ବନ ବିଭାଗକୁ ବଡ଼ ସଫଳତା: ଦୁଇଟି କଲରାପତରିଆ ବାଘ ଛାଲ ଜବତ, ୬ ଗିରଫ
ବାଘ ଛାଲ ଚୋରା କାରବାର ଉପରେ ବନ ବିଭାଗର ବଡ଼ ଧରଣର ଚଢ଼ାଉ। ଦୁଇଟି କଲରାପତରିଆ ବାଘ ଛାଲ ଜବତ, ୬ ଗିରଫ।
ଗଜପତି: ବାଘ ଛାଲ ଚୋରା କାରବାର ଉପରେ ଗଜପତି ବନ ବିଭାଗର ବଡ଼ ଧରଣର ଚଢ଼ାଉ। ମାତ୍ର ଦୁଇ ଦିନ ମଧ୍ୟରେ ଦୁଇଟି ପୃଥକ ରେଞ୍ଜରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ କରିବା ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଗଜପତି ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୩ ଜଣ କନ୍ଧମାଳ ଜିଲ୍ଲାର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତ ୭ ତାରିଖରେ ବାଘ ଛାଲ ଚୋରା କାରବାର ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଏନ୍ଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇଥିଲା। ପାରଳାଖେମୁଣ୍ଡି ବସ୍ଷ୍ଟାଣ୍ଡ ନିକଟରେ ଜାଲ ବିଛାଇଥିବା ବନ ବିଭାଗ ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲା। ଯାଞ୍ଚ ସମୟରେ ସେମାନଙ୍କଠାରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଥିଲା।
ଏହାପରେ ଅଭିଯୁକ୍ତଙ୍କଠାରୁ ମିଳିଥିବା ସୂଚନା ଆଧାରରେ ମୋହନା ରେଞ୍ଜ ଅନ୍ତର୍ଗତ ତୁଳସୀନଗର ଗ୍ରାମ ନିକଟରେ ଚଢ଼ାଉ କରାଯାଇଥିଲା। ଆଜି ସକାଳ ପ୍ରାୟ ୧୧ଟା ୩୦ ମିନିଟ୍ରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ଆଉ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିବା ସହ ଅନ୍ୟ ୪ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ହାଡୁଭାଙ୍ଗି ଗ୍ରାମର ଜି. ରବି, ପରିଡ଼ା ଗ୍ରାମର ପ୍ରଫୁଲ୍ଲ ଘଣ୍ଟ ଏବଂ ଅଡ଼ବା ଥାନା ଅନ୍ତର୍ଗତ ପାଣିଗଣ୍ଡା ଗ୍ରାମର ତ୍ରିଲୋଚନ ପାତ୍ର। ସେହିପରି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ତିଆରୀ ଗ୍ରାମର ଜଗା ମଲିକ, ଦାସିଙ୍ଗବାଡ଼ି ଗ୍ରାମର ବିଜୟାନନ୍ଦ ନାୟକ ଏବଂ ଦୀପକ କୁମାର ନାୟକ ରହିଛନ୍ତି। ଏହି ଦୁଇଟି ମାମଲାରେ ଗିରଫ ୬ ଜଣ ଅଭିଯୁକ୍ତଙ୍କୁ ବନ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି। ଏହି ବେଆଇନ ବନ୍ୟଜନ୍ତୁ ଅଙ୍ଗ ଚୋରା କାରବାର ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଏହି ରାକେଟ୍ର ଚେର କେଉଁଠାକୁ ଲମ୍ବିଛି, ସେନେଇ ତଦନ୍ତ ଜାରି ରହିଛି। ପାରଳାଖେମୁଣ୍ଡି ଡିଏଫ୍ଓ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
