ଛୁଇଁଦେଲେ ଛୁଆଁ…

ସ୍ୱତନ୍ତ୍ର ରିପୋର୍ଟ: ସୁପ୍ରିୟା ଦାଶ

() ସ୍ଵାଧିନତାର ୭ଦଶନ୍ଧି ପରେ ମଧ୍ୟ ଦଳିତ, ପଛୁଆ ତଥା ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ସୁଧାର ଆସିନାହିଁ । ଶିକ୍ଷା, ସ୍ଵାସ୍ଥ୍ୟ ସବୁଠି ସମସ୍ୟା ରହିଛି ।ସଂରକ୍ଷଣ ଓ ତାକୁ ନେଇ ରାଜନୀତି ଢେର ହୋଇଛି କିନ୍ତୁ ତାଙ୍କ ପ୍ରତିନିଧିତ୍ୱ ସବୁ ସ୍ଥାନରେ ଦୃଶ୍ୟ ମାନ ହୋଇନାହିଁ । ଅବଶ୍ୟ ଛାଇ ପଡ଼ିଲେ ଅଶୁଦ୍ଧ ହୋଇଯିବାର ଧାରଣା ଅନେକ ସ୍ଥାନରେ ଆଉ ନାହିଁ । କିନ୍ତୁ କିଛି ସ୍ଥାନରେ ସେ ଘଟଣା ବି ଜାରି ରହିଛି ।ପଛୁଆ ବା ଦଳିତ ପିଲା ପାଣି ମାଠିଆ ଛୁଇଁ ଦେଲେ ତାକୁ ବାଡେଇ ବାଡେଇ ମାରି ଦିଆଯିବା ଘଟଣା ମଧ୍ୟ ଆଜି ଦିନରେ ଘଟୁଛି । ସରପଞ୍ଚ ଦଳିତ ତେଣୁ ତାଙ୍କୁ ପଞ୍ଚାୟତ ଅଫିସ ଆସିବା ମନା । ଅନ୍ୟମାନଙ୍କ ସହ ଚେୟାରରେ ସମାସ୍କନ୍ଧ ହୋଇ ବସିବା ଆଜି ମଧ୍ୟ ସମ୍ଭବ ନୁହେଁ । ମେଧା ହେଉ ବା ଯୋଗ୍ୟତା ସଂରକ୍ଷଣ ବିନା ଏମାନେ କିଛି ନୁହଁନ୍ତି ବୋଲି ଭାବିବା ଓ ପଛୁଆ ଜାତିଙ୍କ ପାଇଁ ଉଚ୍ଚ ଜାତି ତାଙ୍କ ଭାଗରୁ ବଞ୍ଚିତ ହେବା ଭଳି ଅଭିଯୋଗ ଜାରି ରହିଛି । ଅବଶ୍ୟ ତାରି ମଧ୍ୟରେ ଏକାଠି ଚଳିବା ,କାମ କରିବା ପୂର୍ବାପେକ୍ଷା ବଢିଛି। କିଛିଟା ପରିବର୍ତ୍ତନ ଆସିଛି ।  କିନ୍ତୁ ଦେଶର କିଛି ଅଞ୍ଚଳରେ ଏ ଧାରା ଜାରି ରହିଛି ଓ ତାକୁ ଠିକ୍ ବୋଲି କହି ପ୍ରୋତ୍ସାହନ ଦେବା ଲୋକ ମଧ୍ୟ ଅଛନ୍ତି । ଯେଉଁ ମାନସିକତାର ପରିଣାମ ସ୍ୱରୁପ ଦଳିତ ବା ପଛୁଆ ବର୍ଗର ଶିଶୁ, ମହିଳା, ପୁରୁଷ ସମସ୍ତେ ପ୍ରଭାବିତ ।

