ସିଲିଣ୍ଡର ବ୍ଲାଷ୍ଟ: ଚାଲିଗଲା ଗୋଟିଏ ପରିବାର ଜୀବନ

ୟୁପିର ବୁଲନ୍ଦସରରେ ବଡ଼ ଅଘଟଣ। ସିକନ୍ଦରାବାଦ ସ୍ଥିତ ଆଶାପୁରୀ କଲୋନୀରେ ରହି ସେଟ୍ରିଙ୍ଗ କାମ କରୁଥିବା ରିୟାଜୁଦ୍ଦିନଙ୍କ ଘରେ ସୋମବାର ରାତି ସାଢ଼େ ୮ଟାରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଅଗ୍ନିଶମ ବିଭାଗ, ଏନଡିଆରଏଫ, ପୁଲିସ, ପ୍ରଶାସନ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାମକୁ ତ୍ୱରିତ କରିଥିଲେ। ଘଟଣାସ୍ଥଳରେ ହିଁ ୫ଜଣଙ୍କ ଜୀବନ ଚାଲିଯାଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଘର ଦୋହଲି ଯାଇଥିଲା। ଘରର ଛାତ ଭୁଷୁଡ଼ି ପଡ଼ିବାରୁ ତା ତଳେ ଚାପି ହୋଇଯାଇଥିଲେ ଅନେକ। କାରଣ ଘରେ ସେତେବେଳେ ପ୍ରାୟ ୧୮ ଲୋକ ଥିଲେ। ୮ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରନ୍ଧନ ଗ୍ୟାସ ସିଲିଣ୍ଡର ଥିଲା ନା ଅକ୍ସିଜେନ୍ ସିଲିଣ୍ଡର ଥିଲା, ତାହାର ଛାନଭିନ କରିଥିଲା ତଦନ୍ତକାରୀ ଟିମ୍। ବିଳମ୍ୱିତ ରାତି ଯାଏ ରେସକ୍ୟୁ ଅପରେସନ ଜାରି ଥିଲା। ବିସ୍ଫୋରଣ ବେଳର ସିସିଟିଭି ଫୁଟେଜ୍ ବି ଭାଇରାଲ ହୋଇଛି।

ଘର ମାଲିକ ରିୟାଜୁଦ୍ଦିନ, ତାଙ୍କ ପତ୍ନୀ ରୁଖସାନା, ଝିଅ ତମନ୍ନା, ପୁଅ ସଲମାନ, ତମନ୍ନାଙ୍କ ୩ ବର୍ଷର ଝିଅର ଘଟଣାସ୍ଥଳରେ ଜୀବନ ଚାଲିଯାଇଥିଲା । ୧୦ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ବେଳେ ୮ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିଲା। କୁହାଯାଉଛି, ରୋଗୀଙ୍କ ଦେହରେ ଅକ୍ସିଜେନ ସିଲିଣ୍ଡର ଲଗାଇବା ବେଳେ କୁଆଡ଼େ ଏହି ବିସ୍ଫୋରଣ ହୋଇଥିଲା। ପୁଲିସର କହିବା ମୁତାବକ, ରିୟାଜୁଦ୍ଦିନଙ୍କ ପତ୍ନୀ ୫୫ ବର୍ଷୀୟା ରୁଖସାର ସୋମବାର ହିଁ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ରୁଖସାନାଙ୍କୁ ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା। ସେଥିଲାଗି ଘରକୁ ଅକ୍ସିଜେନ୍ ସିଲିଣ୍ଡର ଅଣାଯାଇଥିଲା। ରୁଖସାନାଙ୍କୁ ଦେଖିବାକୁ ତାଙ୍କ ଝିଅ ତମନ୍ନା ନିଜ ୩ବର୍ଷର ଝିଅ ସହ ଘରକୁ ଆସିଥିଲେ। ହେଲେ ବିଧିର ବିଧାନ ଅଲଗା ଥିଲା ଯେମିତି। ଅକ୍ସିଜେନ୍ ସିଲିଣ୍ଡର ଲଗାଇବା ବେଳେ ଅଚାନକ ଫାଟିବାରୁ ଦୁଇ ମହଲା ଘର ଭୁଷୁଡ଼ି ପଡ଼ିଥିଲା। ସିଲିଣ୍ଡର ବ୍ଲାଷ୍ଟରୁ ଛାରଖାର ହୋଇଗଲା ଗୋଟିଏ ପରିବାର। ଏବେ ବି ମରଣ ସହ ସଂଘର୍ଷ କରୁଛନ୍ତି ଅନେକ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ଆହତଙ୍କୁ ଉନ୍ନତମାନର ଚିକିତ୍ସା ଦେବାକୁ ନିର୍ଦେଶ ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *