ବିନା ରୋଜଗାରରେ ମୌଜମସ୍ତିରେ ଜୀବନ କାଟିବା ତାହାର ସଉକ ଥିଲା। ଆଉ ଏହି ସଉକକୁ ପୂରଣ କରିବାକୁ ସେ ଯେଉଁ ବାଟ ଆପଣାଇଥିଲା, ଯିଏ ଶୁଣୁଛି ତାଟକା ହୋଇଯାଉଛି। କେଉଁ ପରିବାରରେ ପୁଅ ଦୀର୍ଘବର୍ଷ ତଳୁ ନିଖୋଜ ହୋଇଯାଇଛି କି ଅପହରଣ ହୋଇଯାଇଛି। ଆଗ ଠାବ କରୁଥିଲା। ଆଉ ସେହି ପରିବାରକୁ ଟାର୍ଗେଟ କରି ନିଜକୁ ସେଇ ନିଖୋଜ ଅଥବା ଅପହରଣ ହୋଇଥିବା ପୁଅ କହି ଘରେ ପଶୁଥିଲା। ଆଉ ହଜିଯାଇଥିବା ପୁଅ ପରିଚୟରେ ବେଶ୍ ମୌଜମସ୍ତିର ଜୀବନ କାଟୁଥିଲା। ଆଉ ସୁଯୋଗ ଦେଖି ଘରର ଜିନିଷପତ୍ର ଲୁଟ୍ କରି ପୁଣି ଆଉ ଏକ ନୂଆ ଠିକଣା ସନ୍ଧାନରେ ବାହାରିପଡ଼େ। ଏମିତି କରି ଗୋଟିଏ କି ଦୁଇଟି ନୁହେଁ। ମୋଟ୍ ୯ ପରିବାରର ରାଜା ବେଟା ସାଜିଥିଲା। ଏଭଳି ଏକ ଧୂର୍ତ୍ତକୁ ଘାଜିଆବାଦ ପୁଲିସ ଧରିବା ପରେ ସବୁ ଗୁମର ଖୋଲିଛି। ଠକର ନାଁ ହେଉଛି ଇନ୍ଦ୍ରରାଜ ରାଓ୍ୱତ। ବୟସ ୩୯। ରାଜସ୍ଥାନ, ପଞ୍ଜାବ, ହରିଆଣା, ଦିଲ୍ଲୀ ଓ ଉତ୍ତରାଖଣ୍ଡର ପ୍ରାୟ ୯ ପରିବାରକୁ ଟାର୍ଗେଟ କରିଥିଲା ଇନ୍ଦ୍ରରାଜ। ପୁଲିସର କହିବା ମୁତାବକ, ଅଭିଯୁକ୍ତ ୩୦ ବର୍ଷ ତଳେ ଅପହରଣ ହୋଇଥିବାର ଏକ ମିଛ କାହାଣୀ ଶୁଣାଇଥିଲା। ଆଉ ଏହାକୁ ଏମିତି ଭାବନାତ୍ମକ ଢଙ୍ଗରେ ପ୍ରସ୍ତୁତ କରୁଥିଲା ଯେ, ଅନେକ ପରିବାର ଭରସା କରିଯାଇଥିଲେ। ତେବେ ଘଟଣା ସାମ୍ନାକୁ ଆସିଲା କେମିତି। ପୁଲିସ ହାବୁଡ଼ରେ ଏ ଠକ ପଡ଼ିଲା କେମିତି। ଗାଜିଆବାଦର ତୁଳାରାମ ଏହି ଠକକୁ ନିଜର ହଜିଯାଇଥିବା ପୁଅ ଭାବେ ଚିହ୍ନିଥିଲେ। ତୁଳାରାମ କିଛି ଦିନ ତାକୁ ଘରେ ରଖିଥିଲେ। କିନ୍ତୁ କିଛି ଦିନ ପରେ ଠକର ବ୍ୟବହାର ଓ ହାବଭାବରୁ ତାଙ୍କ ମନରେ ସନ୍ଦେହ ଉପୁଜିଥିଲା। ପୁଲିସକୁ ଗୋପନୀୟ ଭାବେ ଜଣାଇବାରୁ ଠକକୁ ପୁଲିସ ଜେରା କରିବା ପରେ ଅସଲ କଥା ପଦାକୁ ବାହାରିଥିଲା। ପୁଲିସ ଆଗରେ ଅସଲ ପରିଚୟ ଦେଇଥିଲା ଇନ୍ଦ୍ରରାଜ। ଘର ରାଜସ୍ଥାନରେ। ଲମ୍ୱା ସମୟ ଧରି ଏମିତି ଅନେକ ପରିବାରର ପୁଅ ସାଜି ବିନା କାମରେ ଘରେ ବସି ମୌଜମସ୍ତି କରିବା କେମିତି ଥିଲା ତାହାର ସଉକ, ଖୋଲି କହିଥିଲା। ଇନ୍ଦ୍ରରାଜ ନିଜର ପରିଚୟ ବଦଳାଇ ପରିବାରକୁ ଠକୁଥିଲା। କେଉଁଠି ପଙ୍କଜ, କେଉଁଠି ରାମପ୍ରତାପ ଭାବେ ପରିଚୟ ଦେଉଥିଲା। ବୟସ ଅଳ୍ପ ହେତୁ ଅନେକ ପରିବାର ତା କଥାରେ ବିଶ୍ୱାସ କରିଯାଉଥିଲେ।
ଡେରାଡୁନରୁ ଦିଲ୍ଲୀ ଯାଏ ତାହାର ଠକାମୀ କାମର ଚେର ଲମ୍ୱିଥିଲା। ଡେରାଡୁନରେ ଆଶା ଶର୍ମାଙ୍କ ଘରେ ପୁଅ ସାଜି ଅନେକ ମାସ ଧରି ରହିଥିଲା। ତେବେ ଏଭଳି ଠକାମୀ ପଛରେ ଏକ ସଂଗଠିତ ନେଟଓ୍ୱର୍କ କାମ କରୁଛି ବୋଲି ଅନୁମାନ କରି ଛାନଭିନ ଆରମ୍ଭ କରିଛି ପୁଲିସ। କାରଣ ନିଜେ ଅପହରଣ ହୋଇଥିବା ପୁଅ କହି ଆଗ ଥାନାକୁ ଆସୁଥିଲା। ଆଉ ପୁଲିସ ଏ କଥା ଜାଣିବା ପରେ ତାକୁ ଚିହ୍ନଟ ଲାଗି ଲୋକଙ୍କୁ ଡାକୁଥିଲା। ଯାହାଙ୍କ ପରିବାରରେ କୌଣସି ପୁଅ ନିଖୋଜ ହୋଇଥିବେ।
ଇନ୍ଦ୍ରରାଜର ମାୟାଜାଲରେ ପଡ଼ିଥିଲେ ୯ ପରିବାର। ପୁଲିସ ବି ଖାଇଥିଲା ଚକମା। ୯ ପରିବାରରୁ ୫ଟି ପରିବାରର ଠିକଣା ପାଇସାରିଛି ପୁଲିସ। ଛୋଟବେଳୁ ଚୋରିରେ ଲିପ୍ତ ଥିଲା ଇନ୍ଦ୍ରରାଜ। ନିଜ ଲୋକ ତାହାର ଏହି ଗୁଣରୁ ଘରୁ ବାହାର କରିଦେବା ପରେ ପରିଚୟ ଲୁଚାଇ ଅନ୍ୟ ଘରେ ରହିବାକୁ ଲାଗିଥିଲା। ଆଉ ୨୦୦୫ରୁ ହିଁ ସେ ଏହାକୁ ନିଜର ମୁଖ୍ୟ ପେଶା ଭାବେ ଧରିନେଇ ଧୂର୍ତ୍ତ ସାଜିଥିଲା। ତେବେ ଗୁଜୁରାଣ ମେଣ୍ଟାଇବାକୁ ଏହି ୧୬ ବର୍ଷ ଭିତରେ ସେ କରୁଥିଲା କଅଣ। ଧୂର୍ତ୍ତ ପୁଲିସକୁ କହିଛି ଯେ, ସେ ଦିନ ମଜୁରିଆ ଭାବେ ମିଲରେ କାମ କରୁଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now