() ତେବେ ଅପରାଧ ସହ ଜାତିର କିଛି ସମ୍ପର୍କ ଅଛି କି । ଅପରାଧୀ ଓ ପୀଡ଼ିତା କେଉଁ ଜାତିର ତାହା ଗୁରୁତ୍ଵ ରଖେ କି? ଜାତି, ଅପରାଧର ମାତ୍ରା ତାର ପ୍ରବଣତା ବଢାଏ କି ? ହୁଏତ ଏହାର ଉତ୍ତର ଅନେକଙ୍କ  ପାଇଁ ନା ହୋଇଥାଇ ପାରେ କିନ୍ତୁ ଯଦି ଟିକିଏ ସୂକ୍ଷ୍ମରେ ଏହାକୁ ବିଚାର କରାଯିବ ତେବେ ଜାତିର ପ୍ରଭାବକୁ ଅନୁଭବ ବି କରିହେବ । ଏକଥାକୁ ଉପରୁ ମନା କରୁଥିବା ଲୋକ ମନରୁ ଅସ୍ଵୀକାର କରିପାରିବେନି । ଅଭିଯୋଗ ହୁଏ ଦଳିତ ବା ତଥାକଥିତ ନିଚ୍ଚ ବା ପଛୁଆ ଜାତିର ମହିଳା ଉଚ୍ଚ ଜାତିର ମହିଳାଙ୍କ ତୁଳନାରେ ଅଧିକ ଶୋଷଣ ବା ଯୌନ ଉତ୍ପୀଡ଼ନର ଶିକାର ହୁଅନ୍ତି । ଏହାର ଅର୍ଥ ନୁହେଁ ଯେ ଉଚ୍ଚ ଜାତିର ମହିଳା ବା ଶିଶୁ ଶୋଷଣ ଓ ଉତ୍ପୀଡ଼ନରୁ ମୁକ୍ତ । କିନ୍ତୁ ତୁଳନାତ୍ମକ ଚିତ୍ର କିଛି ଏମିତି କଥା ହିଁ ଦର୍ଶାଏ । ସମାଜରେ ରହି ଆସିଥିବା ଜାତିଆଣ ଢାଞ୍ଚାରେ ଉଚ୍ଚ ଜାତିର ଲୋକ ନୀଚ୍ଚ ଜାତିର ଲୋକଙ୍କୁ ଅତ୍ୟାଚାର କରନ୍ତି । ସେ ବ୍ୟବସ୍ଥା ଆଜି ଯାଏଁ ବଳବତ୍ତର । ସେହି ଅତ୍ୟାଚାରୀ ମାନସିକତା, ସବଳର ଦୁର୍ବଳ ଉପରେ ବ୍ୟଭିଚାର ଓ ଅରାଜକତା ଆଜି ବି ରହିଛି । ସେ ଦୃଷ୍ଟିରୁ ପଛୁଆ ଜାତିର ମହିଳାଙ୍କ ପ୍ରସଙ୍ଗରେ ଆଜି ବି ଅତ୍ୟାଚାରର ପ୍ରଭାବ ବହୁଗୁଣାରେ ଅଧିକ ତାହା ବାରି ହୋଇପଡ଼େ । ଏହାର ମାତ୍ରା ଜାତୀୟ ଅର୍ନ୍ତଜାତୀୟ ରିପୋର୍ଟରେ ପ୍ରତିଫଳିତ।

() ତେବେ ଜାତି ଯନ୍ତ୍ରଣା ବଢାଉଛି । ଏହା ବହୁ ବର୍ଷ ତଳର କଥା ନୁହେଁ । ଆଜି ଦିନର ବାସ୍ତବତା ମଧ୍ୟ । ଯଦି ନିର୍ଯାତନା, ଉତ୍ପୀଡ଼ନ ଓ ମାନବାଧିକାର କ୍ଷୁର୍ଣ୍ଣର ପ୍ରସଙ୍ଗ ଆସିବ ତେବେ ପଛୁଆ ଜାତିର ମହିଳାଙ୍କ ସ୍ଥିତି ଅଧିକ ଉଦବେଗଜନକ ।ଦେଶର ବିଭିନ୍ନ ରାଜ୍ୟରେ ଘଟୁଥିବା ଘଟଣାର ଅନୁଶୀଳନରୁ ଏହା ସ୍ପଷ୍ଟ ଯେ ଜାତି ଧର୍ମ ସହ ଅଘଟଣର ସମ୍ପର୍କ ରହୁଛି । କିନ୍ତୁ ନିର୍ଦ୍ଧିଷ୍ଟ ବର୍ଗର ମହିଳା ଅଧିକ ଶୋଷଣର ଶିକାର ହୁଅନ୍ତି। ଗରିବ,ନୀଚ ଜାତି ତା ସାଙ୍ଗକୁ ମହିଳା ହେବା ସମସ୍ୟା ବଢାଉଛି । ଦଳିତ ମହିଳାଙ୍କ ପାଇଁ ବହୁ ବିଳମ୍ୱରେ ସ୍ଵର ଉତ୍ତୋଳନ କରାଯାଇଛି । ଅଭିଯୋଗ ହୁଏ ଯୌନ ଉତ୍ପୀଡ଼ନକୁ ଅଧିକ ସାମ୍ନା କରନ୍ତି ଦଳିତ ମହିଳା । ଦଳିତ ଅଛୁଆଁ, ଅସ୍ପୃଶ୍ୟ କିନ୍ତୁ ଯୈାନ ଶୋଷଣ ବେଳେ ସହଜ ଶିକାର ସେହିମାନେ ହିଁ ହୋଇଥାନ୍ତି ।ଦେଶର ମହିଳା ଜନସଂଖ୍ୟାର ୧୬% ହେଉଛନ୍ତି ଦଳିତ । ତାର ଅର୍ଥ ଦେଶ ଜନସଂଖ୍ୟାର ପ୍ରାୟ ୮୦ ଲକ୍ଷ ଦଳିତ ମହିଳାଙ୍କ ଜୀବନ ବିପନ୍ନ। ସିଧାସଳଖ କହିବାକୁ ଗଲେ ଏମାନେ ତଥାକଥିତ ଉଚ୍ଚ ଜାତି ଦ୍ଵାରା ଶୋଷଣର ଶିକାର। ତିନି ତିନି ପ୍ରକାରେ ସମସ୍ୟାକୁ ସାମ୍ନା କରୁଛନ୍ତି ଦଳିତ ମହିଳ।  ଲିଙ୍ଗଗତ ସମସ୍ୟା, ଜାତିଆଣ ଭେଦଭାବ, ଆର୍ଥୀକ ଦୂରାବସ୍ଥା ଭଳି ପ୍ରସଙ୍ଗ ତାଙ୍କ ଜୀବନକୁ ବର୍ଷ ବର୍ଷ ଧରି ସଂଘର୍ଷପୂର୍ଣ୍ଣ କରି ରଖିଛି ।ଅନେକଙ୍କ ମତରେ ଉଚ୍ଚ ଜାତିର ମହିଳା ମଧ୍ୟ ଶୋଷଣର ଶିକାର ହୁଅନ୍ତି । କିନ୍ତୁ ସର୍ଭେ କୁହେ ତୁଳନାତ୍ମକ ଭାବେ ଗ୍ରାମୀଣ ଦଳିତ ମହିଳା ଅଧିକ ନିର୍ଯାତନାର ଶିକାର ହୁଅନ୍ତି । ଯେହେତୁ ସମ୍ପତ୍ତି,ସମ୍ପଦା ଓ ସାମାଜିକ ପ୍ରତିପତ୍ତି ପ୍ରାୟ ଉଚ୍ଚ ବର୍ଗ ହାତରେ ତେଣୁ କ୍ଷମତା କଥା କୁହେ ।

  () କୁହାଯାଇଥିଲା ୧୯୮୯ ଆଇନ ଜାତି ଭିତ୍ତିରେ ଶୋଷଣ ବିରୋଧୀ ଏକ ଅସ୍ତ୍ର।କିନ୍ତୁ ଆଇନ ସତ୍ତ୍ୱେ ମଧ୍ୟ ଦଳିତଙ୍କ ବିରୋଧରେ ନିର୍ଯାତନାର ଅନ୍ତ ହୋଇନି। ସୂଚନା କୁହେ ପ୍ରତି ଦିନ ୧୦ ଦଳିତ ଝିଅଙ୍କ ସହ ଦୁଷ୍କର୍ମ ହୁଏ । ଏହା ୨ ବର୍ଷ ତଳର ତଥ୍ୟ ଯାହା ଆଜି ଦିନରେ ବଢିଛି କମିନାହିଁ । ଉତ୍ତରପ୍ରଦେଶ,ରାଜସ୍ଥାନ ଓ ବିହାରରେ ଅର୍ଦ୍ଧାଧିକ ମାମଲା ଦଳିତଙ୍କ ଉପରେ ହିଁ ଘଟେ । ୨୦୦୬ରେ ଦଳିତ ମହିଳାଙ୍କ ଉପରେ ହୋଇଥିବା ସର୍ଭେ ସମାଜର ଅନେକ ବାସ୍ତବତାର ମୁଖ୍ୟା ଖୋଲିଥିଲା । ଯେଉଁ ମଧ୍ୟରେ ରିପୋର୍ଟ କୁହେ, ୫୪% ଶାରୀରିକ ନିର୍ଯାତନା, ୪୬% ଯୌନ ଉତ୍ପୀଡ଼ନ, ୪୩% ପାରିବାରିକ ହିଂସା,୨୩% ଦୁଷ୍କର୍ମ ଏବଂ ୬୨% ମୈାଖିକ ଶୋଷଣର ଶିକାର ହୁଅନ୍ତି