ବନ୍ଧୁକ ମୁନରେ ଲୁଟ୍ ଅଭିଯୋଗ, ୫ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ
ବନ୍ଧୁକ ମୁନରେ ଲୁଟ୍ କରୁଥିବା ଅଭିଯୋଗରେ ୫ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି ବସ୍ତା ପୋଲିସ।
ବାଲେଶ୍ୱର: ବନ୍ଧୁକ ମୁନରେ ଲୁଟ୍ କରୁଥିବା ଅଭିଯୋଗରେ ୫ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି ବସ୍ତା ପୋଲିସ। ଗିରଫ ୫ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ନେଇ ବସ୍ତା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବସ୍ତା ଏସଡିପିଓ ସମର୍ଥ ବେହେରା ସୂଚନା ଦେଇଛନ୍ତି।
ପୋଲିସ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଅଫୁଟା ଗୁଳି, ୪ଟି ମୋବାଇଲ ଫୋନ୍ ଏବଂ ୨ଟି ବାଇକ୍ ଜବତ କରିଛି। ଜବତ ବାଇକ୍ ମଧ୍ୟରୁ ଗୋଟିଏ ଚୋରି ହୋଇଥିବା ବୁଲେଟ୍ ବାଇକ୍ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନଳବାହାର ଛକ ନିକଟରେ ଗତକାଲି ରାତିରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ଜଣେ ଅନଲାଇନ୍ ଡେଲିଭରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଅଟକାଇଥିଲେ। ଲୁଟ୍ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଦୁର୍ବୃତ୍ତଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପରେ ସେମାନଙ୍କ ସୂଚନା ଆଧାରରେ ଗ୍ୟାଙ୍ଗରେ ସାମିଲ ଥିବା ଅନ୍ୟ ସଦସ୍ୟଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ତଦନ୍ତ ବେଳେ ଏହି ଗ୍ୟାଙ୍ଗର ଅନ୍ୟ ଏକ ଅପରାଧିକ ଘଟଣା ସାମ୍ନାକୁ ଆସିଛି। ଗତ ଜୁଲାଇ ୩ ତାରିଖରେ ଦରଡା ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଭୟଭୀତ କରି ଲୁଟ୍ ଉଦ୍ୟମ କରିଥିବା ନେଇ ପୋଲିସ ସୂଚନା ଦେଇଛି। ଘଟଣାରେ ଗ୍ୟାଙ୍ଗର ଅନ୍ୟ କୌଣସି ଅପରାଧିକ ଲିଙ୍କ୍ ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।
