ବିଧାନସଭାରେ ଦୁଇଟି ପ୍ରସଙ୍ଗକୁ ନେଇ ସରଗରମ ଗୃହ

ବିଧାନସଭାରେ ଆଜି ଦୁଇଟି ପ୍ରସଙ୍ଗକୁ ନେଇ ସରଗରମ ହୋଇଥିଲା ଗୃହ। ଚାଷୀଙ୍କ ପଞ୍ଜୀକରଣ ହ୍ରାସରୁ ନେଇ ମଣ୍ଡିପଙ୍କାରେ ଆମ୍ୱଟାକୁଆ ଜନିତ ମୃତ୍ୟୁକୁ ନେଇ ହୁଲସ୍ତୁଲ ହୋଇଥିଲା ଗୃହ। ୮ଶହ ଟଙ୍କା ବୋନସ ଦେବା ଭଳି ବହୁଳ ପ୍ରସାରିତ କ୍ୟାମ୍ପେନ୍ ସତ୍ତ୍ୱେ କାହିଁକି ଚାଷୀଙ୍କ ପଞ୍ଜୀକରଣ କମିଲା କହି ବିଜେଡି ସ୍ପଷ୍ଟିକରଣ ଲୋଡ଼ିଥିଲା। ସେପଟେ ମଣ୍ଡିପଙ୍କାରେ ଆମ୍ୱଟାକୁଆ ଜନିତ ମୃତ୍ୟୁ ଲାଗି ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ। କିନ୍ତୁ ସରକାର କହିଛନ୍ତି, ଖାଦ୍ୟ ବିଷକ୍ରିୟାରୁ ଜୀବନ ଯାଇଛି। ଅନାହାର କହି ଏହାକୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ।

ବିଧାନସଭାରେ ଚାଷୀ ଚିନ୍ତା। ଧାନ କିଣାରେ ଅନିୟମିତତାର ଆରୋପ ଲଦିଛନ୍ତି ବିରୋଧୀ। କଟନି ଛଟନି ବନ୍ଦ ହେବ କି ନାହିଁ ତାକୁ ନେଇ ସନ୍ଦେହ କରିଛନ୍ତି ବିରୋଧୀ। ଟୋକନ୍ ଥିଲେ ଚାଷୀଙ୍କ ବଳକା ଧାନ ନିଆଯାଉନି କି ଟୋକନ ଥାଇ ଟାର୍ଗେଟ ବି ସରିଯାଉଛି। ମିଲରଙ୍କୁ ବରଂ ପଛରେ ଧାନ ଦେବେ। କିନ୍ତୁ ଆଗ ଚାଷୀଙ୍କଠୁ କିଣିନିଅନ୍ତୁ ସରକାର।ମଣ୍ଡିରେ ଦିନ ଦିନ ଧରି ଅପେକ୍ଷା ଯେମିତି ନ କରନ୍ତୁ ଚାଷୀ। ଚାଷୀଙ୍କୁ ୮ଶହ ଟଙ୍କାର ବୋନସ ଦେବାକୁ କହି ବହୁଳ ପ୍ରସାର ସତ୍ତ୍ୱେ କାହିଁକି ଚାଷୀଙ୍କ ପଞ୍ଜୀକରଣ କମିଲା ବୋଲି ପଚାରିଛନ୍ତି ବିରୋଧୀ। ୨୦୨୩-୨୪ରେ ୧୭ଲକ୍ଷ ୭୨ହଜାର ୩୪୭ ଚାଷୀ ପଞ୍ଜୀକରଣ କରିଥିଲା ବେଳେ ଚଳିତ ବର୍ଷ ୧୭ଲକ୍ଷ ୪୯ହଜାର ୯୮୭ ଚାଷୀ ପଞ୍ଜୀକରଣ କଲେ। କିନ୍ତୁ ସରକାର କହିଛନ୍ତି, ବ୍ୟବସ୍ଥିତ ଲାଗି ସବୁ ଉଦ୍ୟମ ହେଉଛି। ଚାଷୀ ପଞ୍ଜୀକରଣ କାହିଁକି କମିଲା, ଅନୁଧ୍ୟାନ କରାଯାଉଛି।

ସେପଟେ ମୁଲତବୀ ପ୍ରସ୍ତାବରେ ମଣ୍ଡିପଙ୍କାରେ ଆମ୍ୱଟାକୁଆ ଜନିତ ମୃତ୍ୟୁକୁ ନେଇ ହୁଲସ୍ତୁଲ ହୋଇଥିଲା ଗୃହ। ଏହା ସରକାରୀ ହତ୍ୟା କହି ଯୋଗାଣ ମନ୍ତ୍ରୀଙ୍କ ଇସ୍ତପା ଦାବି କରିଥିଲେ ବିରୋଧୀ। ଇ-କେଓ୍ୱାଇସି ନାଁରେ ୪ ମାସ ଧରି ରାସନ ନ ଦେଇ ଅନାହାରରେ ମାରିଦେଲେ ସରକାର। ଆମ୍ୱଟାକୁଆକୁ ପାରମ୍ପରିକ ଖାଦ୍ୟ କହୁଥିବା ମନ୍ତ୍ରୀ ଆଗ ନିଜେ ଏହାକୁ ଖାଇକି ଦେଖନ୍ତୁ। ଖାଦ୍ୟ ସୁରକ୍ଷାକୁ ବାଟବଣା କରିସାରିଲେଣି ମୋହନ ସରକାର। ସେପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ମଣ୍ଡିପଙ୍କାରେ ଖାଦ୍ୟ ବିଷକ୍ରିୟାରୁ ୩ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ପରିବାରରୁ ଆର୍ଥିକ ସହାୟତା ଦିଆଯାଇଛି। ଏଣିକି ୪୫ ଦିନ ପୂର୍ବରୁ ହିତାଧିକାରୀଙ୍କୁ ଚାଉଳ ମିଳିବ। ଦୁର୍ଗମ ଅଞ୍ଚଳରେ ରାସନ କେନ୍ଦ୍ର ବଢ଼ାଯିବ। ଦୁଇ ମାସର ରାସନ ଏକାଥରେ ଦିଆଯିବ। ମୃତକଙ୍କ ଘରେ ଯଥେଷ୍ଟ ପରିମାଣର ରାସନ ମହଜୁଦ ଥିଲା। ସେଥିଲାଗି ଏହାକୁ ଅନାହାର ମୃତ୍ୟୁ କହି ବିଭ୍ରାନ୍ତ କରନ୍ତୁନି ବିରୋଧୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *