ଲୁମେକ୍ସ ମହାଠକେଇ – ବୋଥ୍ରାଙ୍କ ଅଡିଓ ଭାଇରାଲ

ବହୁ ଚର୍ଚ୍ଚିତ ଲୁମେକ୍ସ ମହାଠକେଇ ମାମଲା। ଯେତେବେଳେ ବିଧାନସଭା ଆସେ, ସେତେବେଳେ ଏ ମାମଲା ବି ଜନମାନସକୁ ସ୍ୱତଃପ୍ରବୃତ୍ତ ଚାଲିଆସେ। ନିବେଶ ନାଁରେ ପ୍ରଲୋଭନର ପାଲରେ ପକାଇ କେମିତି ୫ ଦୁର୍ବୃତ୍ତ ଜଣେ ଦମ୍ପତ୍ତିଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଥିଲେ, ତାହା ଉଣା ଅଧିକେ ସଭିଙ୍କୁ ଜଣା। ମୁଖ୍ୟ ଅଭିଯୁକ୍ତ ରାଜୀବ ଦାସ ୨୨ ମାସ ହେଲାଣି ଜେଲରେ। ତାଙ୍କ ପତ୍ନୀ ସୋନିଆ ତ୍ରିପାଠୀଙ୍କର ବି ଜେଲରେ କଟିଲାଣି ୯ ମାସ। ଏମାନଙ୍କ ବ୍ୟତୀତ ଆଉ ୩ ଅଭିଯୁକ୍ତଙ୍କୁ ଏବେ ବି ପୁଲିସ ଗିରଫ କରିପାରିନି। ତେବେ ପୁରା ଠକେଇ ପ୍ରକରଣର ମୁଖ୍ୟ ମାଷ୍ଟରମାଇଣ୍ଡ ରାଜୀବ ଦାସ ଓ ସୋନିଆଙ୍କୁ ଯେଉଁ କମିଶନରେଟ ପୁଲିସ ଦୀର୍ଘ ୧୭ ମାସ ହେଲା ଜାଣିଶୁଣି ଠାବ କରିପାରୁନଥିଲା। ସେହି ଅଭିଯୁକ୍ତଙ୍କୁ ଇଓଡବ୍ଲୁ ମାତ୍ର ମାସକ ଭିତରେ ଧରିଥିଲା। ସେତେବେଳର ନବୀନ ସରକାର କମିଶନରେଟ ପୁଲିସର ପାରିଲାପଣିଆକୁ ନେଇ ପ୍ରଶ୍ନ କରିବା ସହ ତୁରନ୍ତ ମାମଲାକୁ ଇଓଡବ୍ଲୁକୁ ହସ୍ତାନ୍ତର କରିଥିଲେ। ଆଉ ଇଓଡବ୍ଲୁର ଦକ୍ଷ ଅଫିସର ଅରୁଣ ବୋଥ୍ରା ବି ନିଷ୍ଠାର ସହ ଦାୟିତ୍ୱ ତୁଲାଇଥିଲେ। ତେବେ ତତ୍କାଳୀନ ଏଡିଜି କ୍ରାଇମବ୍ରାଞ୍ଚ ଅରୁଣ ବୋଥ୍ରାଙ୍କର ଏକ ଅଡ଼ିଓ ରେକର୍ଡ ବେଶ୍ ଭାଇରାଲ ହେବାରେ ଲାଗିଛି। ଅଡିଓ ରେକର୍ଡରେ ବୋଥ୍ରା କହୁଛନ୍ତି ଯେ, ସେ ବହୁ ଚାପରେ ଅଛନ୍ତି। ପୀଡ଼ିତ ଦମ୍ପତ୍ତି ନିଶାରାଣୀ ମହାପାତ୍ର ଓ ପ୍ରଜ୍ଞାପ୍ରକାଶ ନାୟକଙ୍କୁ ନ୍ୟାୟ ଦେବା ସକାଶେ ସେ ଜଣେ ଆଇପିଏସ ଅଧିକାରୀଙ୍କ ଇଛା ବିରୁଦ୍ଧରେ କାମ କରିଥିଲେ। ତେବେ ସେ ଆଇପିଏସ ଅଫିସର ଜଣକ କିଏ। ବୋଥ୍ରା ଯାହାଙ୍କ ନାଁ ନେଇନାହାନ୍ତି, ସେ ତତ୍କାଳୀନ ଭୁବନେଶ୍ୱର ଡିସିପି ଓ ଏବେକାର କମିଶନରେଟ ପୁଲିସର ଅତିରିକ୍ତ ସିପି ଉମାଶଙ୍କର ଦାସ ନୁହଁନ୍ତି ତ। କାରଣ ଏହି ମହାଠକେଇ ମାମଲାରେ ଆଇପିଏସ ଉମାଶଙ୍କର ଦାସ କୁଆଡ଼େ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିଲେ ବୋଲି ସେତେବେଳେ ବେଶ୍ ଚର୍ଚ୍ଚା