ରେଷ୍ଟୁରାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍। ଆଉ ଗ୍ୟାସ ଲିକରୁ ଚାଲିଗଲା ୧୧ ଭାରତୀୟଙ୍କ ଜୀବନ। ଜର୍ଜିଆର ପ୍ରସିଦ୍ଧ ମାଉଣ୍ଟେନ୍ ରିସୋର୍ଟ ଗୁଡୌରୀ ସ୍କି ରେଷ୍ଟୁରାଣ୍ଟରେ କାମ କରୁଥିବା ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ସମେତ ୧୨ ଭାରତୀୟଙ୍କ ଜୀବନ ଯାଇଛି। ବିଷାକ୍ତ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ କାରଣରୁ ଏମାନଙ୍କ ଶ୍ୱାସରୁଦ୍ଧରୁ ମୃତ୍ୟୁ ହୋଇଗଲା। ମୃତକଙ୍କ ଶରୀରରେ କୌଣସି ପ୍ରକାର କ୍ଷତ ଚିହ୍ନ ଦେଖିବାକୁ ମିଳିନି। ସମସ୍ତ ମୃତ କର୍ମଚାରୀଙ୍କ ଶବ ରେଷ୍ଟୁରାଣ୍ଟର ଉପର ମହଲାରେ ପଡ଼ିଥିଲା। ଜର୍ଜିଆର ଆନ୍ତରିକ ମନ୍ତ୍ରଣାଳୟ କହିଛି, ବନ୍ଦ କୋଠରୀରେ ଜେନେରଟରରୁ ନିର୍ଗତ ଧୂଆଁରୁ ଏମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଶୋଇବା ରୁମ ପାଖରେ ଥିବା ଏକ ଛୋଟ ଜାଗାରେ ବନ୍ଦ କୋଠରୀ ଭିତରେ ଜେନେରେଟର ରଖାଯାଇଥିଲା। ଆଉ ରାତିରେ ବିଜୁଳି ଚାଲିଯିବା ପରେ କର୍ମଚାରୀ ଜେନେରେଟର ଲଗାଇଥିଲେ। ଫରେନସିକ୍ ଟିମ୍ ସହଯୋଗରେ ମୃତ୍ୟୁର ପ୍ରକୃତ କାରଣ ଠାବ କରିବାକୁ ଛାନଭିନ୍ ଆରମ୍ଭ କରିଛି ପୁଲିସ। ରେଷ୍ଟୁରାଣ୍ଟର ଅବହେଳାକୁ ବି ତଦନ୍ତ ପରିସରଭୁକ୍ତ କରାଯାଇଛି। ଜେନେରେଟର ଉପଯୋଗିତା ସୁରକ୍ଷା ପ୍ରାବଧାନ ଅନୁସାରେ ହେଉଥିଲା କି ନାହିଁ। ଜର୍ଜିଆର ଅପରାଧିକ ସଂହିତାର ଧାରା ୧୧୬ ଅନୁସାରେ ଅବହେଳାରୁ ହତ୍ୟା ମାମଲା ରୁଜୁ କରିଛି ପୁଲିସ। ପ୍ରାଥମିକ ତଦନ୍ତରୁ ଅଧିକାଂଶ ମୃତକ ପଞ୍ଜାବର ଜଣାପଡ଼ିଛି। ଭାରତୀୟ ଦୂତାବାସ ୧୧ ଭାରତୀୟଙ୍କ ମୃତ୍ୟୁ ବାବଦରେ ପ୍ରେସରିଲିଜ୍ ଜାରି କରିଛି। ଶବକୁ ଭାରତକୁ କେମିତି ପଠାଯାଇପାରିବ, ସେ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now