୭ ମାସର ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରିଦେଲେ ଦୁର୍ବୃତ୍ତ

୭ ମାସର ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରିଦେଲେ ଦୁର୍ବୃତ୍ତ। ଲୁଟ୍ ଉଦ୍ୟମ ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି ବଣେଇ ଉପଖଣ୍ଡ ଝିଡ଼ାପାଲି ଗାଁରେ। ଗତକାଲି ମଧ୍ୟରାତିରେ ଘର କବାଟ ବାଡ଼େଇଥିଲେ ୨ ଦୁର୍ବୃତ୍ତ। କବାଟ ଖୋଲିଥିଲେ ୭ ମାସର ଗର୍ଭବତୀ ଥିବା ସୌମ୍ୟା। ଆଉ କବାଟ ଖୋଲିବା ମାତ୍ରେ ସେ ବେକରେ ପିନ୍ଧିଥିବା ସୁନା ଚେନ୍ ଝାମ୍ପିନେଇଥିଲେ। ଏଥିରେ ସୌମ୍ୟା ଚିତ୍କାର କରିବାକୁ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ଼ କରି ଚମ୍ପଟ ମାରିଥିଲେ ବୋଲି ପରିବାର ଲୋକେ କହିଛନ୍ତି। କେହି କିଛି ବୁଝିବା ଆଗରୁ ଏତେ ବଡ଼ କାଣ୍ଡ ହୋଇସାରିଥିଲା। ତୁରନ୍ତ ସୌମ୍ୟାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର। ସେପଟେ ଅନେକ ସନ୍ଦେହ ବି ଉଠିଛି ପରିବାର ଉପରେ। ସୌମ୍ୟାଙ୍କ ମାଆ କହିଛନ୍ତି, ଝିଅକୁ ଦିନ ୧୦ଟାରେ ଫୋନ୍ କରିଥିଲେ। ରୋଷେଇ କରୁଛି, ପରେ କଥା ହେବି ବୋଲି କହିଥିଲେ ସୌମ୍ୟା। ବାହାଘର ଲେଉଟାଣି ବେଳେ ଯାହା ଝିଅ ବାପ ଘରକୁ ଯାଇଥିଲା। ତା ପରଠୁ ବାପ ଘରକୁ ଛାଡ଼ୁନଥିଲେ। ବଡ଼ କଥା ହେଲା, ଝିଅର ଏମିତି ମୃତ୍ୟୁ ହୋଇଛି ବୋଲି ଜ୍ୱାଇଁ ବି ପଦେ କହିନଥିଲେ। ରାତି ଗୋଟାଏରେ ପରିବାରକୁ ଖବର ଦିଆଯାଇଥିଲା। ଡକାୟତ ମାରିଲେ ନା ଡକାୟତ ବେଶରେ ଆଉ କେହି। ସୌମ୍ୟାଙ୍କ ସ୍ୱାମୀ କହିଛନ୍ତି, କବାଟ କେମିତି ଖୋଲିଲା ସେ କହିପାରିବେନି।

ଖବର ପାଇ ଟିକାୟତପଲ୍ଲୀ ଥାନା ଏହାର ତନାଘନା ଆରମ୍ଭ କରିଛି। ଲୁଟପାଟ୍ ବେଳେ ଗୁଳିକାଣ୍ଡ ନା ଏହା ପଛରେ ଆଉ କିଛି ରହସ୍ୟ ଅଛି, ସେ ସବୁ ଦିଗକୁ ଘାଣ୍ଟୁଛି ପୁଲିସ। ବିଳମ୍ୱିତ ରାତିରେ କେଉଁ ପରିସ୍ଥିତିରେ ସୌମ୍ୟା କବାଟ ଖୋଲିଲେ। ଘରେ କଅଣ ଆଉ କେହି ନଥିଲେ କି। ଘର କବାଟ ଖୋଲିବା ଆଗରୁ ପରିଚୟ ଜାଣିବାକୁ ଚାହିଁନଥିଲେ କି। ଦେବେନ ବେହେରାଙ୍କ ଘରେ ଲୁଟପାଟ୍ ଉଦ୍ଦେଶ୍ୟରେ ଆସିଥିଲେ ଦୁର୍ବୃତ୍ତ ନା ଏହା ପଛରେ ଆଉ କିଛି ରହସ୍ୟ ଅଛି।

ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ପୁଲିସ ବି ସବୁ ଦିଗକୁ ନେଇ ଛାନଭିନ୍ ଆରମ୍ଭ କରିଛି। ସୌମ୍ୟାମୟୀ ହେଉଛନ୍ତି ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସମ୍ପର୍କୀୟ ଭଉଣୀ। ବର୍ଷେ ହେଲା ବିବାହ କରିଥିଲେ ସୌମ୍ୟା।

ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରିଦେଲେ ଦୁର୍ବୃତ୍ତ। ଏହା ପଛର ଅସଲ କାରଣ ଓ ଦୁର୍ବୃତ୍ତଙ୍କୁ ଠାବ କରିବା ପୁଲିସ ଲାଗି ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *