ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ

ଭୁବନେଶ୍ବର: ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତାକ୍ରମରେ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ୨ ଜଣଙ୍କୁ ଚାକିରିରୁ ବହିଷ୍କାର ଓ ଅନ୍ୟ ୨ ଜଣଙ୍କ ପେନ୍‌ସନ୍ ସ୍ଥାୟୀଭାବେ ସ୍ଥଗିତ କରାଯାଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ, ଯଥା – ଜଣେ ସୁପରିନ୍‌ଟେଣ୍ଡିଂ ଇଞ୍ଜିନିୟର, ୨ ଜଣ ଏକଜିକ୍ୟୁଟିଭ ଇଞ୍ଜିନିୟର, ୨ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଜୁନିଅର ଇଞ୍ଜିନିୟର, ଜଣେ ଓ.ଏ.ଏସ୍ ଅଧିକାରୀ, ଜଣେ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଏବଂ ଜଣେ ସାମାଜିକ ଶିକ୍ଷା ଅଧିକାରୀ ଅନ୍ତର୍ଭୁକ୍ତ। ପୂର୍ବରୁ ୧୬୪ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ, ଏହି ୯ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୭୩ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଚାକିରୀରୁ ବହିଷ୍କୃତ ହୋଇଥିବା ୫ ଜଣ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ମାଲକାନଗିରିର ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ର ପୂର୍ବତନ ସୁପରିଟେଣ୍ଡିଂ ଇଞ୍ଜିନିୟର ଆଶିଷ କୁମାର ଦାଶ। କଣ୍ଟ୍ରାକ୍‌ଟର ମାନଙ୍କ ଠାରୁ ଅସତ୍ ଉପାୟରେ ୧୦.୨୩ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ସେ ଭିଜିଲାନ୍‌ସ ଦ୍ବାରା ଧରା ପଡିଥିଲେ। ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସେହିପରି ଭଦ୍ରକ ଗ୍ରାମ୍ୟ ଉନ୍ନୟନ ଡିଭିଡନ-୧ର ପୂର୍ବତନ ଏକ୍‌ଜ୍ୟୁକିଟିଭ ଇଞ୍ଜିନିୟର ମାନସ ରଂଜନ ମହାନ୍ତି ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ । କଟକ ଗଣ୍ଡରପୁର ଡ୍ରେନେଜ୍ ଡିଭିଜନର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ମନୋଜ କୁମାର ବେହେରା ଓ ତାଙ୍କ ପତ୍ନୀଙ୍କ ନାମରେ ୪.୨୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଆୟବହିର୍ଭୁତ ସଂପତ୍ତି ଥିବା ଅଭିଯୋଗରେ ଭିଜିଲାସନ୍ ମାମଲା ଚାଲିଥିଲା ।

କେନ୍ଦୁଝର ଜିଲ୍ଲା ସାଳପଡାସ୍ଥିତ ବୈତରଣୀ ଜଳସେଚନ ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ଉମେଶ କୁମାର ଶାଶିନୀଙ୍କ ବିରୁଦ୍ଧରେ ୧.୪୨ କୋଟି ଟଙ୍କାରୁ ଅଧିକ ଟଙ୍କାର ଆୟବହିର୍ଭୁତ ସଂପତ୍ତି ଥିବା ଅଭିଯୋଗରେ ଦୁର୍ନୀତି ମାମଲା ରହିଛି । ଉମରକୋଟ ସଡକ ଓ କୋଠାବାଡିର ଆସିଷ୍ଟାଣ୍ଟ ଇଞ୍ଜିନିୟର ବିଶୁଦ୍ଧାନନ୍ଦ ବେହେରାଙ୍କ ନାମରେ ନିମ୍ନମାନର କାମ କରିବାର ଅଭିଯୋଗ ଥିଲା। ଏହାସହିତ ତାଙ୍କ ନାମରେ ୭୦.୯୩ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଥିବା ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲ ରହିଛି। ଅସାଧୁ କାର୍ଯ୍ୟରେ ଲିପ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ପାରଳାଖେମୁଣ୍ଡିର ଅବସରପ୍ରାପ୍ତ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଜଳଧର ମଲ୍ଲିକ, ବାଲେଶ୍ବର ଜିଲ୍ଲାରେ ଡେପୁଟି କଲେକ୍ଟର ଥିବା ଓ ମୟୁରଭଂଜ ଜିଲ୍ଲାର ସାମାଖୁଣ୍ଟା ବ୍ଲକ୍‌ର ପୂର୍ବତନ ତହସିଲଦାର ଓ.ଏ.ଏସ ଅଧିକାରୀ ସବିତା ସାହୁଙ୍କୁ ଅସାଧୁତା କାରଣରୁ ଚାକିରୀରୁ ବହିଷ୍କାର କରାଯାଇଛି। ବଲାଙ୍ଗୀର ଜିଲ୍ଲାର ପୂର୍ବତନ ସାମାଜିକ ଶିକ୍ଷା ସଂଗଠକ ପ୍ରଭାସିନୀ ବାବୁଙ୍କୁ ମଧ୍ୟ ଚାକିରୀରୁ ବହିଷ୍କାର କରାଯାଇଛି।

ଗଞ୍ଜାମ ଜିଲ୍ଲା ରୁରାଲ ୱାର୍କ୍ସ ଡିଭିଜନ-୨ର ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ପୂର୍ବତନ ଜୁନିଅର ଇଞ୍ଜିନିୟର ତ୍ରିନାଥ ସେଠୀଙ୍କ ପେନ୍‌ସନ୍‌କୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୭୩ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି କିମ୍ବା ପେନ୍‌ସନକୁ ସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *