ଓଡ଼ିଶା

କେବେ ଦୂର ହେବ ଆଶ୍ରମ ସ୍କୁଲ ସମସ୍ୟା

ମାଲକାନଗିରି: ଶିକ୍ଷାର ବିକାଶ ଲାଗି ଆଶ୍ରମ ବିଦ୍ୟାଳୟଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ତେବେ ମାଲକାନଗିରି ଜିଲ୍ଲାରେ ଥମୁନି ଆଶ୍ରମ ବିଦ୍ୟାଳୟ ର ସମସ୍ୟା । କେତେବେଳେ ଆଶ୍ରମ ବିଦ୍ୟାଳୟ ରେ କର୍ତୁପକ୍ଷଙ୍କ ଅବହେଳା ଯୋଗୁଁ ଶିଶୁ ମୃତ୍ୟୁ ଘଟୁଛି ତ  ଆଉ କେତେବେଳେ ଆଶ୍ରମ ବିଦ୍ୟାଳୟରେ ଛାତ୍ରୀ ଗର୍ଭବତୀ ହେବା ଚିତ୍ର ସାମ୍ନାକୁ ଆସୁଛି । ତେବେ ଆଜି ମାରିବାଡା ଆଶ୍ରମ ସ୍କୁଲ ରେ ହେଉଥିବା ବିଭିନ୍ନ ସମସ୍ୟା ନେଇ ହଷ୍ଟେଲ ପାଚେରୀ ଡେଇଁ ଜିଲ୍ଲାପାଳଙ୍କୁ ଜଣେଇବା ପାଇଁ ଆସିଥିଲେ ୧୫ ରୁ ଉର୍ଦ୍ଧ୍ୱ ଛାତ୍ର।

ଗଲା ସପ୍ତାହକ ଭିତରେ ବିଭିନ୍ନ ସେବାଶ୍ରମ ଓ ସ୍କୁଲର ଦାୟିତ୍ୱହୀନତାର ଚିତ୍ର ମାଲକାନଗିରିରୁ ଆସିଛି। ପାଣ୍ଡ୍ରିପାଣି ସ୍କୁଲର ଛାତ୍ର ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଲାଗି ମୃତ୍ୟୁମୁଖରେ ପଡିଲେ ତ ପଡ଼ିଆ କୋଲଗଣ୍ଡା ଆଶ୍ରମ ସ୍କୁଲରେ ଅଜଣା ରୋଗରେ ୨ ଛାତ୍ରଙ୍କ ଜୀବନ ଯାଇଥିବା ବେଳେ ୨୫ରୁ ଅଧିକ ଛାତ୍ର ଅସୁସ୍ଥ ହୋଇଥିଲେ।  ଆଉ ଆଜି ମାରିବାଡ଼ା ଆଶ୍ରମ ସ୍କୁଲର ୧୫ରୁ ଉର୍ଦ୍ଧ୍ୱ ଛାତ୍ର ହଷ୍ଟେଲରେ ହେଉଥିବା ବିଭିନ୍ନ ଅନିୟମିତତା ଓ କେଳେଙ୍କାରୀ ବାବଦରେ ଅବଗତ କରାଇବାକୁ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିବା ଚର୍ଚ୍ଚାର ବିଷୟ ସାଜିଛି। ସଠିକ୍ ଭାବେ ଖାଇବାକୁ ଦିଆଯାଉନଥିଲା ବେଳେ ଚାଉଳ ବିକ୍ରି ହେଉଛି। ଓ୍ୱାଡେନଙ୍କ ଛୋଟ ପିଲାକୁ ନ ଧରିଲେ ଶୁଣିବାକୁ ପଡ଼ୁଛି ଗାଳି। ଏପରିକି ସ୍କୁଲ ପରିସରରେ ଥିବା ନାଳ ସଫା ଭଳି ଅନେକ କାମ କରିବାକୁ ବାଧ୍ୟ କରାଯାଉଥିବା ଭଳି ଲମ୍ୱା ଅଭିଯୋଗ ନେଇ ଆସିଥିଲେ ପିଲାଏ।

ତେବେ ରାତି ୪ ଟା ରୁ ସ୍କୁଲ ପାଚେରୀ ଡେଇଁ ଜିଲ୍ଲାପାଳଙ୍କୁ ମିଶିବା ପାଇଁ ଆସିଥିଲେ ଛାତ୍ର। ଜିଲ୍ଲାପାଳଙ୍କୁ ମିଶିବା ପୂର୍ବରୁ DWO ଓ PA ITDA ସେହି ଛାତ୍ର ମାନଙ୍କୁ ନିଜ ଅଫିସ କୁ ନେଇ ସେମାନଙ୍କ ଅଭିଯୋଗ ଶୁଣିଥିଲେ । ତେବେ ଏହି ସବୁ ସମସ୍ୟା ସମ୍ବନ୍ଧରେ DWO ଓ PA ITDA ଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ଦେଖିବାର କଥା, ଜିଲ୍ଲାପାଳଙ୍କୁ ଭେଟିବାକୁ ନ ଦେଇ ଉଭୟ ଅଧିକାରୀ ପିଲାଙ୍କ କଥା ତ ଶୁଣିଲେ। ଆଉ ସମାଧାନ ଲାଗି ଆଶ୍ୱସ୍ତି ବି ଦେଲେ। କିନ୍ତୁ ପିଲାଙ୍କ ସମସ୍ୟା ଦୂର ହେବ କେବେ।

ସନ୍ତୋଷ ନାଗଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button