ହାଇସ୍କୁଲ ଭିତରେ ଗୁଳିକାଣ୍ଡ ,ଗୁ଼ଳି କରି ସୁଇସାଇଡ୍ କଲା ସୁଟର

ହାଇସ୍କୁଲ ଭିତରେ ଗୁଳିକାଣ୍ଡ। ଗୁଳି ମାଡ଼ରେ ୩ଜଣଙ୍କ ମୃତ୍ୟୁ ହେବା ସହ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ବି ରହିଛି। ଆମେରିକାର ୱିସକୋନସିନ ମେଡିସନ ସ୍କୁଲରେ ହୋଇଥିବା ଗୁଳିମାଡ଼ର ମୁଖ୍ୟ ଅଭିଯୁକ୍ତ ଥିଲା ସେହି ସ୍କୁଲର ଜଣେ ଛାତ୍ରୀ। ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିବା ଆଗରୁ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇସାରିଥିଲା। ଏବଡେଣ୍ଟ ଲାଇଫ କ୍ରିଷ୍ଟିଆନ ପ୍ରାଇଭେଟ ସ୍କୁଲରେ ପ୍ରାୟ ୪ଶହ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଘଟଣାସ୍ଥଳରେ ହିଁ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ସୁଟର ବି ସାମିଲ୍ ଥିଲା। ୬ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁଳିକାଣ୍ଡ ପଛର ରହସ୍ୟକୁ ନେଇ ତନାଘନା କରୁଛି ପୁଲିସ। ଜଣେ ସେକେଣ୍ଡ ଗ୍ରେଡ୍ ପିଲା ପୁଲିସକୁ ଫୋନ କରି ଏ ବାବଦରେ ଜଣାଇଥିଲା। ପୁଲିସ କ୍ରାଇମ ସ୍ପଟରେ ପହଞ୍ଚିବା ବେଳକୁ ସୁଟର ଗୁଳି କରି ନିଜେ ଆତ୍ମହତ୍ୟା କରିଥିବା କହିଛି ପୁଲିସ। ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍କୁଲକୁ ସସପେଣ୍ଡ କରିଦେଇଛନ୍ତି ପ୍ରଶାସନ। ଅନ୍ୟ

ରାଷ୍ଟ୍ରପତି ଜୋ ବାଇଡେନ୍ ଏଭଳି ଘଟଣାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ଏହାକୁ ଅବିବେକିପୂର୍ଣ୍ଣ ବୋଲି ଦର୍ଶାଇଛନ୍ତି। ଗୁଳିକାଣ୍ଡକୁ ନିନ୍ଦା କରି କହିଛନ୍ତି ଯେ, ବନ୍ଧୁକ ଆଇନକୁ ସଶକ୍ତ କରିବା ଜରୁରୀ ହୋଇପଡ଼ିଛି। ଉପ-ରାଷ୍ଟ୍ରପତି କମଳା ହାରିସ କହିଛନ୍ତି, ବନ୍ଧୁକ ହିଂସା ପୁଣି ସ୍କୁଲ କ୍ଲାସରୁମରେ ଘଟିଛି। ଏଭଳି ମହାମାରୀକୁ ସମାପ୍ତ କରିବାକୁ ସବୁ ଶକ୍ତି ଲଗାଇବାକୁ ପଡ଼ିବ। ଗଭର୍ଣ୍ଣର ଟୋନି ଇଭେରସ ଏହି ଘଟଣାରେ ଗଭୀର ମର୍ମାହତ ହୋଇପଡ଼ିଛନ୍ତି। ପୁଲିସ କହିଛି, ସୁଟରଙ୍କ ପରିବାର ତଦନ୍ତରେ ସହଯୋଗ କରୁଛନ୍ତି। ଗୁଳିମାଡ଼ରେ ଘଟଣାସ୍ଥଳରେ ହିଁ ଜଣେ ଶିକ୍ଷକ, ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ସୁଟର ହ୍ୟାଣ୍ଡଗନ୍ ବା ନାଇନ୍ ଏମଏମ ପିସ୍ତଲ ନେଇ ସ୍କୁଲରେ ପଶିଥିଲା। ସ୍କୁଲ ଷ୍ଟଡି ହଲ ଭିତରେ ଉତ୍ପାତ କରିଥିଲା ସୁଟର। ସୁଟରର ନାଁ ନାଟାଲି ରୁପନୋ ଓରଫ ସାମନ୍ଥା। ଫାୟାରିଂ ଆରମ୍ଭ ମାତ୍ରେ ଜୀବନ ବିକଳରେ ଯିଏ ଯୁଆଡ଼େ ପାରିଲେ ଧାଇଁକି ଓ ଲୁଚିକି ଜୀବନ ବଞ୍ଚାଇଥିଲେ। ଏହା ଡ୍ରିଲ୍ କହି ଛାତ୍ରୀ ଜଣକ ସମସ୍ତଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରିଥିଲେ କୁଆଡ଼େ। କିନ୍ତୁ ଲକଡାଉନ ସାଇରନ ଶୁଣି ସତରେ ଫାୟାରିଂ ହେଉଛି ଜାଣିବା ପରେ ସମସ୍ତଙ୍କ ହୋସ୍ ଉଡ଼ିଯାଇଥିଲା।

ଏମିତିରେ ଦେଖିବାକୁ ଗଲେ କେବଳ ଚଳିତବର୍ଷ ଆମେରିକାର ୩୨୨ ସ୍କୁଲରେ ଗୁଳିକାଣ୍ଡ ଘଟିଛି। ଗଲା ବର୍ଷ ସ୍କୁଲରେ ଗୁଳିକାଣ୍ଡର ସଂଖ୍ୟା ଥିଲା ୩୪୯।  ଏଥିରେ ପ୍ରାୟ ୩୮ଜଣଙ୍କ ଜୀବନ ଯାଇଛି। ଯାହାକି ଚିନ୍ତାଜନକ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *