୪୧୫ ଛାତ୍ରଛାତ୍ରୀଙ୍କୁ ୫ ଶିକ୍ଷକ: ସ୍କୁଲରେ ତାଲା ପକାଇଲେ ଅଭିଭାବକ

ଉମରକୋଟ: ରାଜ୍ୟ ଓ କେନ୍ଦ୍ର ସରକାର ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଉମରକୋଟ ବ୍ଳକ ତେଲଗା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷକ ନଥିବା ସହ ବିପଦଶଙ୍କୁଳ ଅବସ୍ଥାରେ ପଡିରହିଛି ଶ୍ରେଣୀଗୃହ। ଫଳରେ ବାଧ୍ୟ ହୋଇ ସ୍କୁଲ ଗେଟରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ।

ଉମରକୋଟ ବ୍ଲକ ନେହୁରା ପଞ୍ଚାୟତ ତେଲଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ। ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୪୧୫ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ  ପଢାଇବା ପାଇଁ ଅଛନ୍ତି ମାତ୍ର ୫ ଜଣ ଶିକ୍ଷକ। ବିଦ୍ୟାଳୟ ପାଇଁ ଆବଶ୍ୟକ ଶିକ୍ଷକ ନଥିବା ବେଳେ  ଅର୍ଦ୍ଧନିର୍ମିତ ଶ୍ରେଣୀଗୃହର କାମ ସଂପୂର୍ଣ୍ଣ ଏବଂ ଅଧିକ ଶ୍ରେଣୀଗୃହ ନିର୍ମାଣ ଦାବି ନେଇ ବିଦ୍ୟାଳୟ ଫାଟକରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟରେ କେଉଁଠି ଛାତରୁ ସିମେଣ୍ଟ ଖସିଛି ତ ଆଉ କେଉଁଠି କାନ୍ଥରୁ ସିମେଣ୍ଟ ଛାଡ଼ିଛି ତ ଆଉ କେଉଁଠି ଶ୍ରେଣୀ ଗୃହରେ ଝରକା କି କବାଟ ନାହିଁ । ଫଳରେ ବିପଦ ସଙ୍କୁଳ ଅବସ୍ଥାରେ ଗୋଟିଏ ଶ୍ରେଣୀଗୃହରେ ବସି ପାଠ ପଢନ୍ତି ଦୁଇ ଦୁଇଟି ଶ୍ରେଣୀର ପିଲା। ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। 

 ସେପଟେ ବ୍ଲକ ଶିକ୍ଷାଧିକାରୀ ବିକାଶ ଚନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ସିଆରସିସି ସତ୍ୟବ୍ରତ କର ବିଦ୍ୟାଳୟରେ ପହଁଚି ଛାତ୍ରଛାତ୍ରୀ ଏବଂ ଅଭିଭାବକ ସହ ଆଲୋଚନା କରିଥିଲେ। ହେଲେ ଶିକ୍ଷକ ନ ଆସିବା ଯାଏ ବିଦ୍ୟାଳୟର ତାଲା ଖୋଲିବେ ନାହିଁ ବୋଲି କହି ସିଆରସିସିଙ୍କୁ ଅଟକ ରଖିଥିଲେ । ଅନ୍ୟପଟେ ତେଲଗାଁ ହାଇସ୍କୁଲରେ ଶ୍ରେଣୀଗୃହ ଅନୁସାରେ ଶିକ୍ଷକ ଠିକ୍ ଅଛନ୍ତି । ନୂଆ ହାଇସ୍କୁଲ୍ ତିଆରି ସରିଛି  ଆଜି ଦୁଇ ଜଣ ଶିକ୍ଷକଙ୍କୁ ପଠାଯାଇଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା ପରେ ଆଉ ଦୁଇ ଜଣ ଶିକ୍ଷକଙ୍କୁ ପଠାଯିବ ଓ ହାଇସ୍କୁଲ ପାଇଁ ମଧ୍ୟ ଦୁଇ ଶିକ୍ଷକଙ୍କୁ ପଢ଼ାଇବା ପାଇଁ ବ୍ୟବସ୍ଥା କରାଯିବ ।

ଏହି ବିଦ୍ୟାଳୟରେ କୁନିକୁନି ଛାତ୍ରଛାତ୍ରୀଙ୍କୁ ପାଠପଢାରେ କେବେ ମିଳୁଛି ସୁବିଧା ତାକୁ ହିଁ ଅପେକ୍ଷା।  

ସଞ୍ଜିତ କୁମାର ବିଶ୍ଵାସଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *