ସୁନା ଚୋରୀ କରି ଫସିଲା ପୁଲିସ। ୨୫ ଲକ୍ଷ ଟଙ୍କାର ସୁନା ଚୋରୀ ମାମଲାରେ କାନପୁରର ରେଲ୍ ବାଜାର ଥାନାଧିକାରୀଙ୍କ ସମେତ ୪ ପୁଲିସ କର୍ମୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୁନା ଚୋରି ମାମଲାରେ ଏମାନଙ୍କ ସଂପୃକ୍ତିକୁ ସ୍ପଷ୍ଟ କରିଛି ତଦନ୍ତ କମିଟି। ତଦନ୍ତ କମିଟି ପୁଲିସ କମିଶନରଙ୍କୁ ରିପୋର୍ଟ ଦେଇଛି। ତେବେ ଏହି ମାମଲାରେ ହେଡ୍ କନଷ୍ଟେବଳଙ୍କୁ କ୍ଲିନଚିଟ୍ ମିଳିଛି। ଜଣେ ମହିଳା କନଷ୍ଟେବଳଙ୍କ ସହ ଅସଦାଚରଣ ମାମଲାରେ ଏବେ ବି ଯାଞ୍ଚ ଜାରି ରହିଛି। ଘଟଣା ଥିଲା କିଛି ଏମିତି। ଜଣେ ଶିକ୍ଷୟତ୍ରୀ ଶାଲିନୀ ଦୁବେଙ୍କ ଘରୁ ଅକ୍ଟୋବର ୧୦ରେ ୩୦ଲକ୍ଷ ଟଙ୍କାରୁ ଅଧିକ ଚୋରୀ ହୋଇଥିଲା। ତତ୍କାଳୀନ ରେଳବଜାର ଥାନା ଅଧିକାରୀ ବିଜୟ ଦର୍ଶନ ଏ ଚୋରୀ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ ସହ ୨୫ଲକ୍ଷ ଟଙ୍କାର ସୁନା ଜବତ କରିଥିଲେ। କିନ୍ତୁ ଶାଲିନୀଙ୍କୁ ସୁନା ଦେବା ବଦଳରେ ହଡ଼ପ କରିନେଇଥିଲେ। କେବଳ ଏତିକି ନୁହେଁ, ୪ ଅଭିଯୁକ୍ତଙ୍କୁ ବି ଛାଡ଼ି ଦେଇଥିଲେ। କିନ୍ତୁ ଯେତେବେଳେ ବରା ପୁଲିସ ଏହି ୪ ଜଣଙ୍କୁ ଗିରଫ କଲା, ସେତେବେଳେ ସୁନା ହଡ଼ପ ଖେଳ ପଦାରେ ପଡ଼ିଥିଲା। ଏହାକୁ ନେଇ ବିଜୟଦର୍ଶନ ଶର୍ମାଙ୍କ ସମେତ ୫ ପୁଲିସ କର୍ମୀଙ୍କୁ ନିଲମ୍ୱିତ କରି ତଦନ୍ତ ନିର୍ଦେଶ ଦେଇଥିଲେ ପୁଲିସ କମିଶନର। ଦାଗୀ ପୁଲିସ ଅଧିକାର ବିଜୟଦର୍ଶନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଗିରଫଦାରି ଓ ନିଲମ୍ୱନ ଦଣ୍ଡରୁ ମୁକୁଳିଥିଲେ। କିନ୍ତୁ ଅନ୍ୟ ୪ ପୁଲିସ କର୍ମୀଙ୍କ ଉପରେ ନିଲମ୍ୱନ ବଳବତ୍ତର ଥିଲା। ଦୀର୍ଘ ଦିନ ହେଲା ଫେରାର୍ ଥିବା ବିଜୟଦର୍ଶନ ଶେଷରେ ଯାଞ୍ଚ କମିଟି ଓ ପୁଲିସରେ ନିଜର ବୟାନ ରଖିଥିଲେ। ଆଉ ତଦନ୍ତ ପରେ ବିଜୟଦର୍ଶନ, ଟ୍ରେନି ପୁଲିସ ଅଧିକାରୀ ରବୀନ୍ଦ୍ର ଶ୍ରୀବାସ୍ତବ, ଏଚସିପି ଆମିଲ ହାଫିଜ୍ ଓ କାର୍ ଚାଳକ ଆକାଶଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ହେଡ କନଷ୍ଟେବଳ ସୁବାଷ ତିଓ୍ୱାରୀଙ୍କୁ କ୍ଲିନଚିଟ୍ ମିଳିଛି। ପୁରା ପ୍ରକରଣର ମାଷ୍ଟରମାଇଣ୍ଡ ଥିଲେ ବିଜୟ। ୪ ଚୋର କହିଥିଲେ କି, ସୁନା ସେମାନଙ୍କଠୁ ଜବତ କରି ଛଡ଼ାଇ ନେଇଥିଲେ ୪ ପୁଲିସ କର୍ମୀ। ଏପରିକି ସେ ଜବତ ସୁନା ଅସଲି କି ନୁହେଁ, ତାକୁ ପରଖିବା ବାହାନାରେ ଚୋରଙ୍କୁ ସାଙ୍ଗରେ ନେଇ ବଣିଆ ପାଖକୁ ନେଇ ଏହି ୪ ପୁଲିସ କର୍ମୀ ଚତୁରତାର ସହ ନିଜ ପାଖରେ ସବୁତକ ସୁନା ରଖିଦେଇଥିଲେ। ତେବେ ସୁନାକୁ ତରଳାଇ ବିକିବା ଚକ୍କରରେ ଥିଲେ ବିଜୟଦର୍ଶନ।
Naxatra News is now on Whatsapp
Join and get latest news update delivered to you via whatsapp
Join Now