ନୂଆଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟାରେ ୧୮ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ

ନୂଆଦିଲ୍ଲୀ ରେଳ ଷ୍ଟେସନରେ ବଡ଼ଧରଣର ଅଘଟଣ । ଦଳାଚକଟାରେ ୧୮ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ । ଦଳାଚକଟା ଘଟଣାକୁ ନେଇ ଚିନ୍ତା ବଢ଼ିଛି। ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଲୋକନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲ ସହ ଅନ୍ୟାନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଏନେଇ ଲୋକନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲ ପକ୍ଷରୁଏକ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ଲୋକମାନେ ହେଲ୍ପଲାଇନ୍ ନମ୍ବର – 9873617028  ଏବଂ 01123501207 ରେ କଲ କରି ଦୁର୍ଘଟଣାରେ ଆହତ ସେମାନଙ୍କ ସମ୍ପର୍କୀୟଙ୍କ ବିଷୟରେ ସୂଚନା ପାଇପାରିବେ । ଦିଲ୍ଲୀର ପ୍ଲାଟଫର୍ମ ନମ୍ବର ୧୪ ଏବଂ ୧୫ କୁ ଲାଗିଥିବା ସିଡ଼ିରେ ଏହି ଦୁର୍ଘଟଣା ଘଟିଥିଲା। ସେପଟେ ରେଳ ମନ୍ତ୍ରାଳୟ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଓ ସେଥିପାଇଁ ଦୁଇ ଜଣ ସଦସ୍ୟ ବିଶିଷ୍ଟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ତେବେ ଏହି ଦୁଇ ଟ୍ରେନ୍‌ ଧରିବାକୁ ଉଭୟ ପ୍ଲାଟଫର୍ମରେ ଯାତ୍ରୀଙ୍କ ଅସମ୍ଭାଳ ଭିଡ ଲାଗିଥିବା କାରଣରୁ ଏହି ଦଳାଚକଟା ହୋଇଥିଲା । ଉତ୍ତର ରେଳବାଇର ସିପିଆରଓ ହିମାଂଶୁ ଶେଖର ଉପାଧ୍ୟାୟ କହିଛନ୍ତି ଯେ ‘ଜଣେ ବ୍ୟକ୍ତି ପ୍ଲାଟଫର୍ମ ନମ୍ବର ୧୪ ଏବଂ ୧୫ କୁ ଥିବା ସିଡ଼ିରେ ଖସିଯିବାରୁ ଦଳାଚକଟା ଆରମ୍ଭ ହୋଇଥିଲା।

ଶନିବାର ରାତିରେ କୁମ୍ଭ ମେଳା ଯିବା ପାଇଁ ଯାତ୍ରୀଙ୍କ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିବା କୁହାଯାଉଛି। ସେପଟେ ଦଳଚକଟା ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏହାସହ ରେଳଷ୍ଟେସନରେ ଜମା ହୋଇଥିବା ଲୋକଙ୍କ ପାଇଁ ୪ଟି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଆହୁରି ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଘଟଣାରେ ଭାରତୀୟ ରେଳବାଇ ମୃତକଙ୍କ ପରିବାର ଏବଂ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛି। ରେଳବାଇ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତ ଯାତ୍ରୀଙ୍କୁ ୨.୫ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତ ଯାତ୍ରୀଙ୍କୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛି। ସେହିପରି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୋକ ପ୍ରକାଶ କରିଛନ୍ତି । ବିହାରର ଲୋକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ନୀତୀଶ କୁମାର । ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି,ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଘଟଣା ହୃଦୟ ବିଦାରକ । ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି ।

ସେପଟେ ମିଳିଥିବା ସୂଚନା ଅନୁସାରେ, ୧୮ ମୃତକଙ୍କ ମଧ୍ୟରେ ବିହାରର ୯ ଜଣ, ଦିଲ୍ଲୀର ୮ ଜଣ ଏବଂ ହରିୟାଣାର ଜଣେ ଅଛନ୍ତି । ନୂଆଦିଲ୍ଲୀ ରେଳ ଷ୍ଟେସନରେ ହୋଇଥିବା ଦଳାଚକଟାରେ ୧୮ଜଣଙ୍କ ମୃତ୍ୟୁ ହୋଇଛି, ଯେଉଁମାନଙ୍କ ମଧ୍ୟରେ ୯ଜଣ ମହିଳା ଓ ୫ ଜଣ ପିଲା ଅଛନ୍ତି। ପ୍ରଶାସନ ରବିବାର ମୃତକଙ୍କ ସୂଚୀ ଜାରି କରିଛି। ଏହି ଦଳାଚକଟାରେ ହରିୟାଣାର ଜଣକର ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀ ଓ ବିହାରର ଅଧିକ ଲୋକେ ପ୍ରାଣ ହରାଇଛନ୍ତି।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *