ତାମିଲନାଡ଼ୁରେ ଇଡି ରେଡ୍। ଏଥର ଟାର୍ଗେଟରକେ ଶାସକ ଦଳର ନମ୍ୱର ଟୁ। ତାମିଲନାଡ଼ୁର ଜଳସମ୍ପଦ ମନ୍ତ୍ରୀ ଦୁରାଇ ମୁରୁଗନଙ୍କ ଘର ଓ ଅଫିସ ସମେତ ଅନ୍ୟାନ୍ୟ ଠିକଣାରେ ରେଡ୍ କରିଛି ଇଡି। ମନି ଲଣ୍ଡରିଂ ସହ ଜଡ଼ିତ ୨୦୧୯ର ଏକ ମାମଲାକୁ ନେଇ ଏହି ରେଡ୍ ହୋଇଛି। ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଖାସ ଅନୁଗତ ଅଟନ୍ତି ମୁରୁଗନ। ସତ୍ତାଧାରୀ ଦଳ ଡିଏମକେର ମହାସଚିବ ଅଟନ୍ତି ମୁରୁଗାନ। ଡିଏମକେର ଅନ୍ୟ ଦୁଇ ମନ୍ତ୍ରୀ ସେନ୍ଥିଲ ବାଲାଜୀ ଓ କେ.ପୋନମୁଡ୍ଡି ବି ମନି ଲଣ୍ଡରିଂ ମାମଲାର ସମ୍ମୁଖୀନ ହେଉଛନ୍ତି। ସୁପ୍ରିମକୋର୍ଟ ନିକଟରେ ବାଲାଜୀଙ୍କୁ ଏହି ମାମଲାରେ ଜାମିନ ଦେବା ପରେ ବାଲାଜୀ ପୁଣି ଷ୍ଟାଲିନ ସରକାରରେ ମନ୍ତ୍ରୀ ହୋଇଛନ୍ତି। ସେପଟେ ଡିଏମକେର ବିଲୋର ସାଂସଦ କଥିର ଆନନ୍ଦଙ୍କ ୫ଟି ଠିକଣାରେ ଛାପାମାରିଛି ଇଡି। ଏ ରେଡ୍ ବି ମନିଲଣ୍ଡରିଂ ସହ ଜଡ଼ିତ। ୨୦୧୯ରେ ସାଂସଦ କଥିର ଆନନ୍ଦ ଓ ତାଙ୍କ ସହ ସଂପୃକ୍ତ ଲୋକଙ୍କଠୁ ୧୧ କୋଟି ଟଙ୍କାର ନଗଦ ଜବତ ହୋଇଥିଲା। ଯାହାର ହିସାବ ଦେଇପାରିନଥିଲେ କଥିର। ସେଥିଲାଗି ତ ବିଲୋରରେ ଲୋକସଭା ନିର୍ବାଚନ ରଦ୍ଦ କରିଦିଆଯାଇଥିଲା।
୨୦୧୯ରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ବାଚନ କମିଶନଙ୍କ ସୁପାରିଶ କ୍ରମେ ନିର୍ବାଚନ ରଦ୍ଦ କରିଥିଲେ। ନିର୍ବାଚନକୁ ମାତ୍ର ଦୁଇ ଦିନ ଥିଲା। କଥିର ହେଉଛନ୍ତି ଦୁରାଇ ମୁରୁଗନଙ୍କ ପୁଅ। ଅଗଷ୍ଟ ୨୦୧୯ ନିର୍ବାଚନରେ କଥିର ୮ହଜାର ଭୋଟ ବ୍ୟବଧାନରେ ଜିତିଥିଲେ। ୨୦୨୪ରେ ୨ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟରେ ଜିତିଛନ୍ତି କଥିର। ଏଭଳି ରେଡକୁ ନେଇ ଡିଏମକେ କହିଛି, ଏହା ରାଜନୈତିକ ପ୍ରତିଶୋଧର ପରିଣାମ। ପୂର୍ବରୁ ତାମିଲନାଡ଼ୁର ଜଙ୍ଗଲ ମନ୍ତ୍ରୀ ପୋନମୁଡ୍ଡି ଓ ତାଙ୍କ ପୁଅ ପି ଗୌତମ ସିଗାମଣିଙ୍କ ଘରେ ଜୁଲାଇ ୨୦୨୩ରେ ଇଡି ରେଡ୍ କରିଥିଲା। ୧୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା ଇଡି। ୨୦୦୭ରୁ ୨୦୧୦ ଭିତରେ ଖଣି ମନ୍ତ୍ରୀ ଥିଲା ବେଳେ ନିଜ ପୁଅ ସିଗାମଣି, ସିଗାମଣିଙ୍କ ଭିଣୋଇ କେଏସ ରାଜମହେନ୍ଦ୍ରନ୍ ଓ ଜୟଚନ୍ଦ୍ରନଙ୍କ ନାଁରେ ଖଣିର ୫ଟି ଲାଇସେନ୍ସ ଜାରି କରିଥିଲେ। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନ୍ କହିଆସୁଛନ୍ତି, ତାଙ୍କ ସରକାର ଓ ମନ୍ତ୍ରୀଙ୍କ ଛବିକୁ ମଳିନ କରିବାକୁ ବିଜେପିର ବିଧିବଦ୍ଧ ଚକ୍ରାନ୍ତ ଚାଲିଛି। ଇଡିକୁ ଲଗାଇ ବିଜେପି ରାଜନୈତିକ ପ୍ରତିଶୋଧ ନେଉଛି। ଏହା ସହ ଅଭିନେତା ବିଜୟଙ୍କ ନୂଆ ଦଳକୁ ବି ଆକ୍ଷେପ କରିଛନ୍ତି ଷ୍ଟାଲିନ୍। ଡିଏମକେକୁ ଖତମ କରିବାକୁ ଲାଗିଛନ୍ତି ବିଜୟ ବୋଲି ଆରୋପ ଲଦିଛନ୍ତି ଷ୍ଟାଲିନ୍। ତାମିଲନାଡୁରେ ହଜାରେ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସାଇବର ଫ୍ରଡ୍ ମାମଲାରେ ଗୁରୁବାର ପଶ୍ଚିମବଙ୍ଗର ୮ଟି ଜାଗାରେ ରେଡ୍ କରିଥିଲା ଇଡି।
Naxatra News is now on Whatsapp
Join and get latest news update delivered to you via whatsapp
Join Now