Swachhata Hi Seva: ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଖଣ୍ଡଗିରିଠାରେ ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା କାର୍ଯ୍ୟକ୍ରମ । ଭୁବନେଶ୍ୱରକୁ ଦେଶର ନମ୍ବର-୧ ସ୍ୱଚ୍ଛ ସହର କରିବାକୁ ସମସ୍ତଙ୍କ ସହଯୋଗ ଆବଶ୍ୟକ: ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର: “ଏ ସହର ଆମର ଏବଂ ଏହାର ସ୍ୱଚ୍ଛତାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର। ଯଦି ପ୍ରତ୍ୟେକ ନାଗରିକ ନିଜ ଦାୟିତ୍ୱ ସଠିକ୍ ଭାବେ ତୁଲାଇବେ, ତେବେ ଭୁବନେଶ୍ୱର ଦେଶର ସବୁଠାରୁ ସ୍ୱଚ୍ଛ ଓ ସୁନ୍ଦର ସହର ହୋଇ ପ୍ରଥମ ସ୍ଥାନ ହାସଲ କରିପାରିବ।” ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଖଣ୍ଡଗିରିଠାରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜିତ ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଆହ୍ୱାନ ଦେଇଛନ୍ତି। ବର୍ତ୍ତମାନ ଦେଶର ସ୍ୱଚ୍ଛତା ରାଙ୍କିଙ୍ଗ୍ରେ ଭୁବନେଶ୍ୱର ନବମ ସ୍ଥାନରେ ରହିଛି ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସହରକୁ ଆହୁରି ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଭୂମିକା ଆବଶ୍ୟକ। ନିଜ ଘର, ବାଡ଼ି, ଦାଣ୍ଡ ଓ ଅଗଣା ସଫା ରଖିବା ସହିତ ଘର ସମ୍ମୁଖ ରାସ୍ତା ଓ ନିଜ କଲୋନୀକୁ ମଧ୍ୟ ସ୍ୱଚ୍ଛ ରଖିବା ଦାୟିତ୍ୱ ସମସ୍ତଙ୍କର ବୋଲି ସେ କହିଛନ୍ତି। ଘରର ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା କରି ନିୟମିତ ଭାବେ ସଫେଇ ଗାଡ଼ିକୁ ଦେବା ସହ ରାସ୍ତାରେ ଅଳିଆ ନ ଫିଙ୍ଗିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏଥିରୁ ବାରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ମହାତ୍ମା ଗାନ୍ଧୀ ସ୍ୱାଧୀନତା ପୂର୍ବରୁ ସ୍ୱଚ୍ଛତା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ମାଧ୍ୟମରେ ସ୍ୱଚ୍ଛତାକୁ ଏକ ବ୍ୟାପକ ଜନ ଆନ୍ଦୋଳନରେ ପରିଣତ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ କାର୍ଯ୍ୟକ୍ରମ ସମଗ୍ର ସମାଜକୁ ସ୍ୱଚ୍ଛତା ସହ ଯୋଡ଼ିବାର ଏକ ଅଭିନବ ଓ ପ୍ରଶଂସନୀୟ ପଦକ୍ଷେପ ବୋଲି ସେ ମତ ଦେଇଛନ୍ତି। ଭୁବନେଶ୍ୱର ପୂର୍ବ ଅପେକ୍ଷା ଅଧିକ ସ୍ୱଚ୍ଛ ଓ ସୁନ୍ଦର ହୋଇପାରିଥିବାର ଶ୍ରେୟ ସଫେଇ ମିତ୍ରମାନଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେମାନଙ୍କ ନିରବଚ୍ଛିନ୍ନ ସେବା ପାଇଁ ଧନ୍ୟବାଦ ଜଣାଇବା ସହ ସଫେଇ ମିତ୍ରମାନଙ୍କ ସାମାଜିକ ସୁରକ୍ଷା ଓ ବାସଗୃହ ଯୋଗାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଥିବା ସେ କହିଛନ୍ତି। ଦେଶର ୫୦ଟି ‘ମଡେଲ ସାନିଟେସନ ସିଟି’ ଭାବେ ବିକଶିତ ହେବା ପାଇଁ ଓଡ଼ିଶାର ଦୁଇ ପ୍ରମୁଖ ସହର ଭୁବନେଶ୍ୱର ଓ ପୁରୀ ମନୋନୀତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଉଭୟ ସହରର ପ୍ରଶାସନ, ଅଧିକାରୀ ଏବଂ ବିଶେଷକରି ସଫେଇ ମିତ୍ରମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ବିଏମସି କମିଶନର ଶ୍ରୀ ଚଞ୍ଚଲ ରାଣା, କର୍ପୋରେଟର, ବିଏମସି କର୍ମଚାରୀ ଓ ବହୁ ସଂଖ୍ୟକ ସଫେଇ ମିତ୍ର ଉପସ୍ଥିତ ଥିଲେ।
