ଅଶାନ୍ତ ହୋଇଉଠିଛି ପାକିସ୍ତାନ। ବିସ୍ଫୋରଣରେ ଥରିଛି ବେଲୁଚିସ୍ତାନ । ଏହି ବିସ୍ଫୋରଣରେ ପ୍ରାୟ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଏହା ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି କୁହାଯାଉଛି।
ପାକିସ୍ତାନର ଏକ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ ରେଲୱେ ଷ୍ଟେସନର ବୁକିଂ କାର୍ଯ୍ୟାଳୟ ନିକଟରେ ଘଟିଛି। ପେସୱାର ଅଭିମୁଖେ ଯିବାକୁ ଥିବା ଏକ ପାସେଞ୍ଜର ଟ୍ରେନ୍ଟି ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ଏହି ବିସ୍ଫୋରଣ ଘଟିଛି। ଉକ୍ତ ସମୟରେ ଷ୍ଟେସନରେ ଖଚାଖଚ ଲୋକ ଥିଲେ। ତେଣୁ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।
ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିଛନ୍ତି। ଏଥିସହ ବମ୍ ନିଷ୍ଟ୍ରିୟ ଟିମ୍ ଷ୍ଟେସନରେ ପହଞ୍ଚି ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛନ୍ତି। କ୍ୱେଟାସ୍ଥିତ ସିଭିଲ ହସ୍ପିଟାଲରେ ଗୁରୁତରଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ଛୁଟିକୁ ବାତିଲ କରି ଦିଆଯାଇଛି।
ତେବେ କିଏ ଓ କାହିଁକି ଏହି ବମ୍ ବ୍ଲାଷ୍ଟ କରିଛି, ଏହା ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇପାରିନି।
Naxatra News is now on Whatsapp
Join and get latest news update delivered to you via whatsapp
Join Now