ନକଲି ସାର୍ଟିଫିକେଟ ଅସଲି ଚାକିରୀ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ  ଝୁଲାଖୁଣ୍ଟିଆ ଗାଁରୁ ଆସିଛି ସଙ୍ଗିନ ଅଭିଯୋଗ। ନକଲି ସାର୍ଟିଫିକେଟରେ ଅସଲି ଚାକିରୀ କରାଯାଇଥବା ଭଳି ସମ୍ବେଦନଶୀଳ ତଥ୍ୟ ସାମ୍ନାକୁ ଆସିଛି। ଗାଁରେ ଥିବା ଅଙ୍ଗନୱାର୍ଡି କେନ୍ଦ୍ରରେ ପାଚିକା ନିଯୁକ୍ତି ପାଇଁ ସେପ୍ଟେମ୍ବର ୬ ତାରିଖ ୨୦୨୪ ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକୁ ଆଧାର କରି ୪ ଜଣ ଆବେଦନକାରୀ ପାଚିକା ପୋଷ୍ଟ ପାଇଁ ଆବେଦନ କରିଥିଲେ। ମାର୍କ ଆଧାରରେ କଙ୍କଡ଼ାହାଡ଼ ସିଡିପିଓ ମଧୁମିତା ସାହୁ ଆବେଦନକାରୀ ସ୍ଵାଗତିକା ବିଶ୍ୱାଳଙ୍କୁ ସିଲେକ୍ସନ କରି ନିଯୁକ୍ତି ଦେଇଥିଲେ। ତେବେ ସ୍ଵାଗତିକାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ସନ୍ଦେହ ଉପୁଜିବାରୁ ଅନ୍ୟ ଜଣେ ଆବେଦନକାରୀ ଶିବାନୀ ସାହୁ ଯାଞ୍ଚ କରିବାକୁ ନିବେଦନ କରିଥିଲେ। ମାତ୍ର ତାଙ୍କର କୌଣସି ଅଭିଯୋଗ ଫଳପ୍ରଦ ହୋଇନଥିଲା। ଯାହାକୁ ପାଥେୟ କରି ଶିବାନୀଙ୍କ ସମ୍ପର୍କୀୟ ବସନ୍ତ କୁମାର ସାହୁ RTI ରେ ସମ୍ପୂର୍ଣ୍ଣ ତଥ୍ୟ ମାଗିଥିଲେ। ଆଉ RTI ରେ ଯାହା ମିଳିଥିଲା ତାହା ସମସ୍ତଙ୍କୁ ଚକିତ କରି ଦେଇଥିଲା। ପ୍ରଥମତଃ ସ୍ଵାଗତିକା ଦେଇଥିବା ସାର୍ଟିଫିକେଟ ସମ୍ପୂର୍ଣ୍ଣ ଫର୍ଜୀ। ସେ ଦେଇଥିବା ସାର୍ଟିଫିକେଟରେ ଏଡିଟ କରାଯାଇ ତିଆରି କରାଯାଇଛି। ସେ ଯେଉଁ କଲେଜରୁ ଯୁକ୍ତ ଦୁଇ ପାସ କରିଛନ୍ତି ତାହାର କୌଣସି ତଥ୍ୟ ନଥିବା ପାଲଲହଡା ମାଲ୍ୟାଗିରି କଲେଜର ଅଧ୍ୟକ୍ଷ ତଥ୍ୟ ପ୍ରଦାନ କରିଛନ୍ତି।

ସେହି ନାଁରେ ସମ୍ପୃକ୍ତ ମସିହାରେ କୌଣସି ପିଲା କଲେଜରେ ନାମ ଲେଖାଇ ନାହାନ୍ତି କିମ୍ବା ଦେଇଥିବା ରେଜିଷ୍ଟ୍ରେସନ ଓ ରୋଲ ନମ୍ବରରେ ସ୍ବାଗତିକା ବିଶ୍ୱାଳ ବୋଲି କେହି ନାହାଁନ୍ତି। ଯାହା ସମ୍ପୂର୍ଣ୍ଣ ଫର୍ଜୀ ହୋଇଥିବା କଲେଜ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି। ସେହି ସାର୍ଟିଫିକେଟ ରୋଲ ନମ୍ବରରେ ଅନ୍ୟ ଜଣେ ଛାତ୍ରଙ୍କ ନାଁ ଥିବା ପାଲଲହଡା ମାଲ୍ୟଗିରି କଲେଜର ଅଧ୍ୟକ୍ଷ ତଥ୍ୟ ପ୍ରଦାନ କରିଛନ୍ତି। ଏ ନେଇ ଶିବାନୀ କଙ୍କଡାହାଡ଼ ସିଡିପିଓଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି।

ସେପଟେ କମ୍ପ୍ୟୁଟର ମାଧ୍ୟମରେ ଫର୍ଜୀ ସାର୍ଟିଫିକେଟ ତିଆରି କରାଯାଇ ଅନେକ ସରକାରୀ ଚାକିରୀ ହାତା ଯାଉଥିବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଆଲୋଡନ ସୃଷ୍ଟି ହୋଇଛି। ଏ ନେଇ ତଦନ୍ତ କରାଯିବ ବୋଲି କଙ୍କଡ଼ାହାଡ଼ ସିଡିପିଓ ପ୍ରକାଶ କରିଛନ୍ତି। ନକଲି ସାର୍ଟିଫିକେଟରେ ଅସଲି ଚାକିରୀ କରାଯାଉଛି ଅଥଚ ପ୍ରଶାସନ ପକ୍ଷରୁ ସିଲେକ୍ସନ ଖସଡ଼ା ଅତ୍ୟନ୍ତ ଦୁର୍ବଳ ଥିବା ସ୍ପଷ୍ଟ ବାରି ହୋଇଯାଉଛି। ଯାହାକୁ ନେଇ ନୂଆ ଗାଇଡ଼ ଲାଇନ ଆଣିବାକୁ ଦାବି ହୋଇଛି। ଏଥିସହିତ ନକଲି ସାର୍ଟିଫିକେଟ ପ୍ରଦାନ କରୁଥିବା ଦଲାଲ ଏବଂ ତିଆରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଦାବି କରାଯାଇଛି। କାମାକ୍ଷାନଗର ଉପଜିଲ୍ଲାପାଳ କହିଲେ ତଦନ୍ତ କରି ଶୀଘ୍ର ପଦକ୍ଷେପ ନିଆଯିବ । ଏବଂ ନକଲି ସାଠିପିକେଟ୍ କେଉଁଠୁ ଆସିଛି ତଦନ୍ତ କରାଯିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *