ନୂଆଦିଲ୍ଲୀ: ୫୦ ବର୍ଷର ଓକିଲାତି କ୍ୟାରିୟର ପରେ ସୁପ୍ରିମ କୋର୍ଟଙ୍କ ଉପରୁ ଭରସା ହରାଇଛନ୍ତି ଓକିଲ ତଥା କଂଗ୍ରେସର ବିରଷ୍ଠ ମନ୍ତ୍ରୀ କପିଲ ସିବଲ। ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସିବଲ କହିଛନ୍ତି କି, ଆଉ ସୁପ୍ରିମ କୋର୍ଟ ଉପରେ ଭରସା ନାହିଁ। କ୍ୟାମ୍ପେନ ଫର ଜୁଡିସିଆଲ ଆକାଉଣ୍ଟେବିଲିଟି ଆଣ୍ଡ ଫୋରମ (ସିଜେଏଆର), ପିପୁଲ୍ସ ୟୁନିୟନ ଫର ସିଭିଲ ଲିବର୍ଟି ( ପିୟୁସିଏଲ) ଓ ନାସନାଲ ଆଲିଆନ୍ସ ଅଫ ପିପୁଲ୍ସ ମୁଭମେଣ୍ଟ (ଏନଏପିଏମ) ପକ୍ଷରୁ ଆୟୋଜିତ ଜୁଡିସିଆଲ ରୋଲବ୍ୟାକ ଅଫ ସିଭିଲ ଲିବର୍ଟିଜ ଶୀର୍ଷକ ସାଧାରଣ ଟ୍ରିବ୍ୟୁନାଲରେ ୨୦୦୨ ଗୁଜୁରାଟ ହିଂସା ଓ ୨୦୦୯ ଛତିଶଗଡ ଆଦିବାସୀ ସମୂହ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ଆଲୋଚନା ହୋଇଥିଲା।
ଟ୍ରିବ୍ୟୁନାଲରେ ଯୋଗଦେଇ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ କହିଥିଲେ, ଚଳିତ ବର୍ଷ ସୁପ୍ରିମକୋର୍ଟରେ ଓକିଲାତି କରିବାର ୫୦ ବର୍ଷ ହେବାକୁ ଯାଉଛି। କିନ୍ତୁ ବର୍ତ୍ତମାନ ଏହି ଅନୁଷ୍ଠାନ ଉପରେ କୌଣସି ଭରସା ନାହିଁ। ବିଭିନ୍ନ ପ୍ରସଙ୍ଗରେ କୋର୍ଟ କହୁଥିବା କଥା ଓ ବାସ୍ତବ ଘଟଣାରେ ରହୁଛି ଆକାଶ ପାତାଳ ଫରକ। ଉଦାହରଣ ସ୍ବରୂପ ନିଆଯାଉ ହିଟ ଆଣ୍ଡ ରନ ମାମଲାକୁ। ଆପଣ ସୁପ୍ରିମକୋର୍ଟ ଯିବେ, ଏହା ଉପରେ ଚାଲିବ ଶୁଣାଣି। କୋର୍ଟ କହିବେ ସରକାରର ଦୃଷ୍ଟିଭଙ୍ଗି ପଚରା ଯାଇଛି। ସମୟ ଗଡିଚାଲିବ, କୋର୍ଟରେ ବିଚାରପତିଙ୍କ ବଦଳି ହେବ ସମୟ କ୍ରମେ। କିନ୍ତୁ ସଂସ୍ଥା ସେହିପରି ରହିଥିବ। କାହାରିକୁ ଗିରଫ କରାଯିବ ନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। କୌଣସି ସଂସ୍ଥା ସେତେବେଳେ ସ୍ବାଧୀନ ହୋଇପାରିବ ଯେତେବେଳେ ସମାଜର ମାନସିକ ଭାବନାରେ ପରିବର୍ତ୍ତନ ଆସିବ। ଯେତେବେଳେ କୋର୍ଟଙ୍କ ସମ୍ମୁଖରେ ଅଭିଯୁକ୍ତଙ୍କୁ ନିଜକୁ ନିର୍ଦ୍ଦୋଶ ସାବ୍ୟସ୍ତ କରିବାକୁ ହେଉଛି। ଗୁଜୁରାଟ ଦଙ୍ଗା ମାମଲାରେ ତିସ୍ତାଙ୍କୁ ନିର୍ଦ୍ଦୋଶ କରିବାକୁ ମୁଁ ଯୁକ୍ତି କରି ନାହିଁ। ମତେ କୁହାଗଲା ଆପଣ ଏଥିରେ ପଡନ୍ତୁ ନି, ଯାଆନ୍ତୁ। କିନ୍ତୁ ପରେ ତିସ୍ତାଙ୍କୁ ଦଣ୍ଡବିଧାନ ହୋଇଛି।
ସେହିପରି ଇଡି କାର୍ଯ୍ୟାନୁଷ୍ଠାନ ଉପରେ ତୀକ୍ଷ୍ନ ପ୍ରତିକ୍ରୀୟା ଦେଇଛନ୍ତି ସିବଲ। ଇଡିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ବେଳେ ସଂସ୍ଥାର ତଦନ୍ତ ଓ ପଦକ୍ଷେପକୁ ସଠିକ କହିଲେ କୋର୍ଟ। କୋର୍ଟଙ୍କ ରାୟ ପରେ ଇଡି ଏକ ତଦନ୍ତକାରୀ ସଂସ୍ଥା ନୁହେଁ ନିଷ୍ପତ୍ତି ଶୁଣାଣକାରୀ ସଂସ୍ଥା ହୋଇଛି। ଇଡି ଯାହାକୁ ଚାହିଁବ ପିଏମଏଲଏରେ ଦୋଷୀ ସାବ୍ୟସ୍ତ କରିବ। ସିବଲ ଆହୁରି କହିଛନ୍ତି, ଆଇପିସିର ସମାନ ଧାରା ନମ୍ବର ପିଏମଏଲଏରେ ମଧ୍ୟ ରହିଛି। କିନ୍ତୁ ତଦନ୍ତକାରୀ ଚାହିଁଲେ ପିଏମଏଲଏ ଧାରା ଆଇପିସି ବଦଳରେ ଲଗାଉଛି। ତେଣୁ ଓକିଲାତିର ୫୦ ବର୍ଷ ପରେ ସୁପ୍ରିମକୋର୍ଟ ଉପରୁ ତାଙ୍କ ଭରସା ଉଠିଯାଇଥିବା ସିବଲ କହିଛନ୍ତି। ଏଥିସହ ସରକାର ପକ୍ଷରେ ସୁପ୍ରିମକୋର୍ଟ ଠିଆହୋଇଥିବା ଅଭିଯୋଗ ଆଣିଛନ୍ତି ସେ। କୋର୍ଟ ହେଉଛି ଏକ ଅନୁଷ୍ଠାନ, ଯେଉଁଠି ବିଚାରପତିଙ୍କୁ ବୁଝାମଣା ଭିତ୍ତିରେ ନିଯୁକ୍ତ କରାଯାଏ। କେଉଁ ମାମଲାର ଶୁଣାଣି ହେବ କେଉଁ ଖଣ୍ଡପୀଠ ଦ୍ବାରା ତାହା ସ୍ଥିର କରିବାକୁ ବ୍ୟବସ୍ଥା ନାହିଁ। ଯେଉଁଠି ସିଜେଆଇ ମାମଲାର ଶୁଣାଣିକୁ ନେଇ ନିଷ୍ପତ୍ତି ନେବେ ସେଠାରେ କୋର୍ଟ ସ୍ବାଧୀନ ହେବା ଅସମ୍ଭବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now