ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ଲଢ଼ୁଆ ରାଫେଲ ବିମାନ ଉଡ଼ାଇଲେ ଦ୍ରୌପଦୀ ମୁର୍ମୁ। ହରିଆଣାର ଅମ୍ୱାଲା ଏୟାରବେସରୁ ଉଡ଼ାଣ ଭରିଥିଲେ ସେ। ଏହା ପୂର୍ବରୁ ସୁଖୋଇ-୩୦ ବିମାନରେ ବି ଉଡ଼ାଣ ଭରିଥିଲେ ରାଷ୍ଟ୍ରପତି ମୁର୍ମୁ। ଏପ୍ରିଲ ୮, ୨୦୨୩ରେ ଆସାମର ତେଜପୁର ଏୟାରବେସରେ ସୁଖୋଇ-୩୦ ଲଢ଼ୁଆ ବିମାନରେ ଉଡ଼ାଣ ଭରିଥିଲେ ମହାମହିମ ରାଷ୍ଟ୍ରପତି। ଏହା ପୂର୍ବରୁ ଦିବଂଗତ ରାଷ୍ଟ୍ରପତି ଏପିଜେ ଅବଦ୍ଦୁଲ କଲାମ ଜୁନ୍ ୮, ୨୦୦୬ରେ ଓ ନଭେମ୍ୱର ୨୫, ୨୦୦୯ରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ପୁନେ ପାଖରେ ଥିବା ଲୋହେଗାଁଓ ବାୟୁସେନାର ଷ୍ଟେସନରୁ ସୁଖୋଇ-୩୦ ଏମକେଆଇ ଲଢ଼ୁଆ ବିମାନରେ ଉଡ଼ାଣ ଭରିଥିଲେ। ରାଷ୍ଟ୍ରପତି ମୁର୍ମୁ ଯେଉଁ ରାଫେଲରେ ଉଡ଼ାଣ ଭରିଛନ୍ତି। ତାହା ଫ୍ରାନ୍ସର ଏୟାରସ୍ପେଶ କମ୍ପାନୀ ଦାସୌ ଆଭିଏସନ ଦ୍ୱାରା ନିର୍ମିତ। ରାଫେଲ ଲଢ଼ୁଆ ବିମାନକୁ ସେପ୍ଟେମ୍ୱର ୨୦୨୦ରେ ଅମ୍ୱାଲାରେ ଥିବା ବାୟୁସେନାରେ ସାମିଲ୍ କରାଯାଇଥିଲା। ଅପରେସନ ସିନ୍ଦୂର ବେଳେ ରାଫେଲକୁ ବ୍ୟବହାର କରିଥିଲା ବାୟୁସେନା। ଏୟାରବେସରେ ପହଞ୍ଚିବା ପରେ ରାଷ୍ଟ୍ରପତି ମୁର୍ମୁଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ସେଠାରେ ଏୟାରଚିଫ୍ ମାର୍ସାଲ ଅମରପ୍ରୀତ ସିଂ ତାଙ୍କୁ ସ୍ୱାଗତ କରିଥିଲେ। ଉଡ଼ାଣ ଭରିବା ପୂର୍ବରୁ ରାଫେଲ ବିମାନର ଟେକ୍ନିକ, ତାକୁ ଚଳାଇବାର ଉପାୟ ଓ ସୁରକ୍ଷା ସମ୍ପର୍କିତ ସମସ୍ତ କଥା ବୁଝିଥିଲେ ରାଷ୍ଟ୍ରପତି। ଭାରତୀୟ ସଶସ୍ତ୍ର ବାହିନୀର ସୁପ୍ରିମ କମାଣ୍ଡର ହେଉଛନ୍ତି ରାଷ୍ଟ୍ରପତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now