ଦିଲ୍ଲୀ ବିମାନବନ୍ଦର ଛାତ ଭୁଶୁଡିବା ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

Spread the love

ଦିଲ୍ଲୀ ବିମାନବନ୍ଦର ଛାତ ଭୁଶୁଡିବା ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି। ସଦ୍ୟତମ ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଏକାଧିକ ଆହତଙ୍କ ଚିକିତ୍ସା ଚାଲିଛି। ସେପଟେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜାରାପୁ ମୃତକ ଓ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି।

ବିମାନବନ୍ଦରରେ ଏହି ଦୁର୍ଘଟଣାର ପ୍ରତିକ୍ରିୟା ରଖି ମନ୍ତ୍ରୀ ରାମ ମୋହନ କହିଛନ୍ତି ଯେ, ସେ ବିମାନବନ୍ଦର ସିଲିଂ ଭୁଶୁଡିବା ଘଟଣାର ମନିଟରିଂ କରିଛନ୍ତି। ଯାତ୍ରୀମାନଙ୍କୁ ସୁରକ୍ଷା ଯୋଗାଇବା ଆମ ପ୍ରଥମ ପ୍ରାଥମିକତା। ଅନ୍ୟ ଟର୍ମିନାଲରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି।ଏଥିସହ ସେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିବା ସହ ଆହତଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

ଦିଲ୍ଲୀରେ ପ୍ରବଳ ବର୍ଷା କାରଣରୁ ସବୁଠି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ରାତିରୁ ବର୍ଷା ଲାଗି କରହିବାରୁ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟର ଏକ ନଂ ଟର୍ମିନାଲ୍ ଛାତ ଭୁଶୁଡ଼ି ପଡ଼ିଥିଲା। ଫଳରେ ତଳେ ଥିବା ଏକାଧିକ କାର୍ ଉପରେ ପଡ଼ିଥିଲା ସିଲିଂର ଭଗ୍ନାବେଶ।

ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ କରାଯାଇଥିଲା। ଦିନ ୧୧ଟା ଖବର ସୁଦ୍ଧା ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି।

ଏହାକୁ ଦୃଷ୍ଟିରେ ରଖି ଟର୍ମିନାଲରେ ସମସ୍ତ ପ୍ରସ୍ଥାନ ଗେଟକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏଥିସହ ଚେକ୍ ଇନ୍ କାଉଣ୍ଟରକୁ ମଧ୍ୟ ବନ୍ଦ ରଖାଯାଇ ଥିବାବେଳେ ମଧ୍ୟରାତ୍ରିରୁ ୧୬ଟି ଅବତରଣ କରିବାକୁ ଥିବା ବିମାନ ଏବଂ ୧୨ଟି ଉଡ଼ାଣ କରିବାକୁ ଥିବା ବିମାନ ବାତିଲ କରାଯାଇଛି।

Leave a Reply

Your email address will not be published. Required fields are marked *