SBI Robbery Exposed : କଙ୍କଡ଼ାହାଡ଼ SBI ଡକାୟତିର ପର୍ଦାଫାସ୍
କଙ୍କଡ଼ାହାଡ଼ SBI ଗ୍ରାହକ ସେବା କେନ୍ଦ୍ର ଡକାୟତି ଘଟଣାର ପର୍ଦାଫାସ୍ କରି ୫ ଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଛି ଢେଙ୍କାନାଳ ପୋଲିସ | ଅଭିଯୁକ୍ତଙ୍କ ଠାରୁ ନଗଦ ଟଙ୍କା, ବନ୍ଧୁକ, ଗୁଳି, ମୋବାଇଲ ଓ ଗାଡ଼ି ଜବତ ହୋଇଛି |
ଢେଙ୍କାନାଳ ପୋଲିସକୁ ମିଳିଛି ବଡ଼ ସଫଳତା | କଙ୍କଡ଼ାହାଡ଼ ଏସବିଆଇ ଗ୍ରାହକ ସେବା କେନ୍ଦ୍ର ଡକାୟତି ଘଟଣାର ପର୍ଦାଫାସ୍ କରିଛି ପୋଲିସ | ୫ ଦୁର୍ଦ୍ଦାନ୍ତ ଡକାୟତ ଗିରଫ | ଗତ ୨୮ ସେପ୍ଟେମ୍ବର ତାରିଖରେ, ସଦର ଥାନା କଙ୍କଡ଼ାହାଡ଼ ଠାରେ ଥିବା ଏସବିଆଇ ଗ୍ରାହକ ସେବା କେନ୍ଦ୍ରରେ ବନ୍ଧୁକ ଦେଖାଇ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଥିଲେ ଡକାୟତ | ଏହି ଘଟଣା ପରେ ଆକ୍ସନ ମୋଡକୁ ଆସିଥିଲା ଢେଙ୍କାନାଳ ପୋଲିସ | ଘଟଣାରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗତକାଲି ପୋଲିସ ଗିରଫ କରିଛି | ଗିରଫ ଅଭିଯୁକ୍ତମାନେ ଢେଙ୍କାନାଳ ଓ କଟକ ଜିଲ୍ଲାର ବୋଲି ଜଣାପଡିଛି | ଅଭିଯୁକ୍ତଙ୍କ ଠାରୁ ୬ ଲକ୍ଷ ୫୦ ହଜାର ଟଙ୍କା, ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଜୀବନ୍ତ ଗୁଳି, ୧୨ଟି ମୋବାଇଲ, ଗୋଟିଏ କାର, ସ୍କୁଟି ଓ ବାଇକ ଜବତ ହୋଇଛି | ଜବତ ଟଙ୍କା ୬ ଲକ୍ଷରୁ ଅଧିକ ହେବା ଅନ୍ୟ ଡକାୟତି ଘଟଣାରେ ସଂପୃକ୍ତି ଥିବା ସନ୍ଦେହକୁ ଆହୁରି ଦୃଢ କରୁଛି | ସେମାନଙ୍କ ନାଁରେ ପୂର୍ବରୁ ଅନେକ ଡକାୟତି ମାମଲା ରହିଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଢେଙ୍କାନାଳ SP ।
