ଧବଳେଶ୍ବର ଶୈବ ପୀଠରେ ଆସନ୍ତା ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପଞ୍ଚକ ଓ ବଡ଼ଓଷା ପାଳନ କରାଯିବ । ଏହି ସମୟରେ ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିବା ନିମନ୍ତେ ଏକତ୍ରିତ ହେବାର ଆଶା ରହିଛି । ଭକ୍ତଙ୍କ ସୁରକ୍ଷା ଓ ବ୍ୟବସ୍ଥିତ ଢ଼ଙ୍ଗରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି ।ମହାନଦୀ ଉପରେ ଥିବା ମଧୁସୂଦନ ବ୍ରିଜ୍ ନିର୍ମାଣ ଫଳରେ ବହୁ ସଂଖ୍ୟାରେ ଭକ୍ତ ବସ୍, କାର୍, ଦୁଇଚକିଆ ଯାନରେ ଧବଳେଶ୍ୱର ପୀଠକୁ ପ୍ରତ୍ୟହ ଆସୁଛନ୍ତି । ତେଣୁ ପଞ୍ଚକ ଓ ବଡ଼ଓଷାରେ ଆଶାତୀତ ଭିଡ଼କୁ ଦୃଷ୍ଟିରେ ରଖି ଭାରୀ ଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । କଟକରୁ ମଧୁସୂଦନ ସେତୁ ଦେଇ ଆଠଗଡ଼ ଯାଉଥିବା ଭାରୀ ଯାନଗୁଡ଼ିକୁ ନୂଆପାଟଣା ଛକଠାରୁ ଜାତୀୟ ରାଜପଥ ୫୫ ଦେଇ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଠଗଡ଼ରୁ ଧବଳେଶ୍ୱର ରାସ୍ତାଦେଇ କଟକ ଆସୁଥିବା ଭାରୀଯାନଗୁଡ଼ିକ କଖଡ଼ି ଛକ ଏବଂ ନିଧିପୁର ଛକଠାରୁ ଜାତୀୟ ରାଜପଥ ୫୫ ଦେଇ ଗତିପଥ ପରିବର୍ତ୍ତନ କରି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପୁଲିସ ପକ୍ଷରୁ ମଧୁସୂଦନ ସେତୁର ନୂଆପାଟଣା ଛକ ଓ କଖଡ଼ି ଛକରେ ଦୁଇଟି ଟ୍ରାଫିକ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ୨୪ ଘଣ୍ଟିଆ କାର୍ଯ୍ୟ କରିବ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now