ବିଧାନସଭାର ଶୂନ୍ୟକାଳ, ଉଠିଲା ଗନ୍ଧମାର୍ଦ୍ଦନକୁ ଆଦାନୀ ଆଖେଇଥିବାର ପ୍ରସଙ୍ଗ

ଗନ୍ଧମାର୍ଦ୍ଦନ ଉପରେ ଆଖି ପକାଇଛି ଆଦାନୀ। ସେଥିଲାଗି ପାହାଡ଼ ପାଦଦେଶରେ ଏକର ଏକର ଜମି କିଣି ଚାଲିଛି। ଏଥିଲାଗି ବିରାଟ ଜନଆନ୍ଦୋଳନ ମୁଣ୍ଡ ଟେକିଲାଣି। ସରକାର ସ୍ପଷ୍ଟିକରଣ ରଖନ୍ତୁ କହି ବିରୋଧୀ ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇବାରୁ ଗୃହ ହୁଲସ୍ତୁଲ ହୋଇଥିଲା। ସେପଟେ ସରକାରୀ ଦଳ ଉଭୟ କଂଗ୍ରେସ ଓ ବିଜେଡି ସରକାରରେ ଅତୀତର ଭୁଲକୁ ଦର୍ଶାଇ ଗନ୍ଧମାର୍ଦ୍ଦନକୁ କୌଣସି ପରିସ୍ଥିତିରେ କାହାକୁ ଦିଆଯାଉନି କହି ସ୍ପଷ୍ଟତା ରଖିଛନ୍ତି। ସେପଟେ ଖପ୍ରାଖୋଲ ତହସିଲ ଆଗରେ ଗନ୍ଧମାର୍ଦ୍ଦନ ସୁରକ୍ଷା ସମିତି ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି।

ବିଧାନସଭାର ଶୂନ୍ୟକାଳ। ଉଠିଲା ଗନ୍ଧମାର୍ଦ୍ଦନକୁ ଆଦାନୀ ଆଖେଇଥିବାର ପ୍ରସଙ୍ଗ। ଗନ୍ଧମାର୍ଦ୍ଦନରେ ଗଛିତ ବକ୍ସାଇଟକୁ ନେବାକୁ ପାହାଡ଼ ପାଦଦେଶରେ ଆଦାନୀ କିଣି ଚାଲିଛି ଏକର ଏକର ଜମି। ବଲାଙ୍ଗୀର- ବରଗଡ଼ ସୀମାରେ ଏହାକୁ ନେଇ ମୁଣ୍ଡ ଟେକିଲାଣି ଜନ ଆନ୍ଦୋଳନ। ସରକାରଙ୍କଠୁ ଏ ନେଇ ସ୍ପଷ୍ଟିକରଣ ଲୋଡ଼ିଥିଲେ ବିଜେଡି ବିଧାୟକ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଭାରତକୁ ବିଶ୍ୱ ଦରବାରରେ ନିନ୍ଦିତ କରିସାରିଥିବା ଆଦାନୀ ଏକର ଏକର ଜମି କିଣିବାକୁ ସରକାରଙ୍କଠୁ ଅନୁମତି ନେଇଛି କି। ବନୀକରଣ ଆଳରେ ଗନ୍ଧମାର୍ଦ୍ଦନ ପାହାଡ଼ରୁ ବକ୍ସାଇଟ ଖନନ କରିବାକୁ ଲକ୍ଷ୍ୟ ରଖିଛି କି ଆଦାନୀ। ଆଦାନୀର ପ୍ରକୃତ ଉଦ୍ଦେଶ୍ୟ ଓ ସରକାରଙ୍କ ଅସଲ ମାନସିକତା କଅଣ ବୋଲି ପଚାରିଥିଲେ ପ୍ରସନ୍ନ। ସୁନ୍ଦରଗଡ଼ରେ ଜଙ୍ଗଲ କ୍ଷୟ କରି ସେଠାରେ ବନୀକରଣ ବଦଳରେ ଜଙ୍ଗଲରେ ପରିପୂର୍ଣ୍ଣ ବଲାଙ୍ଗୀର-ବରଗଡ଼ରେ କାହିଁକି ବନୀକରଣର ଲକ୍ଷ୍ୟ ରହିଛି। ସମୁଦ୍ରରେ ଜଳାଶୟ ସୃଷ୍ଟି ସଦୃଶ କାମ କାହା ସ୍ୱାର୍ଥରେ। ବାଲକୋ କମ୍ପାନୀକୁ ୧୯୮୦ରେ ଗନ୍ଧମାର୍ଦ୍ଦନରୁ ବକ୍ସାଇଟ ଖନନ ଲାଗି ଅନୁମତି ଦେବା ପରେ ଜନ ଆନ୍ଦୋଳନ ବଢ଼ିବାରୁ ବିଜୁ ବାବୁ ଏହାକୁ ବାତିଲ୍ କରିଥିଲେ। ମୋହନ ସରକାର ଲୋକଙ୍କ ଭିତରେ ଥିବା ସନ୍ଦେହ ଦୂର କରନ୍ତୁ। ବିଜେଡି ସହ କଂଗ୍ରେସ ବି ସ୍ୱର ମିଳାଇଛି।ଗନ୍ଧମାର୍ଦ୍ଦନ ସୁରକ୍ଷା ସମିତି ପକ୍ଷରୁ ବି ଖପ୍ରାଖୋଲ ତହସିଲ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଯାଏ ଗଣଧାରଣା ଦିଆଯାଇଛି। ପାହାଡ଼ ପାଦଦେଶରେ ଆଦାନୀର ବ୍ୟାପକ ଜମି କିଣାକୁ ବିରୋଧ କରି ଏହି ଧାରଣା ଜାରି ରହିଛି।

