ତାଇୱାନୀ ଅଭିନେତାଙ୍କ ‘ଇଣ୍ଡିଆନ୍ ଲଭ୍ ଷ୍ଟୋରୀ’
ତାଇୱାନୀ ଅଭିନେତା Cheng Chang Fanଙ୍କ ପୁରୁଣା ହୋଟେଲ ଭିଡିଓ ଓ ଭାରତୀୟ ଯୁବତୀଙ୍କ ସହ ଫଟୋ ଭାଇରାଲ। ‘ଲଭ୍ ଷ୍ଟୋରୀ’କୁ ନେଇ ଜୋରଦାର ଚର୍ଚ୍ଚା । ପୂର୍ବତନ ଭାରତୀୟ କ୍ରିକେଟରଙ୍କ ପ୍ରେମ କାହାଣୀ ସହ ତୁଳନା କଲେ ୟୁଜର।
ଭୁବନେଶ୍ବର: ବଲିଉଡ୍ ଫିଲ୍ମର ପ୍ରେମ କାହାଣୀ ଭଳି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଏକ ‘କ୍ରସ୍-ବର୍ଡର୍ ଲଭ୍ ଷ୍ଟୋରୀ’। ତାଇୱାନୀ ଅଭିନେତା, ମଡେଲ୍ ଓ ମ୍ୟୁଜିସିଆନ୍ ଚେଙ୍ଗ୍ ଚାଙ୍ଗ୍ ଫାନଙ୍କ ଏକ ପୁରୁଣା ଭିଡିଓ ଏବେ ଭାରତରେ ଭାଇରାଲ ହେବା ସହ ତାଙ୍କ ସହ ଜଣେ ଭାରତୀୟ ଯୁବତୀଙ୍କ ସମ୍ପର୍କକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଭାଇରାଲ ଭିଡିଓରେ ଜଣେ ଭାରତୀୟ ଯୁବତୀ ହୋଟେଲ ଲବିରେ ଚେଙ୍ଗଙ୍କୁ ଆରତୀ ଓ ତିଳକ ଲଗାଇ ସ୍ୱାଗତ କରୁଥିବା ଦେଖାଯାଉଛି। ଭିଡିଓଟି ପୁରୁଣା ହୋଇଥିଲେ ମଧ୍ୟ ଏବେ ଏହା ପୁଣିଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି।
ସୂଚନା ଅନୁସାରେ, ୨୦୨୫ରେ ଚେଙ୍ଗ ଭାରତ ଗସ୍ତରେ ଆସିଥିବା ସମୟରେ ଏହି ଘଟଣା ଘଟିଥିଲା। ହୋଟେଲରେ ପହଞ୍ଚିବା ପରେ ଜଣେ ମହିଳା ତାଙ୍କୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିଥିଲେ। ସେହି ସମୟର ଭିଡିଓ ଏବେ ଭାଇରାଲ ହେବା ପରେ ଲୋକଙ୍କ ନଜର ଚେଙ୍ଗଙ୍କ ଏକ୍ସପ୍ରେସନ୍ ଉପରେ ପଡ଼ିଛି। ଅନେକ ସୋସିଆଲ ମିଡିଆ ୟୁଜର ଏହି ଦୃଶ୍ୟକୁ ‘ଲଭ୍ ଆଟ୍ ଫର୍ଷ୍ଟ ସାଇଟ୍’ ସହ ତୁଳନା କରିଛନ୍ତି। କିଛି ଲୋକ ତ ଏହାକୁ ସିଧାସଳଖ ବଲିଉଡ୍ ଫିଲ୍ମର ସିନ୍ ବୋଲି କହିଛନ୍ତି।
ତେବେ ଚର୍ଚ୍ଚାକୁ ଆହୁରି ବଢ଼ାଇଛି ଚେଙ୍ଗଙ୍କ ଏକ ନୂଆ ସୋସିଆଲ ମିଡିଆ ପୋଷ୍ଟ। ସେ ଜଣେ ଭାରତୀୟ ଯୁବତୀଙ୍କ ସହ କିଛି ଫଟୋ ଶେୟାର କରିବା ସହ ଭାରତୀୟ ମହିଳାଙ୍କ ବିଷୟରେ ଲମ୍ବା କ୍ୟାପସନ୍ ଲେଖିଥିଲେ। ଭାରତୀୟ ମହିଳାଙ୍କ ଭାବପ୍ରବଣତା ଏବଂ ଅଜଣା ଲୋକଙ୍କୁ ମଧ୍ୟ ନିଜ ଲୋକଙ୍କ ଭଳି ଅନୁଭବ କରାଇବାର ଗୁଣ ବିଷୟରେ ସେ ଲେଖିଥିଲେ। ଏହା ସହ ସେ ଭାରତ ଆସିବା ସମୟରେ ହୋଟେଲରେ ଦେଖିଥିବା ଜଣେ ମହିଳାଙ୍କୁ ମଧ୍ୟ ମନେ ପକାଇଥିଲେ। ଏହି ପୋଷ୍ଟ ପରେ ଇଣ୍ଟରନେଟ୍ରେ ଲୋକେ ଭାଇରାଲ ଭିଡିଓର ଯୁବତୀ ଓ ନୂଆ ଫଟୋରେ ଥିବା ଯୁବତୀ ଜଣେ କି ନୁହେଁ, ତାହା ଖୋଜିବା ଆରମ୍ଭ କରିଦେଇଛନ୍ତି।
ଚେଙ୍ଗଙ୍କ ଏହି କାହାଣୀକୁ ନେଇ କିଛି ୟୁଜର ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ଏମ୍ଏସ୍ ଧୋନୀ ଓ ସାକ୍ଷୀଙ୍କ ପ୍ରେମ କାହାଣୀ ସହ ତୁଳନା କରୁଛନ୍ତି। ଏହି ସବୁ ଚର୍ଚ୍ଚା ମଧ୍ୟରେ ମୁଖ୍ୟ ପ୍ରଶ୍ନ ହେଉଛି—ଚେଙ୍ଗ ଓ ଭାରତୀୟ ଯୁବତୀଙ୍କ ମଧ୍ୟରେ ପ୍ରକୃତରେ ପ୍ରେମ ସମ୍ପର୍କ ଅଛି କି? ଏପର୍ଯ୍ୟନ୍ତ ଚେଙ୍ଗ ଏହି ଯୁବତୀ ତାଙ୍କ ଗର୍ଲଫ୍ରେଣ୍ଡ ବୋଲି ସାର୍ବଜନୀନ ଭାବେ କହିନାହାନ୍ତି। ଯୁବତୀଜଣକ ମଧ୍ୟ ଏ ସମ୍ପର୍କରେ କୌଣସି ବୟାନ ଦେଇନାହାନ୍ତି। ତେଣୁ ଏହି ‘ଲଭ୍ ଷ୍ଟୋରୀ’ ଏବେବି ଅନୁମାନ ଓ ସୋସିଆଲ ମିଡିଆ ଚର୍ଚ୍ଚା ମଧ୍ୟରେ ସୀମିତ।
ଅନ୍ୟପଟେ, ଭାଇରାଲ ହେଉଥିବା ଭିଡିଓରେ ଥିବା ଯୁବତୀଙ୍କ ନାମ, ସେ ପ୍ରକୃତରେ କେଉଁ ହୋଟେଲରେ କାମ କରୁଥିଲେ କି ନାହିଁ, ଏବଂ ନୂଆ ଫଟୋରେ ଥିବା ମହିଳା ସେହି ମହିଳା କି ନୁହେଁ—ଏସବୁ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଏବେବି ମିଳିନାହିଁ।
