DGP-IGP ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ୧୦ ସୂତ୍ରୀ ନିର୍ଦ୍ଦେଶ
ରାଜ୍ୟସ୍ତରୀୟ DGP ଓ IGP ସମ୍ମିଳନୀରେ ୨୦୨୯ ସୁଦ୍ଧା ‘ନିଶାମୁକ୍ତ ଓଡ଼ିଶା’ ଲକ୍ଷ୍ୟ । ମହିଳା ହିଂସା ଓ ସଂଗଠିତ ଅପରାଧ ବିରୋଧରେ Zero Tolerance; ସାଇବର ଅପରାଧ, ଡାର୍କ ୱେବ୍ ଓ ‘ଦାଦା ବଟି’ ଉପରେ କଡ଼ା ନଜର ।

ଭୁବନେଶ୍ୱର: ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ DGP ଓ IGP ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଆଇନଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା, ସାଇବର ଅପରାଧ ନିୟନ୍ତ୍ରଣ ଓ ଭବିଷ୍ୟତର ପୋଲିସିଂ ବ୍ୟବସ୍ଥା ଉପରେ ବ୍ୟାପକ ସମୀକ୍ଷା କରିଛନ୍ତି। ପୋଲିସ ସଂସ୍କାର ପାଇଁ ଆବଶ୍ୟକ ସମସ୍ତ ସାଧନ, ଅନୁଦାନ ଓ ପ୍ରଶାସନିକ ସହଯୋଗ ସରକାର ଯୋଗାଇଦେବ ବୋଲି ସେ କହିଛନ୍ତି। ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଜିଲ୍ଲାସ୍ତରରେ ଅପରାଧ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପୋଲିସ ଅଧିକାରୀମାନଙ୍କୁ ୧୦ଟି ମୁଖ୍ୟ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ୧୦ ସୂତ୍ରୀ ନିର୍ଦ୍ଦେଶ
1. ମହିଳାଙ୍କ ପ୍ରତି ହିଂସା ଓ ସଂଗଠିତ ଅପରାଧ ବିରୋଧରେ ଜିରୋ ଟଲରେନ୍ସ ନୀତି।
2. ଦଣ୍ଡବିଧାନ ହାରକୁ ଅତି କମରେ ୭୫ ପ୍ରତିଶତକୁ ବୃଦ୍ଧି।
3. ୨୦୨୯ ସୁଦ୍ଧା ‘ନିଶାମୁକ୍ତ ଓଡ଼ିଶା’ ଗଠନ।
4. ୫୭୫ କିଲୋମିଟର ତଟରେଖା ଓ ସାମୁଦ୍ରିକ ସୀମାର ସୁରକ୍ଷା।
5. ସାଇବର ଅପରାଧ, ଆର୍ଥିକ ଠକେଇ ଓ ଡାର୍କ ୱେବ୍ ଉପରେ କଡ଼ା ନଜର।
6. NATGRID ଓ CCTNS ମାଧ୍ୟମରେ ଗୁଇନ୍ଦା ବ୍ୟବସ୍ଥାର ସୁଦୃଢ଼ୀକରଣ।
7. ଥାନାଗୁଡ଼ିକର ଆଧୁନିକୀକରଣ ଓ ପ୍ରଯୁକ୍ତିଭିତ୍ତିକ ପୋଲିସିଂ।
8. ସାଧାରଣ ନାଗରିକଙ୍କ ପ୍ରତି ପୋଲିସର ନମ୍ର, ସମ୍ବେଦନଶୀଳ ଓ ଭରସାଯୋଗ୍ୟ ବ୍ୟବହାର।
9. ‘ଦାଦା ବଟି’ ଓ ବେଆଇନ ଜୋରଜବରଦସ୍ତି ଚାନ୍ଦା ଆଦାୟ ଉପରେ ରୋକ୍।
10. ଦୁର୍ନୀତିମୁକ୍ତ ଓ ସମର୍ପିତ ପୋଲିସିଂ।
ପୋଲିସର ଜନସାଧାରଣଙ୍କ ପ୍ରତି ବ୍ୟବହାର ଉପରେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ଥାନାକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗକାରୀଙ୍କୁ ଜଣେ ପୀଡ଼ିତ ଭାବେ ଦେଖି ସହାନୁଭୂତିପୂର୍ଣ୍ଣ ଓ ସମ୍ବେଦନଶୀଳ ବ୍ୟବହାର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। “ପୋଲିସକୁ ଦେଖି ଅପରାଧୀ ଛାନିଆଁ ହେବେ, ନିର୍ଦୋଷ ନାଗରିକ ନୁହଁନ୍ତି” ବୋଲି ବାର୍ତ୍ତା ଦେବା ଉପରେ ସେ ଜୋର ଦେଇଛନ୍ତି। NCRB ତଥ୍ୟ ଅନୁସାରେ ରାଜ୍ୟର ଦଣ୍ଡବିଧାନ ହାରରେ ଉଲ୍ଲେଖନୀୟ ସୁଧାର ଆସି ଏହା ୪୦ ପ୍ରତିଶତରୁ ଅଧିକ ହୋଇଛି। ଏହାକୁ ଅତି କମରେ ୭୫ ପ୍ରତିଶତକୁ ନେବା ପାଇଁ ତଦନ୍ତ ପ୍ରକ୍ରିୟାକୁ ଅଧିକ ବୃତ୍ତିଗତ ଓ ପ୍ରଯୁକ୍ତିବିଦ୍ୟାଭିତ୍ତିକ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଥାନାଗୁଡ଼ିକର ଆଧୁନିକୀକରଣ ସହ ତଦନ୍ତ ପାଇଁ ୫୦ କୋଟି ଟଙ୍କାର ସ୍ୱତନ୍ତ୍ର ତଦନ୍ତ ଫଣ୍ଡ ଓ ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯାଇଥିବା ନେଇ ମଧ୍ୟ ସୂଚନା ଦିଆଯାଇଛି।
ନିଶାଦ୍ରବ୍ୟର ବେଆଇନ କାରବାର ବିରୋଧରେ କେବଳ ଜବତ ଓ ଗିରଫଦାରୀରେ ସୀମିତ ନରହି ଏହାର ମୂଳ ଯୋଗାଣ ଶୃଙ୍ଖଳା ଓ ଆର୍ଥିକ ସିଣ୍ଡିକେଟକୁ ଧ୍ୱଂସ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୯ ସୁଦ୍ଧା ଓଡ଼ିଶାକୁ ନିଶାମୁକ୍ତ କରିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ୫୭୫ କିଲୋମିଟର ଦୀର୍ଘ ତଟରେଖାର ସୁରକ୍ଷା ଓ ସାମୁଦ୍ରିକ ସୀମା ଦେଇ ଅନୁପ୍ରବେଶ ରୋକିବା ଉପରେ ମଧ୍ୟ ଆଲୋଚନା ହୋଇଛି। ଭୁବନେଶ୍ୱରରେ Command & Control Centre, ୧୦ଟି ଡ୍ରୋନ୍, ୫ଟି ଟ୍ରଲର୍ ଓ ୧୦ଟି ଆଧୁନିକ ଇଣ୍ଟରସେପ୍ଟର ବୋଟ୍ କ୍ରୟ ପ୍ରକ୍ରିୟା ସହ ATV ମାଧ୍ୟମରେ ବେଳାଭୂମି ପାଟ୍ରୋଲିଂକୁ ଅଧିକ ସୁଦୃଢ଼ କରାଯାଇଛି। ସାଇବର ଅପରାଧ ଓ ଆର୍ଥିକ ଠକେଇ ରୋକିବା ପାଇଁ ଆଧୁନିକ ପ୍ରଯୁକ୍ତି, ଡିଜିଟାଲ ସର୍ଭେଲାନ୍ସ ଓ ସଚେତନତାକୁ ଗୁରୁତ୍ୱ ଦିଆଯାଇଛି। ଡାର୍କ ୱେବ୍ ଉପରେ ନଜର ରଖିବା ସହ NATGRID ଓ CCTNS ମାଧ୍ୟମରେ ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଗତ ଦୁଇ ବର୍ଷ ମଧ୍ୟରେ ପୋଲିସ ବିଭାଗରେ ୧୭,୭୯୪ଟି ନୂତନ ପଦବୀ ସୃଷ୍ଟି ହୋଇଥିବା ବେଳେ ୫,୮୧୭ଟି ପଦବୀ ପୂରଣ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ମାଓ ହିଂସା ନିୟନ୍ତ୍ରଣ, OSSF ବାଟାଲିୟନ ଓ ଆକର୍ଷଣୀୟ ଆତ୍ମସମର୍ପଣ ନୀତି