ

ଜମ୍ମୁକଶ୍ମୀରରେ ରକ୍ତମୁଖା ହୋଇଛନ୍ତି ଆତଙ୍କବାଦୀ। ଗନ୍ଦେରବାଲି ଜିଲ୍ଲାର ଶ୍ରୀନଗର-ଲେହ ଜାତୀୟ ରାଜପଥରେ ଟନେଲ୍ ନିର୍ମାଣସ୍ଥଳରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼ରେ ଜଣେ ଡାକ୍ତରଙ୍କ ବ୍ୟତୀତ ୬ ଶ୍ରମିକ ନିହତ ହୋଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ଆକ୍ରମଣକୁ ନିନ୍ଦା କରିବା ସହ ଆତଙ୍କବାଦୀଙ୍କୁ ଛଡ଼ାଯିବନି ବୋଲି ଚେତାବନୀ ଦେଇଛନ୍ତି। ନିର୍ଦୋଷଙ୍କୁ ହତ୍ୟା ଘଟଣାର ନିନ୍ଦା କରି ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା କହିଛନ୍ତି, ଏଭଳି ଘଟଣାକୁ ବରଦାସ୍ତ କରାଯିବନି।

ଟନେଲରେ କାମ କରିବା ପରେ ଖାଇବାକୁ ଏକାଠି ହୋଇଥିଲେ ଶ୍ରମିକ। କିନ୍ତୁ ଖାଇବା ଆଗରୁ ଅଚାନକ ଗୁଳି ମାଡ଼ର ଶୀକାର ହେଲେ। ୩ ଆତଙ୍କବାଦୀ ଟନେଲ ନିର୍ମାଣସ୍ଥଳରେ ରବିବାର ରାତିରେ ଆଖିବୁଜା ଗୁଳି ଚଳାଇଥିଲେ। ରାତି ପ୍ରାୟ ସାଢେ ୮ଟା ବେଳର ଘଟଣା। ଚାଲିଗଲା ୭ଜଣଙ୍କ ଜୀବନ। ଜମ୍ମୁକଶ୍ମୀର ଗନ୍ଦେରବଲ ଜିଲ୍ଲାର ଶ୍ରୀନଗର-ଲେହ ଜାତୀୟ ରାଜପଥରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ଡାକ୍ତର ଓ ୬ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କେହି କିଛି ବୁଝିବା ଆଗରୁ ସବୁ କିଛି ସରିଯାଇଥିଲା। ରକ୍ତମୁଖା ଆତଙ୍କବାଦୀଙ୍କ ଏହି ନାରକୀୟ କାଣ୍ଡ ସମସ୍ତଙ୍କୁ ଦୋହଲାଇଦେଇଛି। ଗୁଳିମାଡ଼ରେ ଦୁଇଟି ଗାଡ଼ି ବି ଜଳି ଯାଇଛି। ଆକ୍ରମଣରେ ୨ ଶ୍ରମିକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା ବେଳେ ୪ ଶ୍ରମିକ ହସ୍ପିଟାଲରେ ଜୀବନ ହାରିଦେଇଥିଲେ। ଅନ୍ୟ ଗୁରୁତର ୫ ଶ୍ରମିକଙ୍କ ଚିକିତ୍ସା ଶେର୍-ଏ-କଶ୍ମୀର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ବା ଏସକେଆଇଏମସ ହସ୍ପିଟାଲରେ ଚାଲିଥିଲା। ଯେଉଁ ଟନେଲ ଉପରେ ଆକ୍ରମଣ ହୋଇଛି, ତାହା ସୋନମାର୍ଗରେ ଅବସ୍ଥିତ। ଏହି ଟନେଲ୍ ମଧ୍ୟ କଶ୍ମୀରର ଗାନ୍ଦେରବାଲ ଜିଲ୍ଲାର ଗଗନଗିରି ଘାଟିକୁ ସୋନମାର୍ଗ ସହ ଯୋଡ଼ୁଛି। ଏହି ଟନେଲର କାମ ୟୁପିର ଏଫକୋ କନଷ୍ଟ୍ରକ୍ସନ କମ୍ପାନୀ କରୁଛି। ୨୦୨୫ ସୁଦ୍ଧା ଟନେଲ କାମ ସମ୍ପୂର୍ଣ୍ଣ କରିବାକୁ ଟାର୍ଗେଟ ରହିଛି। ଏହି ଆତଙ୍କୀ ହମଲା ଲାଗି ଲସ୍କର-ଏ-ତୋଏବା ସହ ଅନୁବନ୍ଧିତ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫ ନିଜକୁ ଦାୟୀ କରିଛି। ଏହି ଆକ୍ରମଣରେ ପଞ୍ଜାବ ଓ ବିହାରର ଶ୍ରମିକଙ୍କ ମୃତ୍ୟୁ ହୋଇଛି।

ଆତଙ୍କୀ ଆକ୍ରମଣ ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଅଞ୍ଚଳକୁ ପୁରା କର୍ଡନ କରି ସିଆରପିଏଫ, ସ୍ଥାନୀୟ ପୁଲିସ ତନାଘନା ଜାରି ରଖିଛି। ଆକ୍ରମଣକୁ ନିନ୍ଦା କରିବା ସହ ଆତଙ୍କବାଦୀଙ୍କୁ ଛଡ଼ାଯିବନି ବୋଲି ଚେତାବନୀ ଦେଇଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା। ନିର୍ଦୋଷଙ୍କୁ ହତ୍ୟା ଘଟଣାର ନିନ୍ଦା କରି ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା କହିଛନ୍ତି, ଏଭଳି ଘଟଣାକୁ ବରଦାସ୍ତ କରାଯିବନି। ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ନିର୍ଦୋଷଙ୍କୁ ହତ୍ୟା କରି ସାଧାରଣ ଜନତାଙ୍କ ଭିତରେ ହିଂସା ଓ ଭୟ ଖେଳାଇବାକୁ ମାନବତା ବିରୋଧୀ ଅପରାଧ କରିଛନ୍ତି ଆତଙ୍କବାଦୀ। ଏହା ବିରୁଦ୍ଧରେ ପୁରା ଦେଶ ଏକଜୁଟ୍ ହୋଇ ଛିଡ଼ାହୋଇଛି। ଏହା ଅକ୍ଷମଣୀୟ ଓ ଭୀରୁତାର କାମ। ଉପ-ରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି, ଏଭଳି ଘୃଣ୍ୟ କାମ କରାଇବା ପଛରେ ଯେଉଁମାନେ ସଂଶ୍ଳିଷ୍ଟ, ସେମାନଙ୍କୁ ଛଡ଼ାଯିବନି। ଜମ୍ମୁ-କଶ୍ମୀର ପୁଲିସ ଓ ସୁରକ୍ଷାବଳକୁ ପୁରା ସ୍ୱାଧୀନତା ଦିଆଯାଇଛି। ସେମାନେ ଏଭଳି ତତ୍ତ୍ୱଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ। ଏହି ଘଟଣାର ଯାଞ୍ଚ ଲାଗି ଏନଆଇଏ ବି ଗାନ୍ଦେରବାଲ ପହଞ୍ଚିଛି। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତା କହିଛନ୍ତି, ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଥିବାରୁ ନିଜର ଅସ୍ତିତ୍ୱ ଜାହିର କରିବାକୁ ଏଭଳି ହୀନ କାମ କରିଛନ୍ତି ଆତଙ୍କବାଦୀ। ଭୟର ମାହୋଲ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଲୋକଙ୍କୁ ସାବଧାନତା ଓ ସତର୍କ ରହିବା ଜରୁରୀ।

ଡାକ୍ତର କଶ୍ମୀରର। ଶ୍ରମିକ ପଞ୍ଜାବ ଓ ବିହାରର ଥିଲେ। ଏମାନେ ସମସ୍ତେ ନିର୍ମାଣଧୀନ ସୁଡ଼ଙ୍ଗ ଜେଡ୍ ମୋଡରେ କାମ କରୁଥିଲେ। ମୃତ ଡାକ୍ତର ହେଲେ ବଡ଼ଗାମର ଶେହେନାଓ୍ୱାଜ୍ ଅହମ୍ମଦ। ଅନ୍ୟ ୬ ପ୍ରବାସୀ ଶ୍ରମିକଙ୍କ ମୃତଦେହ ବ୍ୟବଛେଦ ପରେ ସେମାନଙ୍କ ଘରକୁ ପଠାଇବାର ବନ୍ଦୋବସ୍ତ କରିଥିଲେ ସରକାର। ଆତଙ୍କବାଦୀଙ୍କ ଭିତରୁ ଜଣକୁ ମାରିବାକୁ ସଫଳ ହୋଇଛି ସୁରକ୍ଷାବଳ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *