ଆଜି ଜଗତଜନନୀ ମା ବିରଜାଙ୍କ ମହାଷ୍ଟମୀ ପୂଜା। ଏଥିପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ ହୋଇଉଠିଛି ଚଳଚଞ୍ଚଳ। ବଧୂବେଶରେ ସଜେଇ ହୋଇଛି ମନ୍ଦିର। ମାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଆଗ୍ରହ। ଆଜି ମହାଷ୍ଟମୀରେ ମାଙ୍କ ମୁଖ ଦର୍ଶନ ଓ ପାଦସ୍ପର୍ଶ କରିବା ପାଇଁ ମନ୍ଦିର ପରିସରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି। ନବରାତ୍ର ଚାଲିଥିବା ସମୟରେ ବର୍ଷରେ ଥରେ ସିଂହାସନରେ ମାଙ୍କ ଗର୍ଭଗୃହକୁ ଯାଇ ଏଭଳି ଅପୂର୍ବ ସୁଯୋଗ ପାଇଥାନ୍ତି ଶ୍ରଦ୍ଧାଳୁ। ସାରା ଦେଶରେ ରହିଥିବା ୫୧ଟି ଶକ୍ତିପୀଠ ମଧ୍ୟରୁ ଯାଜପୁରର ବିରଜା ଶକ୍ତୀପୀଠରେ ରହିଛି ଏଭଳି କିଛି ସ୍ୱତନ୍ତ୍ର ପରମ୍ପରା ।ଏଠାରେ ମା ବିରଜା ଏକମାତ୍ର ଦ୍ୱିଭୂଜା ଦେବୀ ଭାବେ ପୂଜା ପାଇଥାନ୍ତି। ତା ସହିତ ପ୍ରତିଦିନ ଅପରାହ୍ନରେ ମାଙ୍କ ନବଦିନାତ୍ନକ ରଥଯାତ୍ରାର ଆୟୋଜନ କରାଯାଉଛି। ଯାହାକୁ ନେଇ ଦେଖିବାକୁ ମିଳେ ଭକ୍ତଙ୍କ ମନରେ ଉତ୍ସାହ ଓ ହୃଦୟରେ ଆବେଗ। ଯାହା ଭାଷାରେ ଅବର୍ଣ୍ଣନୀୟ।
ନବରାତ୍ରରେ ମାଙ୍କୁ ପବିତ୍ର ବୈତରଣୀ ନଦୀର ଜଳରେ ସ୍ନାନ କରାଯାଇଥାଏ। ସକାଳୁ ମାଙ୍କ ମୁଖଦର୍ଶନ ପରେ ମାଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥାଏ ଓ ରାତ୍ର ରେ ସନ୍ଧି ପୂଜା ହୋଇଥାଏ । ଆଜି ମାଙ୍କ ନିକଟ ରେ ଶୋଳ କଳସ ମଧ୍ୟରୁ ଶେଷ କଳସ ସ୍ଥାପନ କରାଯାଇଥାଏ। ଅପରାହ୍ନରେ ମାଙ୍କ ରଥଯାତ୍ରା ଦେଖିବାକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ଚଳିତ ରଥଯାତ୍ରା ଓ ମାଙ୍କ ଦର୍ଶନ ଶାନ୍ତିଶୃଙ୍ଖଳା ଭାବେ ସମାପନ କରିବା ପାଇଁ ମନ୍ଦିର ପ୍ରଶାସନ, ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ପୀଠରେ ମାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖିବାକୁ ମିଳିଛି। ମାଙ୍କ ପୀଠରେ ଆସନ୍ତାକାଲି ହେବ ମହାନବମୀ ପୂଜା ଏବଂ ଆସନ୍ତା ଶନିବାର ଅନୁଷ୍ଠିତ ହେବ ଦଶହରା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now