ଯୋଗୁଁ ଓଡ଼ିଶାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସମ୍ମାନିତ କରାଯାଇଥିବା ବିଷୟ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପୋଲିସ ଅଧିକାରୀମାନଙ୍କ ସହ ସିଧାସଳଖ ଭାବ ବିନିମୟ କରି ସେମାନଙ୍କ କାର୍ଯ୍ୟକ୍ଷେତ୍ରର ସମସ୍ୟା ଓ ଅଭିଜ୍ଞତା ସମ୍ପର୍କରେ ପଚାରି ବୁଝିଥିଲେ। ନିଷ୍ଠା, ସାଧୁତା ଓ ସମର୍ପଣର ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଓଡ଼ିଶା ପୋଲିସର ‘We Serve and Protect’ ମନ୍ତ୍ରକୁ ମନେରଖି “ସୁରକ୍ଷିତ ଓଡ଼ିଶା—ସଶକ୍ତ ଓଡ଼ିଶା—ସମୃଦ୍ଧ ଓଡ଼ିଶା” ଗଠନ ପାଇଁ ସମସ୍ତ ପୋଲିସ ଅଧିକାରୀ ନିଷ୍ଠାର ସହ କାର୍ଯ୍ୟ କରନ୍ତୁ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଜନସାଧାରଣଙ୍କ ପ୍ରତି ପୋଲିସର ସେବା ବ୍ୟବସ୍ଥାକୁ ଆହୁରି ଗୁଣାତ୍ମକ ଓ ସୁଦୃଢ଼ କରିବା ଉପରେ ଜୋର ଦେଇଥିଲେ। ଓଡ଼ିଶା ପୋଲିସକୁ ପ୍ରତିଷ୍ଠିତ President’s Colour Award ମିଳିଥିବାରୁ ସେ ପୋଲିସ ବାହିନୀକୁ ଶୁଭେଚ୍ଛା ଜଣାଇଥିଲେ। ପୋଲିସର ନିଷ୍ଠାପୂର୍ଣ୍ଣ ସେବା ଯୋଗୁଁ ଓଡ଼ିଶା ନକ୍ସଲମୁକ୍ତ ହୋଇପାରିଥିବା ଏବଂ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସଫଳ ଓ ଶାନ୍ତିପୂର୍ଣ୍ଣ ପରିଚାଳନା ସମ୍ଭବ ହୋଇଥିବା ସେ କହିଥିଲେ। ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଗଠନମୂଳକ ପରାମର୍ଶ ପାଇଁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ସାଇବର ସୁରକ୍ଷା କ୍ଷେତ୍ରରେ ଅଧିକ ବ୍ୟାପକ କାର୍ଯ୍ୟ କରାଯିବ ବୋଲି କହିଛନ୍ତି। ଅସାମାଜିକ କାର୍ଯ୍ୟକଳାପ ରୋକିବା, ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ ବଢ଼ାଇବା ଓ ନିଶାଦ୍ରବ୍ୟର ବେଆଇନ କାରବାର ବିରୋଧରେ ବିଶେଷ ଅଭିଯାନକୁ ଆହୁରି ଶକ୍ତିଶାଳୀ କରାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ସମ୍ମିଳନୀରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ତଥା ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଆର.ପି. କୋଚେ, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସଂଜୀବ ପଣ୍ଡାଙ୍କ ସମେତ ରାଜ୍ୟର ସମସ୍ତ DGP ଓ IGP ଉପସ୍ଥିତ ଥିଲେ।
