ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାଟରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ଶହେ ବର୍ଷ ହୋଇଥିଲା। ଆମେରିକା ଇତିହାସରେ ସବୁଠୁ ଅଧିକ ସମୟ ବଞ୍ଚିଥିବା ରାଷ୍ଟ୍ରପତି ହେଉଛନ୍ତି କାଟର। କାଟର ଆମେରିକାର ୩୯ତମ ରାଷ୍ଟ୍ରପତି ଥିଲେ। ନିଜ ପରିବାର ସହ ଜର୍ଜ୍ଜିଆର ପ୍ଲେନ୍ସ ସ୍ଥିତ ନିଜ ଘରେ ରହୁଥିଲେ କାଟର। ଏଇଠାରେ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି କାଟର। କାଟର ମେଲେନୋମା ରୋଗରେ ପୀଡ଼ିତ ଥିଲେ। ଏହି ରୋଗରେ ତାଙ୍କ ମସ୍ତିଷ୍କ ଓ ଯକୃତ ପ୍ରଭାବିତ ହୋଇଥିଲା। ଜିମ୍ମିଙ୍କ ପରଲୋକ ପରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଆମେରିକା ଓ ବିଶ୍ୱର ଜଣେ ଅସାଧାରଣ ନେତା, ରାଜନେତା ଓ ମାନବବାଦୀଙ୍କୁ ହରାଇଦେଲା।
ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, କାଟର ରାଷ୍ଟ୍ରପତି ଥିଲା ବେଳେ ଅନେକ ଆହ୍ୱାନ ସତ୍ତ୍ୱେ ଆମେରିକାର ଜନଜୀବନକୁ ସରଳ, ସୁନ୍ଦର ଓ ସହଜ କରିବାକୁ ଅନେକ ଉପାଦେୟ ପଦକ୍ଷେପ ଉଠାଇଥିଲେ। ଜିମିଙ୍କ ଭାରତ ସହ କନେକ୍ସନ ରହିଛି। ଭାରତ ଗସ୍ତ କରିଥିବା ଆମେରିକାର ତୃତୀୟ ରାଷ୍ଟ୍ରପତି ଥିଲେ ସେ। ଭାରତରେ ତାଙ୍କ ନାଁରେ ଗୋଟିଏ ଗାଁ ବି ରହିଛି। ତାଙ୍କ ସମ୍ମାନରେ ହରିଆଣାରେ ଏକ ଗାଁର ନାଁ କାର୍ଟରପୁରୀ ରଖାଯାଇଥିଲା। ଜିମିଙ୍କ ପରିବାର ବେଶ୍ ବଡ଼। ତାଙ୍କର ୨୫ ନାତି ଅଣନାତି ଅଛନ୍ତି। ତାଙ୍କ ପତ୍ନୀ ରୋସାଲିନଙ୍କ ୯୬ ବର୍ଷ ବୟସରେ ୨୦୨୩ରେ ପରଲୋକ ହୋଇସାରିଛି।
ଆମେରିକା ଇତିହାସରେ ସବୁଠୁ ଅଧିକ ସମୟ ବିବାହିତ ରାଷ୍ଟ୍ରପତି ଦମ୍ପତ୍ତି ଥିଲେ କାଟର। ରାଜନୀତିରେ ଆସିବା ପୂର୍ବରୁ କାଟର ଚାଷୀ ଥିଲେ। ଆମେରିକା ନୌସେନାର ଲେଫ୍ଟନାଣ୍ଟ ବି ଥିଲେ। ଜର୍ଜିଆ ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୭୭ରୁ ୧୯୮୧ ଯାଏ ଆମେରିକାର ରାଷ୍ଟ୍ରପତି ଥିଲେ। ରାଷ୍ଟ୍ରପତି ଥିଲା ବେଳେ ଇସ୍ରାଏଲ ଓ ମିସ୍ତ୍ର ଭିତରେ ଶାନ୍ତିସ୍ଥାପନା କରିଥିଲେ। ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ଭିତରେ ପରମାଣୁକୁ କେନ୍ଦ୍ର କରି ଉତ୍ତେଜନାକୁ ପ୍ରଶମିତ କରିବାରେ ତାଙ୍କର ପ୍ରମୂଖ ଭୂମିକା ଥିଲା। ତାଙ୍କର ପ୍ରୟାସ ଲାଗି ହୁତି ଉପରେ ଆମେରିକା ଆକ୍ରମଣ କରିନଥିଲା। ବୋସନିଆ ଓ ସୁଡ଼ାନରେ ଯୁଦ୍ଧବିରାମକୁ ନେଇ ସେ ମଧ୍ୟସ୍ଥତା କରିଥିଲେ। ଏ ସବୁ କାମ ପାଇଁ ୨୦୦୨ରେ ନୋବେଲ ଶାନ୍ତି ପୁରଷ୍କାର ପାଇଥିଲେ କାଟର। ଜନସେବାରେ ବ୍ରତୀ ଥିଲେ ସେ। ୧୯୮୨ରେ କାର୍ଟର ସେଣ୍ଟର ପ୍ରତିଷ୍ଠା କରିଥିଲେ। ଏଠାରେ ଦୁନିଆର ସବୁଠୁ ବଞ୍ଚିତ କ୍ଷେତ୍ରରେ ହେଉଥିବା ସଂଘର୍ଷର ସମାଧାନ, ଅନେକ ବେମାରୀର ମୂଳୋତ୍ପାଟନ ଲାଗି କାମ କରୁଥିଲେ। ସେଥିଲାଗି ବିଶ୍ୱରେ ଏକ ମାନବୀୟ ନେତା ଭାବେ ତାଙ୍କୁ ବିବେଚନା କରାଯାଏ। କାଟରଙ୍କ ପରଲୋକ ପରେ ଆମେରିକାର ଜାତୀୟ ପତାକାକୁ ଅର୍ଧନମିତ କରାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now