ସେପଟେ ଏହାର କଡ଼ା କାଉଣ୍ଟର କରିଥିଲେ ଦୁଇ ମନ୍ତ୍ରୀ। ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଥିଲେ, ଆଦାନୀକୁ ଜମି କିଣା ଅନୁମତି ନବୀନ ସରକାର ଦେଇଥିଲେ। ଗନ୍ଧମାର୍ଦ୍ଦନ ପାହାଡ଼କୁ କୌଣସିମତେ ମୋହନ ସରକାର କାହା ହାତକୁ ଟେକିଦେବେନି। ରାମାୟଣ ସମୟରୁ ଗନ୍ଧମାର୍ଦ୍ଦନ ସହ ସ୍ଥାନୀୟ ଲୋକଙ୍କର ଆସ୍ଥା ଜଡ଼ିତ। ବିଜେଡି ଯେଉଁ ଭୁଲ୍ କରିଛି, ତାକୁ ଆଗ ସ୍ୱୀକାର କରୁ। ଏପରିକି ଗୃହକୁ ଆଶ୍ୱସ୍ତ କରିଥିଲେ ଯେ, ଗନ୍ଧମାର୍ଦ୍ଦନକୁ ନଷ୍ଟ କରିବାକୁ ଯଦି କିଛି ଏମିତି ହୁଏ, ତେବେ ସେ ନିଜେ ଆନ୍ଦୋଳନରେ ସାମିଲ୍ ହେବେ। ଆଉ ପାଦେ ଆଗେଇଯାଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗୃହରେ ତଥ୍ୟ ଥୋଇ ଉଭୟ କଂଗ୍ରେସ ଓ ବିଜେଡିକୁ ଧୋଇଥିଲେ। ୧୯୮୩ରେ କଂଗ୍ରେସ, ୧୯୯୧ରେ ଗନ୍ଧମାର୍ଦ୍ଦନକୁ ବାଲକୋ କମ୍ପାନୀକୁ ଦେବାକୁ ବିଜୁ ବାବୁ ଚୁକ୍ତି କରିଥିଲେ। ବିଜେଡି ବି ୨୦୦୪ରେ ଖପ୍ରୋଖାଲରେ ବେଦାନ୍ତକୁ ଜମି ଟେକିଦେବାକୁ ବସିଥିଲା। କାହାର କଅଣ ଚରିତ୍ର ଓଡ଼ିଶାବାସୀ ଜାଣନ୍ତି। ଧୂଳିଆ ଗପର ଅବତାରଣା କରି ବିଜେଡି ସହ ମେଣ୍ଟ କରି ବିଜେପି ପଶ୍ଚାତାପ କରୁଛି କହିଥିଲେ ପୂଜାରୀ। ବନ୍ଧୁତା ଦୂରର କଥା, ଶତୃତା ଲାଗି ବି ବିଜେଡି ପଦବାଚ୍ୟ ନୁହେଁ।

ଗନ୍ଧମାର୍ଦ୍ଦନ ପାହାଡ଼ ପାଦ ଦେଶରେ ଆଦାନୀ କମ୍ପାନୀ ଏକର ଏକର ଜମି କିଣିଚାଲିଥିବାର ଦଲିଲ୍ ସାମ୍ନାକୁ ଆସିବାରେ ଲାଗିଛି। ଡ୍ରୋନ୍ ଯୋଗେ ସର୍ଭେ ବି କରିସାରିଛି ଆଦାନୀ। ଏଭଳି ସ୍ଥିତିରେ ଆଦାନୀକୁ ନେଇ ଗୃହ ଭିତରେ ଓ ଗୃହ ବାହାରେ ସମାନ ଝଡ଼ ଦେଖିବାକୁ ମିଳିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *