ରାଜଧାନୀ ରାଜରାସ୍ତାରେ ଯୁବ କଂଗ୍ରେସର ରଣହୁଙ୍କାର। ନିର୍ବାଚନୀ ପ୍ରତିଶ୍ରୁତି ପୂରଣରେ ବିଫଳତା ଅଭିଯୋଗରେ ପ୍ରତିବାଦ କରିଛି ଯୁବ କଂଗ୍ରେସ। ମାଷ୍ଟରକ୍ୟାଣ୍ଟିନ ଛକରେ କରାଯାଇଛି ଏକ ବିଶାଳ ‘ଯୁବ ଅସନ୍ତୋଷ ସମାବେଶ’ । ବିଜେପି ଯେଉଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଲା, ତାହା ପୂରଣ କରିବାରେ ଅସମର୍ଥ ହୋଇଛି ବୋଲି ଅଭିଯୋଗ କରିଛି ଦଳ। ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳାର ସୁଧାର, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ଉପରେ ଉପରେ ଅତ୍ୟାଚାର ବନ୍ଦ, ଖଣି ଖାଦନ ଲୁଟ ବନ୍ଦ, ପ୍ରତିଶ୍ରୁତି ଅନୁଯାୟୀ ତୁରନ୍ତ ୩୦୦ ୟୁନିଟ ମାଗଣା ବିଜୁଳି ଯୋଗାଣ, ମହଙ୍ଗା ମାଡ଼ରୁ ନିସ୍ତାର, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ, ଉତ୍କଟ ବେକାରୀ ସମସ୍ୟା ନିୟନ୍ତ୍ରଣ, ଦୁର୍ନୀତି ଓ କଳା ତାଲିକା ଭୁକ୍ତ କମ୍ପାନୀକୁ ପ୍ରୋତ୍ସାହନ ବନ୍ଦ ଆଦି ଦାବିରେ ଏହି ସମାବେଶ କରାଯାଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାର ୭ ମାସରେ କିଛି କରିନାହିଁ । ସେହିପରି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ଯେ, ୭ ମାସ ଭିତରେ ଦାଦନ ସଂଖ୍ୟା ବଢ଼ିଛି। ବିଜେପି ଶାସନ ନୁହେଁ, ଲୁଟ କରୁଛି। ଆଇନ ଶୁଙ୍ଖଳା ପରିସ୍ଥିତି ବିଗିଡିଯାଇଛି। ଚାଷୀ କାନ୍ଦୁଛି ବୋଲି ସେ କହିଛନ୍ତି। ଯୁବ କଂଗ୍ରେସ ନେତା ୟାସିର ନୱାଜ କହିଛନ୍ତି ଯେ, ବିଜେପି ପ୍ରତିଶ୍ରୁତି ଭୁଲି ଯାଇଛି । ଚିଟଫଣ୍ଡ ଟଙ୍କା ଫେରସ୍ତ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର।
ସେପଟେ ବିଜେପିର କଡ଼ା ଜବାବ, ପରିଚୟ ସଂକଟରୁ ମୁକ୍ତି ପାଇବାକୁ ଏବଂ ଦଳରେ ଥିବା ଅସନ୍ତୋଷକୁ ଜାହିର କରିବାକୁ ଯୁବ ଅସନ୍ତୋଷ ସମାବେଶ କରୁଛି ଯୁବ କଂଗ୍ରେସ। ରାଜ୍ୟରେ କଂଗ୍ରେସ ମୁଣ୍ଡବିହୀନ। ଏଠି ସଭାପତି ନାହାନ୍ତି କି କାର୍ଯ୍ୟକାରୀ କମିଟି ନାହିଁ। କଂଗ୍ରେସ ୫୫ ବର୍ଷରେ ଓଡ଼ିଶାରେ ଯାହା କରିନି, ମୋହନ ସରକାର ୫ବର୍ଷରେ ତାହାଠାରୁ ଅଧିକ କାମ କରିବ। ଯୁବ କଂଗ୍ରେସର ରଣହୁଙ୍କାର ରାଜ୍ୟ ସରକାରଙ୍କ ଉପରେ କେତେଦୂର ପ୍ରଭାବ ପକାଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now