BMC Raid On Gupchup:ଗୁପଚୁପ୍ ପ୍ରସ୍ତୁତି କେନ୍ଦ୍ରରେ BMC ରେଡ୍
ଭୁବନେଶ୍ୱରର ଖାରବେଳ ନଗର ମାଳିସାହି ମସଜିଦ କଲୋନିରେ ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ୍ ପ୍ରସ୍ତୁତି ଅଭିଯୋଗରେ BMC ଚଢ଼ାଉ କରିଛି। ଅପରିଷ୍କାର ପାଣି, ବାସି ଆଳୁ ଓ ନଷ୍ଟ ତେଲ ବ୍ୟବହାର ଅଭିଯୋଗରେ ୟୁନିଟ୍ ସିଲ୍ କରାଯାଇଛି ଏବଂ ନମୁନା ପରୀକ୍ଷା ପାଇଁ ପଠାଯାଇଛି।

ରାଜଧାନୀ ଭୁବନେଶ୍ୱରରେ ଗୁପଚୁପ୍ର ସ୍ୱଚ୍ଛତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ୍ ପ୍ରସ୍ତୁତି ଅଭିଯୋଗରେ ଖାରବେଳ ନଗର ମାଳିସାହି ମସଜିଦ କଲୋନି ଅଞ୍ଚଳରେ ଥିବା ବିଭିନ୍ନ ପ୍ରସ୍ତୁତି ସ୍ଥାନରେ ଚଢ଼ାଉ କରିଛି ଭୁବନେଶ୍ୱର ମହାନଗର ନିଗମ (BMC)ର ଖାଦ୍ୟ ସୁରକ୍ଷା ବିଭାଗର ୮ ଜଣିଆ ଟିମ୍।ଯାଞ୍ଚ ସମୟରେ ଅତ୍ୟନ୍ତ ଅପରିଷ୍କାର ପରିବେଶରେ ଗୁପଚୁପ୍ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଅଧିକାରୀମାନଙ୍କ ଅନୁସାରେ, ପ୍ରସ୍ତୁତିରେ ଅପରିଷ୍କାର ପାଣି, ବାସି କିମ୍ବା ପଚା ଆଳୁ, ପୋକ ଲାଗିଥିବା ମଟର ଏବଂ କଳା ପଡ଼ିଥିବା ତେଲ ବ୍ୟବହାର ହେଉଥିବା ଦେଖାଯାଇଥିଲା। ଏହାସହ ପାନ ଓ ଗୁଟଖା ଛେପ ପଡ଼ୁଥିବା ସ୍ଥାନ ନିକଟରେ ଗୁପଚୁପ୍ ପ୍ରସ୍ତୁତି ହେଉଥିବା ଏବଂ ପ୍ରସ୍ତୁତି ସ୍ଥାନରେ ପୋକ ଓ ମାଛି ଥିବା ମଧ୍ୟ ଯାଞ୍ଚ ବେଳେ ଦେଖାଯାଇଥିବା କୁହାଯାଇଛି। ଗୁପଚୁପ୍ର ପାଣି ମଧ୍ୟ ଅସ୍ୱାସ୍ଥ୍ୟକର ଅବସ୍ଥାରେ ଥିବା ଅଭିଯୋଗ ହୋଇଛି। ଚଢ଼ାଉ ବେଳେ ବିପୁଳ ପରିମାଣର ପ୍ରସ୍ତୁତ ଗୁପଚୁପ୍ ଓ କଞ୍ଚାମାଲ ଜବତ କରାଯାଇଛି। ଯାଞ୍ଚ ପାଇଁ ପାଣି, ପୋଡ଼ା ତେଲ ଓ ଲଙ୍କାଗୁଣ୍ଡର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି BMC। ପରୀକ୍ଷା ରିପୋର୍ଟ ଆସିବା ପରେ ଖାଦ୍ୟର ଗୁଣବତ୍ତା ନେଇ ଅଧିକ ସ୍ପଷ୍ଟତା ମିଳିବ। ସୂଚନା ଅନୁସାରେ, ସମ୍ପୃକ୍ତ ୟୁନିଟ୍କୁ ପୂର୍ବରୁ ମଧ୍ୟ ସ୍ୱଚ୍ଛତା ବଜାୟ ରଖିବାକୁ ସତର୍କ କରାଯାଇଥିଲା। ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣ ସମୟରେ ହାଇଜିନ୍ ବଜାୟ ରଖିବା ନେଇ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିବା କୁହାଯାଇଛି। ତଥାପି ନିୟମ ଉଲ୍ଲଂଘନ ଜାରି ରହିଥିବା ଅଭିଯୋଗ ହୋଇଛି। ଚଢ଼ାଉ ପରେ ସମ୍ପୃକ୍ତ ପ୍ରସ୍ତୁତି ୟୁନିଟ୍କୁ ସିଲ୍ କରାଯାଇଛି।
ଏହି ଘଟଣା ଗୁପଚୁପ୍ ପ୍ରେମୀଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। ତେବେ ଗୋଟିଏ ପ୍ରସ୍ତୁତି ୟୁନିଟ୍ରେ ଅନିୟମିତତା ମିଳିଥିବା ଆଧାରରେ ଭୁବନେଶ୍ୱରର ସମସ୍ତ ଗୁପଚୁପ୍ ଅସ୍ୱାସ୍ଥ୍ୟକର ବୋଲି କହିହେବ ନାହିଁ। ତଥାପି ଦୂଷିତ ପାଣି, ଅପରିଷ୍କାର ହାତ, ଖୋଲାରେ ରଖାଯାଇଥିବା ମସଲା ଓ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ହେଲେ ଖାଦ୍ୟଜନିତ ଅସୁସ୍ଥତାର ଆଶଙ୍କା ବଢ଼ିପାରେ।