ହୋଇଥିଲା। କଥା ପଡ଼ିଛି, ରାଜୀବ ଦାସ ଓ ତାଙ୍କ ସହଯୋଗୀଙ୍କୁ ଗିରଫ ନ କରିବାକୁ ଉମାଶଙ୍କର ଯଦି ଚାପ ପକାଉଥିଲେ, ତାହେଲେ ଏହା ଅତି ଜଘନ୍ୟ ବ୍ୟାପାର। ବୋଥ୍ରାଙ୍କ କଥାରୁ ଲାଗୁଛି, ପୀଡ଼ିତ ଏ ଯାଏ ସମ୍ପୂର୍ଣ୍ଣ ନ୍ୟାୟ ପାଇନଥିବାରୁ ବିଭିନ୍ନ ଫୋରମରେ ଲଢ଼େଇ ଓ ସଂଘର୍ଷ ଜାରି ରଖିଥିଲା ବେଳେ ତାଙ୍କୁ ଆଶ୍ୱାସନା ଦେବାକୁ ଯାଇ ଏଭଳି ସତ କଥା ଓଗାଳିଦେଇଛନ୍ତି। କଥା ପଡ଼ିଛି।

ଓଡ଼ିଶାରେ ନୂଆ ସରକାରଙ୍କୁ ୮ ମାସ ହୋଇସାରିଲାଣି। ଆଜିର ତାରିଖରେ ମୋହନ ସରକାର ଶପଥ ନେଇଥିଲେ। ଏହାରି ଭିତରେ ଏଭଳି ଠକଙ୍କୁ ନିସ୍ତାର ନାହିଁ ଓ ଯେତେ ବଡ଼ ପଦପଦବୀରେ ଥାଇ କେହି ବି କ୍ଷମତାର ଦୁରୁପଯୋଗ କରୁଥିଲେ, ବରଦାସ୍ତ କରାଯିବନି ବୋଲି ମୁଖ୍ୟମନ୍ତ୍ରୀ ବି ବାରମ୍ୱାର ତାଗିଦ୍ କରିଆସୁଛନ୍ତି। ପୁଲିସର ନାଲିଆଖି କି ଚାପ ଆଉ କାଟୁ କରିବନି ବୋଲି ଚେତାଇ ବି ଦେଲେଣି ଅନେକ ଥର। ଅତୀତକୁ ନିରିଖେଇଲେ ପ୍ରମାଣ ଅଛି ଯେ, ବିରୋଧୀ ଦଳ ଆସନରେ ବିଜେପି ବସିଥିଲା ବେଳେ ଏହି ବହୁ ଚର୍ଚ୍ଚିତ ମହାଠକେଇ ମାମଲାରେ ମୋହନ ମାଝୀ, ଜୟନାରାୟଣ ମିଶ୍ର, ସୂରଜ ସୂର୍ଯ୍ୟବଂଶୀ, ରବି ନାଏକ, ମୁକେଶ ମହାଲିଙ୍ଗ, ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଦାବି କରିଥିଲେ ଯେ, ଲୁମେକ୍ସ ଠକେଇର ବାକି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରନ୍ତୁ ସରକାର। ଗଲା ବିଧାନସଭା ଅଧିବେଶନରେ ବି ଜୟନାରାୟଣ ମିଶ୍ର ବି କ୍ଷୋଭ ଝାଡ଼ିଥିଲେ ଯେ, ପେଣ୍ଡିଂ ଆରେଷ୍ଟକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ। ଯେହେତୁ ୧୩ରୁ ବିଧାନସଭା ଆରମ୍ଭ ହେଉଛି। ପୀଡ଼ିତ ସରକାରଙ୍କଠୁ ଅନ୍ତତଃ ଏୟା ଆଶା କରୁଛନ୍ତି ଯେ, ବାକି ଅଭିଯୁକ୍ତଙ୍କୁ ସରକାର ତୁରନ୍ତ ଗିରଫ କରନ୍ତୁ। କର୍ତ୍ତବ୍ୟରେ ଅବହେଳା, କ୍ଷମତାର ଦୁରୁପଯୋଗ କରି ଅଭିଯୁକ୍ତଙ୍କ ସୁରକ୍ଷା କବଚ ସାଜିଥିବା ପୁଲିସ ଅଫିସରଙ୍କ ବିରୁଦ୍ଧରେ ବି ସମାନ୍ତରାଳ ଦୃଷ୍ଟାନ୍ତମୂଳକ ଆକ୍ସନ ହେବା ଦରକାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *