ଲୋକ ମଲେଣି। କିନ୍ତୁ ତାଙ୍କ ନାଁରେ ବର୍ଷ ବର୍ଷ ହେଲା ଉଠୁଥିଲା ରାସନ। ରାଜ୍ୟରେ ଏମିତି ୩ଲକ୍ଷ ୨୮ହଜାରରୁ ଉର୍ଦ୍ଧ୍ୱ ମୃତ ବ୍ୟକ୍ତିଙ୍କ ନାଁ ହିତାଧିକାରୀ ତାଲିକାରେ ଗଡ଼ୁଥିଲା। ଇ-କେଓ୍ୱାଇସି ଦ୍ୱାରା ଏହା ଧରାପଡ଼ିଛି। ସର୍ବାଧିକ କେନ୍ଦୁଝରରେ ୩୫ହଜାର୫୫୦ ଜଣ ମୃତ ବ୍ୟକ୍ତି ରାସନକାର୍ଡ ହାତେଇଥିଲେ। ତା ପଛକୁ ଗଞ୍ଜାମରେ ୨୫ହଜାର ୭୮୯, ମୟୂରଭଞ୍ଜରେ ୨୩ହଜାର୭୯୯, ରାୟଗଡ଼ାରେ ୨୨ହଜାର ୪୧୧ଜଣଙ୍କ ନାଁରେ ଉଠୁଥିଲା ଚାଉଳ। ଏହା ଛଡ଼ା ଆୟକରଦାତା ଓ ବଡ଼ବଡ଼ିଆ ବି ରାସନ କାର୍ଡ ହାତେଇଥିଲେ। ଗୋଟିଏ ପଟେ ଭୂତ ହିତାଧିକାରୀଙ୍କୁ ଚିହ୍ନଟ, ମୃତ ହିତାଧିକାରୀଙ୍କୁ ବାଦ୍ ଦେଇ ବ୍ୟବସ୍ଥାରେ ସ୍ୱଛତା ଆଣିବାକୁ କହିଛନ୍ତି ଯୋଗାଣ ମନ୍ତ୍ରୀ। ରାସନ କାର୍ଡ ହାତେଇଥିବା ଆୟକରଦାତାଙ୍କୁ ବି ଚିହ୍ନଟ ହେଲାଣି। ୩୧ ପରେ ଭୂତ ରାସନ କାର୍ଡର ପୁରା ଚିଠା ସରକାରଙ୍କ ହାତକୁ ଆସିବ। ବିଜେଡି ସରକାର ଅମଳରେ ଏମିତି ଚାଲିଥିବା ବଡ଼ ଦୁର୍ନୀତିରେ କୋଟି କୋଟି ଟଙ୍କାର ଘୋଟାଲା ହେଉଥିଲା। ସବୁ ଦୁର୍ନୀତିର ତଦନ୍ତ ହେବ। ରାଜ୍ୟରେ ୧୬ହଜାର ୧୮୪ ଅଯୋଗ୍ୟ ପରିବାର ରାସନକାର୍ଡ ହାତେଇଥିଲେ।
ତେବେ ବିରୋଧୀଙ୍କ କହିବା କଥା, ମୃତ ବ୍ୟକ୍ତିଙ୍କୁ ତାଲିକାରୁ ବାଦ୍ ଦେବା, ଯୋଗ୍ୟଙ୍କୁ ଯୋଡ଼ିବା ଏହା ନିରନ୍ତର ପ୍ରକ୍ରିୟା। କିନ୍ତୁ ଏହା ଦଳୀୟ ଭିତ୍ତିରେ କରାନଯାଉ। ପୂର୍ବ ସରକାରରେ ଯେଉଁମାନେ ରାସନ କାର୍ଡ ପାଇଥିଲେ, ସେମାନଙ୍କର ନାଁ ଉଦ୍ଦେଶ୍ୟମୂଳକ ଭାବେ କାଟନ୍ତୁନି ସରକାର। ଆୟକରଦାତାର ସଂଜ୍ଞା ନିରୂପଣ କରନ୍ତୁ ସରକାର। ପାନଦୋକାନୀ, ପରିବା ଦୋକାନୀ ବି ଜିରୋ ଇନକମ ଟାକ୍ସ ଫାଇଲ୍ କରନ୍ତି। ସେମାନଙ୍କ ରାସନକାର୍ଡ କାଟିଦେଲେ ଅନ୍ୟାୟ ହେବ ବୋଲି କହିଛନ୍ତି ବାହିନୀପତି। ବିଜେଡି କହିଛି, ଇ-କେଓ୍ୱାଇସି ନାଁରେ ରାସନ କାର୍ଡକୁ ଅଧିକ ଅବ୍ୟବସ୍ଥିତ କରିଦିଆଗଲା। ଲୋକଙ୍କୁ ହଇରାଣ କରାଯାଉଛି। ବାହାରେ କାମ କରୁଥିବା ଅନେକ ଲୋକ ଅପଡେଟ୍ କରିବାକୁ ଆସିପାରୁନାହାନ୍ତି। ମୃତ ବ୍ୟକ୍ତି, ଆୟକରଦାତା ଓ ବଡ଼ବଡ଼ିଆ ବି ରାସନ କାର୍ଡ ହାତେଇଛନ୍ତି। କିନ୍ତୁ ଇନକମ୍ ଟାକ୍ସ ରିଟର୍ଣ୍ଣ ଫାଇଲ୍ କରୁଥିବା ଗରିବଙ୍କ ରାସନକାର୍ଡ କାଟିଦେଲେ ଗାଁ ଗାଁରେ ବିରୋଧ ହେବ ବୋଲି କହିଛି ବିଜେଡି। ଶାସକ ଦଳ କହିଛି, ପ୍ରଥମରୁ ସରକାରଙ୍କ ନୀତି ସ୍ପଷ୍ଟ ଅଛି। ଗରିବ, ଯୋଗ୍ୟ ଓ ମାନଦଣ୍ଡ ପୂରଣ କରୁଥିବା ହିତାଧିକାରୀଙ୍କୁ ରାସନ କାର୍ଡ ଦିଆଯିବ। ଇ-କେଓ୍ୱାଇସି ଦ୍ୱାରା ରାସନ ବିତରଣ ପ୍ରକ୍ରିୟା ସ୍ୱଛ ହେଉଛି।
ରାସନ କାର୍ଡ ସହ ଗୋଟିଏ ପରିବାରର ଅନେକ କିଛି ନିର୍ଭର କରୁଛି। ରାସନ କାର୍ଡ ଏମିତି ଏକ ଆଧାର ଭଳି ହୋଇଗଲାଣି ଯେ, ସବୁଥିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ଭାବେ ବିବେଚିତ ହେଉଛି। ସେଥିଲାଗି ରାସନକାର୍ଡ ଇସ୍ୟୁ ବେଳେ ସ୍ୱଛତା ରହିବା ଜରୁରୀ।

Naxatra News is now on Whatsapp
Join and get latest news update delivered to you via whatsapp
Join Now