ଦଳିତ ମହିଳା। ଦଳିତ ମହିଳା ମଧ୍ୟ ଅତ୍ୟାଚାର ବିରୋଧରେ ସ୍ଵର ଉତ୍ତୋଳନ କରୁଛନ୍ତି । ଅନେକ ସଂଗଠନ ଓ ସାମାଜିକ କର୍ମୀ ସେମାନଙ୍କ ଅଧିକାର ପାଇଁ ଲଢୁଛନ୍ତି । ଅଭିଯୋଗ କରିବା ଓ ଉତ୍ପୀଡ଼ନ ବିରୋଧରେ ଲଢିବା ଆରମ୍ଭ କରିଛନ୍ତି ମହିଳା।

() ଆମେ ଜାଣୁ ଯେ ମାନବାଧିକାର ସୁରକ୍ଷା ସମସ୍ତଙ୍କ ଅଧିକାର । କିନ୍ତୁ ମାନବାଧିକାର ହନନର ବହୁ ପ୍ରାମାଣିକ ତଥ୍ୟ ସବୁ ବେଳେ ସମାଜର ପଛୁଆ ବର୍ଗ ମଧ୍ୟରେ ଅଧିକ ସ୍ପଷ୍ଟ ଦେଖାଯାଏ । ତେଣୁ ଜାତିକୁ ଜାତିଆଣ ଶୋଷଣଠାରୁ ଅଲଗା କରି ଦେଖି ହେବନାହିଁ । କାରଣ ଜାତି ଆଉ ବର୍ଗକୁ ନେଇ ହେଉଥିବା ବିବାଦରେ ଅତ୍ୟନ୍ତ ଜଘନ୍ୟ ପରିଣାମ ହିସାବରେ ଦୁଷ୍କର୍ମ ଭଳି ଘଟଣା ସାମ୍ନାକୁ ଆସେ । ଯଦି ଏହା ସତ୍ୟ ତେବେ ଦେଶର ସମ୍ୱିଧାନ, କଡ଼ା ଆଇନର ଅନୁଶାସନ , ସମାଜର ବଦଳୁଥିବା ସ୍ଵରୁପ, ତଥାକଥିତ ମହିଳାଙ୍କ ସୁରକ୍ଷା ପାଇଁ ଉଦିଷ୍ଟ ଢାଞ୍ଚାଗତ ବ୍ୟବସ୍ଥା ସତ୍ତ୍ୱେ ମଧ୍ୟ କାହିଁକି ପଛୁଆ ଜାତିର ମହିଳା ଅଧିକ ଅସୁରକ୍ଷା ଭିତରକୁ ଠେଲି ହୋଇ ଯାଉଛନ୍ତି। ଏ ଅଭିଯୋଗ ସବୁବେଳେ ରହିଛି । ଯଦି ଏ ଅଭିଯୋଗ ଭିତ୍ତିହୀନ ତେବେ କାହିଁକି ଏମିତି କିଛି କଥା ଅଞ୍ଚଳରୁ ରାଜ୍ୟ, ପୁଣି ରାଜ୍ୟରୁ ଦେଶ ଯାଏଁ ଉଠୁଛି । ଏହା ପଛର ବାସ୍ତବତା କିଛି ଭିନ୍ନ କି ? ଉତ୍ପୀଡ଼ନ ଖବରକୁ ରୋଚକ କରିବାରେ କ’ଣ ଜାତି ଭୂମିକା ନିଏ ନା ଏହାକୁ ପ୍ରସଙ୍ଗ କରି ରାଜନୀତିର ଧ୍ରୁବିକରଣ ହୁଏ । ଏ ପ୍ରସଙ୍ଗ ବହୁବାର ସମାଜରେ ଉଠେ । ଗଣମାଧ୍ୟମରେ ଚର୍ଚ୍ଚା ହୁଏ । ସମସ୍ତେ ଉତ୍ତର ଜାଣନ୍ତି କିନ୍ତୁ ଜାଣି ଅଜଣା ହୁଅନ୍ତି ।

