ବିଦ୍ୟୁତ ସଂସ୍ପର୍ଶରେ ଆସି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
ଗତକାଲି ସକାଳେ ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକର ଜୟପୁର ଗ୍ରାମର ଜଣେ ବ୍ୟକ୍ତି ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ମୃତକଙ୍କ ନାମ ହେଉଛି ଲକ୍ଷ୍ମୀଧର ବାରିକ ବୟସ ୫୫ ବର୍ଷ ହୋଇଥିବା ବେଳେ ତାଙ୍କ ପତ୍ନୀ ବାସନ୍ତି ବାରିକ ବୟସ ୫୦, ସେ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଲକ୍ଷ୍ମୀଧର ମୂଷାଙ୍କୁ ମାରିବା ପାଇଁ ଘରର ଚଟାଣରେ ଏକ ବିଦ୍ୟୁତ ତାର ପକାଇ ସେଥିରେ ବିଦ୍ୟୁତ ସଂଯୋଗ କରିଥିଲେ। ମାତ୍ର ତାଙ୍କର ଅସାବଧାନତା ପାଇଁ ସେ ନିଜେ ସକାଳୁ ଉଠି ସେହି ବିଦ୍ୟୁତ ସଂଯୋଗ ତାର ଉପରେ ଗୋଡ ପକାଇଦେଇଥିଲେ। ଯାହାଫଳରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ତାଙ୍କ ପତ୍ନୀ ତାଙ୍କୁ ସେଥିରୁ ମୁକୁଳେଇବା ପାଇଁ ଚେଷ୍ଟା କରିଥିବା ବେଳେ ଗୁରୁତର ଆହତ ମଧ୍ୟ ହୋଇଥିଲେ । ଉଭୟଙ୍କୁ ଉଦ୍ଧାର କରି ୧୦୮ ଜରିଆରେ ପାଖ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ପତ୍ନୀ ବାସନ୍ତିଙ୍କ ଚିକିତ୍ସା ଜାରି ରହିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now