ମାଲକାନଗିରି: ଶିକ୍ଷାର ବିକାଶ ଲାଗି ଆଶ୍ରମ ବିଦ୍ୟାଳୟଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ତେବେ ମାଲକାନଗିରି ଜିଲ୍ଲାରେ ଥମୁନି ଆଶ୍ରମ ବିଦ୍ୟାଳୟ ର ସମସ୍ୟା । କେତେବେଳେ ଆଶ୍ରମ ବିଦ୍ୟାଳୟ ରେ କର୍ତୁପକ୍ଷଙ୍କ ଅବହେଳା ଯୋଗୁଁ ଶିଶୁ ମୃତ୍ୟୁ ଘଟୁଛି ତ ଆଉ କେତେବେଳେ ଆଶ୍ରମ ବିଦ୍ୟାଳୟରେ ଛାତ୍ରୀ ଗର୍ଭବତୀ ହେବା ଚିତ୍ର ସାମ୍ନାକୁ ଆସୁଛି । ତେବେ ଆଜି ମାରିବାଡା ଆଶ୍ରମ ସ୍କୁଲ ରେ ହେଉଥିବା ବିଭିନ୍ନ ସମସ୍ୟା ନେଇ ହଷ୍ଟେଲ ପାଚେରୀ ଡେଇଁ ଜିଲ୍ଲାପାଳଙ୍କୁ ଜଣେଇବା ପାଇଁ ଆସିଥିଲେ ୧୫ ରୁ ଉର୍ଦ୍ଧ୍ୱ ଛାତ୍ର।
ଗଲା ସପ୍ତାହକ ଭିତରେ ବିଭିନ୍ନ ସେବାଶ୍ରମ ଓ ସ୍କୁଲର ଦାୟିତ୍ୱହୀନତାର ଚିତ୍ର ମାଲକାନଗିରିରୁ ଆସିଛି। ପାଣ୍ଡ୍ରିପାଣି ସ୍କୁଲର ଛାତ୍ର ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଲାଗି ମୃତ୍ୟୁମୁଖରେ ପଡିଲେ ତ ପଡ଼ିଆ କୋଲଗଣ୍ଡା ଆଶ୍ରମ ସ୍କୁଲରେ ଅଜଣା ରୋଗରେ ୨ ଛାତ୍ରଙ୍କ ଜୀବନ ଯାଇଥିବା ବେଳେ ୨୫ରୁ ଅଧିକ ଛାତ୍ର ଅସୁସ୍ଥ ହୋଇଥିଲେ। ଆଉ ଆଜି ମାରିବାଡ଼ା ଆଶ୍ରମ ସ୍କୁଲର ୧୫ରୁ ଉର୍ଦ୍ଧ୍ୱ ଛାତ୍ର ହଷ୍ଟେଲରେ ହେଉଥିବା ବିଭିନ୍ନ ଅନିୟମିତତା ଓ କେଳେଙ୍କାରୀ ବାବଦରେ ଅବଗତ କରାଇବାକୁ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିବା ଚର୍ଚ୍ଚାର ବିଷୟ ସାଜିଛି। ସଠିକ୍ ଭାବେ ଖାଇବାକୁ ଦିଆଯାଉନଥିଲା ବେଳେ ଚାଉଳ ବିକ୍ରି ହେଉଛି। ଓ୍ୱାଡେନଙ୍କ ଛୋଟ ପିଲାକୁ ନ ଧରିଲେ ଶୁଣିବାକୁ ପଡ଼ୁଛି ଗାଳି। ଏପରିକି ସ୍କୁଲ ପରିସରରେ ଥିବା ନାଳ ସଫା ଭଳି ଅନେକ କାମ କରିବାକୁ ବାଧ୍ୟ କରାଯାଉଥିବା ଭଳି ଲମ୍ୱା ଅଭିଯୋଗ ନେଇ ଆସିଥିଲେ ପିଲାଏ।
ତେବେ ରାତି ୪ ଟା ରୁ ସ୍କୁଲ ପାଚେରୀ ଡେଇଁ ଜିଲ୍ଲାପାଳଙ୍କୁ ମିଶିବା ପାଇଁ ଆସିଥିଲେ ଛାତ୍ର। ଜିଲ୍ଲାପାଳଙ୍କୁ ମିଶିବା ପୂର୍ବରୁ DWO ଓ PA ITDA ସେହି ଛାତ୍ର ମାନଙ୍କୁ ନିଜ ଅଫିସ କୁ ନେଇ ସେମାନଙ୍କ ଅଭିଯୋଗ ଶୁଣିଥିଲେ । ତେବେ ଏହି ସବୁ ସମସ୍ୟା ସମ୍ବନ୍ଧରେ DWO ଓ PA ITDA ଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି ।
ଦେଖିବାର କଥା, ଜିଲ୍ଲାପାଳଙ୍କୁ ଭେଟିବାକୁ ନ ଦେଇ ଉଭୟ ଅଧିକାରୀ ପିଲାଙ୍କ କଥା ତ ଶୁଣିଲେ। ଆଉ ସମାଧାନ ଲାଗି ଆଶ୍ୱସ୍ତି ବି ଦେଲେ। କିନ୍ତୁ ପିଲାଙ୍କ ସମସ୍ୟା ଦୂର ହେବ କେବେ।
ସନ୍ତୋଷ ନାଗଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now