() ତେବେ ଦିନକୁ ଦିନ ସେମାନଙ୍କ ଜୀବନ ଅଧିକ ଆହ୍ୱାନଭରା ହେଉଛି । କିଛି ମହିଳାଙ୍କ ପାଇଁ ଏହା ଅଭିଶାପରୁ କମ୍‌‍ ନୁହେଁ ବୋଲି କୁହାଯାଇପାରେ । କାରଣ ଏଠି କେବଳ ପୁରୁଷଙ୍କ ଦ୍ଵାରା ନୁହେଁ ବରଂ ଜାତିର ଯନ୍ତ୍ରଣା ତାକୁ ବହୁ ଭାବରେ ଭୋଗିବାକୁ ପଡ଼ିପାରେ । ପ୍ରଶ୍ନ ଏମିତି ବି ଉଠିପାରେ କୌଣସି ସବର୍ଣ୍ଣ ମହିଳା ନିଜ ପରିବାରର କୌଣସି ପୁରୁଷ ଯଦି ଦଳିତ ବା ପଛୁଆ ଜାତିର ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ କରିଛନ୍ତି ସେଠି ଉଚ୍ଚ ଜାତିର ମହିଳା ଘଟଣା ବିରୋଧରେ ସ୍ଵର ଉତ୍ତୋଳନ କରନ୍ତି ନା ତାଙ୍କ ପରିବାରର ପୁରୁଷକୁ ସୁରକ୍ଷା ଦିଅନ୍ତି? ଯାହାର ଉତ୍ତର ଖୋଜିବାକୁ ପଡିବନାହିଁ । ଆଖପାଖକୁ ଦୃଷ୍ଟି ଦେଲେ ଜଣାପଡ଼ିବ । ସେଥିପାଇଁ ତ ମହିଳା ମଧ୍ୟ ପଛୁଆ ଜାତିର ମହିଳାଙ୍କ ବିରୋଧରେ ହେଉଥିବା ହିଂସାରେ ଭାଗିଦାରୀ ହୋଇଯାଏ । ଦେଶରେ ମହିଳା ବିରୋଧି ହିଂସାର ସ୍ଥିତି କ’ଣ ତାହା ପ୍ରତି ମୁହୂର୍ତ୍ତରେ ଘଟି ଯାଉଥିବା ଘଟଣାକ୍ରମ ସୂଚାଉଛି । ଏନସିଆରବି ରିପୋର୍ଟ ଓ ସେଥିରେ ଥିବା ବର୍ବର, ଅତିବର୍ବର ପୁଣି ମର୍ମସ୍ପର୍ଶୀ ଘଟଣାର ବର୍ଗୀକରଣର ହିସାବ ଭିତରେ ବହୁ ମହିଳାଙ୍କ ଅସଲ ପୀଡ଼ା ହଜିଯାଏ । ଏ ସମସ୍ୟା ଅବଶ୍ୟ ଜାତି ଭିତରର କଥା ନୁହେଁ । କିନ୍ତୁ ଜାତିଭେଦ ଏ ସମସ୍ୟାକୁ ବଢାଇଛି ନିଶ୍ଚୟଁ । ବହୁ ସଂଗଠନ, ବ୍ୟକ୍ତିବିଶେଷ ଜାତି ଆଳରେ ହେଉଥିବା ଅମାନବୀୟ ଘଟଣା ବିରୋଧରେ ସ୍ଵରଉତ୍ତୋଳନ କରୁଛନ୍ତି କିନ୍ତୁ ଶାସନ, ପ୍ରଶାସନ ଏଯାଏଁ ଜବାବଦେହୀ ହୋଇନାହିଁ । ସେଥିପାଇଁତ ପ୍ରତିବର୍ଷ ବଢୁଛି ହିଂସାର ପରିସଂଖ୍ୟାନ । ଦେଶର ସମ୍ୱିଧାନ ଓ ଆଇନକୁ ଅକାମି କରି ଅପରାଧୀ ବଳ ଦେଖାଉଛନ୍ତି ଆଉ ଦୁର୍ବଳ ଅପେକ୍ଷା କରିଛି ସମ୍ୱେଦନହୀନ ସମାଜର ସମ୍ୱେଦନଶୀଳତାକୁ । ଏ ସମୟ ବଦଳିବ ଯେବେ ଆମେ ସମସ୍ତେ ଏକ ହେବା । ଜାତି, ଧର୍ମ, ସମ୍ପ୍ରଦାୟ ଓ ଲିଙ୍ଗ ନିର୍ବିଶେଷରେ ଜଣେ ଅନ୍ୟଜଣଙ୍କୁ କେବଳ ମଣିଷ ଭାବିବା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *