ପନ୍ଦର ଦିନଧରି ଜୀବନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା। ୧୯ ଜୁଲାଇ ଶନିବାର ସକାଳେ ଘଟଣା ଘଟିଥିଲା ଏବଂ ସେଇ ଶନିବାର ୨ ଅଗଷ୍ଟ ଜୀବନ ଚାଲିଗଲା। ଏତେ ବଡ଼ ଘଟଣା ଘଟିଥିଲେ ବି ସରକାର, ପୋଲିସ ପ୍ରଶାସନ କେବଳ ଶୋକ ବାର୍ତ୍ତା ଦେଇ ନିଜର ଦାୟିତ୍ଵ ସାରିଦେଲେ। ଚାରିଥର ବୟାନ ଦେଇଥିବା ପୀଡ଼ିତା ଜଣଙ୍କ ମାନସିକ ସ୍ତରରେ ସକ୍ଷମ ଥିଲେ। ଧୀରେ ଧୀରେ ସୁସ୍ଥ ହେଇ ଆସୁଥିବା ବେଳେ ହଠାତ୍ ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ରାଜ୍ୟବାସୀଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ସମ୍ପୂର୍ଣ୍ଣ ଭାବେ ସରକାରୀ ବ୍ୟବସ୍ଥାଗତ ହତ୍ୟା ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୋନାଲି ସାହୁ, ମଧୁସ୍ମିତା ଆଚାର୍ଯ୍ୟ, ଡ଼ ମନିଶା ଦାସ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ଏବଂ ପ୍ରଣତି ମିଶ୍ର ଅଭିଯୋଗ କରିଥିଲେ।
ମୁଖପାତ୍ର ଶ୍ରୀମତୀ ସାହୁ ୧୯ ଜୁଲାଇ ଶନିବାର ଘଟଣା ଆରମ୍ଭ ଦିନରୁ ଅଗଷ୍ଟ ୨ ବଳଙ୍ଗା ପୀଡ଼ିତା ଶେଷ ନିଃଶ୍ୱାସ ତ୍ୟାଗ କଲା ପର୍ଯ୍ୟନ୍ତ ଘଟଣାକ୍ରମର ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରଦାନ କରିଥିଲେ। ଗୋଟିଏ ପରେ ଗୋଟିଏ ସ୍ପର୍ଶକାତର ଘଟଣା କିପରି ଏବଂ କାହିଁକି ଚପାଇ ଦିଆଯାଉଛି ବୋଲି ସେ ପ୍ରଶ୍ନ ପଚାରିଥିଲେ। ଏତେଥର ପୀଡ଼ିତାଙ୍କ ବୟାନ ରେକର୍ଡ ପରେ ମଧ୍ୟ ପୋଲିସ ଜଣେ ବି ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ନ ପାରିବା ଦୁର୍ଭାଗ୍ୟଜନକ ବୋଲି ସେ ମତପ୍ରକାଶ କରିଥିଲେ। ଘଟଣାର ସଠିକ୍ ତଦନ୍ତ ପାଇଁ ନିମାପଡ଼ା ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାର ଆବଶ୍ୟକତା ରହିଛି ବୋଲି ସେ ଦାବି କରିଥିଲେ । ବାଲେଶ୍ଵରର ସୌମ୍ୟାଶ୍ରୀଙ୍କ ଘଟଣାରେ ଯାହା ଘଟିଥିଲା ସେହି ସମାନ କଥା ବଳଙ୍ଗା ଘଟଣାରେ ଦେଖିବାକୁ ମିଳିବା ସଂଯୋଗ ନା ପ୍ରୟୋଗ ବୋଲି ସେ ପ୍ରଶ୍ନ ଉଠାଇଥିଲେ।
ସେହିପରି ପୋଲିସକୁ ଅଟକାଉଛି କିଏ , ପୋଲିସ କାହାର ଓକିଲାତି କରୁଛି ଏବଂ ପୋଲିସର ରାଜନୈତିକୀକରଣ କାହିଁକି କରାଯାଉଛି ବୋଲି ଦଳର ମୁଖପାତ୍ର ଡ଼ ମନିଷା ଦାସ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ଆହୁରି ମଧ୍ୟ ପୋଲିସର ହଠାତ୍ ଏଭଳି ଟୁଇଟ କରିବା ଏବଂ ଆସ୍ତେ ଆସ୍ତେ ଭଲ ହୋଇ ଆସୁଥିବା ପୀଡ଼ିତାଙ୍କ ହଠାତ୍ ମୃତ୍ୟୁ ମଧ୍ୟ ସନ୍ଦେହଜନକ ବୋଲି ଡ଼ ପଟ୍ଟନାୟକ କହିଥିଲେ । ରାଜ୍ୟବାସୀଙ୍କ ଭାବାବେଗ ସହ ସରକାର ଯେଭଳି ଭାବେ ଖେଳୁଛନ୍ତି , ପୋଲିସକୁ ଆୟୁଧ କରି ଯେଉଁ ରାଜନୈତିକ ନାଟକ ରଚୁଛନ୍ତି, ତାକୁ ଆମେ ନୀରବରେ ସହିଯିବା ସରକାର ନ ଭାବିବାକୁ ସେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ସରକାର ହେବାର ବର୍ଷେ ପୂରିଗଲାଣି । ତଥାପି ରାଜ୍ୟ ମହିଳା କମିଶନ ପଦବୀ ଖାଲି ରହିବା ସରକାରଙ୍କ ଅପାରଗତାକୁ ଦର୍ଶାଉଛି ବୋଲି ସେ କହିଥିଲେ।
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଯିଏ କି ଜଣେ ମହିଳା ଏବଂ ପୀଡ଼ିତା ତାଙ୍କ ନିଜ ଅଞ୍ଚଳର ହୋଇଥିଲେ ମଧ୍ୟ ତାଙ୍କ ଭୂମିକା ଅନେକ ସନ୍ଦେହଜନକ ବୋଲି ଦଳର ଅନ୍ୟତମ ମୁଖପାତ୍ର ଜୟଶ୍ରୀ ପାତ୍ର ପ୍ରକାଶ କରିଥିଲେ। ଯେଉଁମାନେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ, ଉପମୁଖ୍ୟମନ୍ତ୍ରୀ ମ୍ୟାଡମ୍ କଣ ସତରେ ସେମାନଙ୍କୁ ଜାଣନ୍ତି ନାହିଁ କି ବୋଲି ସେ ପ୍ରଶ୍ନ କରିଥିଲେ। ଆହୁରି ମଧ୍ୟ ସେ ପଚାରିଥିଲେ ମାଡମ୍ ସାଙ୍ଗରେ ଦିଲ୍ଲୀ ଏମ୍ସ ଯାଇଥିବା ଏବଂ ସାମାଜିକ ଗଣମାଧ୍ୟମରେ ତାଙ୍କ ସହ ଘୁରି ବୁଲୁଥିବା ଫଟୋରେ ବାୟାବରର ସେ ଯୁବକ ଜଣକ କିଏ ଏବଂ ସିଏ କାହିଁକି ପୀଡ଼ିତାଙ୍କ ସମ୍ପର୍କୀୟଙ୍କୁ ଗଣମାଧ୍ୟମରେ ବିବୃତି ଦେବାକୁ ବାରଣ କରୁଥିଲେ ? ଉପମୁଖ୍ୟମନ୍ତ୍ରୀ ଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କରିଥିଲେ।
ଅନୁରୂପ ଭାବେ ପୀଡ଼ିତାଙ୍କ ବାପା ପ୍ରଥମେ ଯେଉଁ ବୟାନ ଦେଇଥିଲେ ଆଉ ଏବେ ପୀଡ଼ିତାଙ୍କ ମୃତ୍ୟୁ ପରେ ଯେଉଁ ବୟାନ ଦେଇଛନ୍ତି ତା ମଧ୍ୟରେ ଅନେକ ଫରକ୍ ଦେଖାଯାଉଛି ବୋଲି ପିସିସି ଗଣମାଧ୍ୟମ ସଦସ୍ୟା ମଧୁସ୍ମିତା ଆଚାର୍ଯ୍ୟ ମତପ୍ରକାଶ କରିଥିଲେ। ପୀଡ଼ିତାଙ୍କ ବାପା ନିଜ ଝିଅର ମାନସିକ ଅବସ୍ଥା ଭଲ ନଥିବା କଥା କହିବା ଏବଂ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ସନ୍ତୋଷ ପ୍ରକାଶ କରିବା ଅନେକ ସନ୍ଦେହ ସୃଷ୍ଟି କରୁଛି ବୋଲି ସେ କହିଥିଲେ।
ମହିଳା କଂଗ୍ରେସର ବରିଷ୍ଠ ସଦସ୍ୟା ପ୍ରଣତି ମିଶ୍ର ଆଗାମୀ ଦିନରେ ମହିଳା କଂଗେସ ରାଜରାସ୍ତାରେ ଏହାର ଉଚିତ୍ ଜବାବ ଦେବ ବୋଲି ପ୍ରକାଶ କରିଥିଲେ। ସାତ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ ନ କଲେ ଡିଜିପି ଅଫିସ ଘେରାଉ କରାଯିବ ବୋଲି ସେ ସରକାରଙ୍କୁ ଚେତାବନୀ ଦେଇଥିଲେ।
ପୋଲିସ ବିଭାଗର ତଦନ୍ତର ବିଭିନ୍ନ ଦିଗକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା କାରଣରୁ ମୁଖ୍ୟମନ୍ତ୍ରୀ ଯିଏ କି ଗୃହ ବିଭାଗରେ ଦାଇତ୍ୱରେ ଅଛନ୍ତି, ସେ ମଧ୍ୟ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now