India Bloc On CEC: ଜ୍ଞନେଶଙ୍କୁ ହଟାଇବାକୁ ଏକାଠି ହେଲା ଇଣ୍ଡି ମେଣ୍ଟ- ଆସିଲାନି ଆପ୍ ଓ ଡିଏମକେ
ଇଣ୍ଡି ମେଣ୍ଟ ବୈଠକରେ ଦୁଇ ବିରୋଧୀ ଦଳ ଦୂରେଇ ରହିଲେ। ଏହି ଦୁଇଟି ଦଳ ହେଲା ଆମ୍ ଆଦମୀ ପାର୍ଟି ଓ ଡିଏମକେ। ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବାକୁ ସଂସଦରେ ପ୍ରସ୍ତାବ ଆଣିବା ସମ୍ପର୍କରେ ବିସ୍ତୃତ ବିଚାର ବିମର୍ଶ କରିଛନ୍ତି ଇଣ୍ଡି ମେଣ୍ଟ ନେତାଏ।

ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ଏକାଠି ହେଲେ ବିରୋଧୀ ଦଳ। ଦିଲ୍ଲୀ କନଷ୍ଟିଚ୍ୟୁସନ କ୍ଲବରେ ଏକାଠି ହେଲେ ଇଣ୍ଡି ମେଣ୍ଟର ପ୍ରମୁଖ ନେତା। ନିର୍ବାଚନ କମିଶନରେ ଅଲ୍ ଇଜ ନଟ୍ ଓ୍ୱେଲ। ସିଇସି ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ସଡ଼କରୁ ସୁପ୍ରିମକୋର୍ଟ ଯାଏ ଚାଲିଛି ଲଢ଼େଇ। ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବିକୁ ଅଧିକ ଶାଣିତ କରିବା ଲାଗି ରଣନୀତି ଉପରେ ମାନସମଂଥନ ଲାଗି ଏକାଠି ହୋଇଛନ୍ତି ଇଣ୍ଡିମେଣ୍ଟର ନେତାଏ। ଏହି ମୁଦ୍ଦାରେ ଏକଜୁଟ ହେବାର ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି। ରଣନୀତି ଅନୁସାରେ, ଅକ୍ଟୋବର ୨ରୁ ୮ ଯାଏ ଜିଲ୍ଲାସ୍ତରରେ ଗଣତନ୍ତ୍ର ବଞ୍ଚାଅ ରାଲି ହେବ। ଅକ୍ଟୋବର ୬ରେ ସମସ୍ତ ବିରୋଧୀ ସାଂସଦ ନିର୍ବାଚନ କମିଶନ ଅଫିସକୁ ପଦଯାତ୍ରା କରିବେ। ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ରାଷ୍ଟ୍ରପତିଙ୍କୁ ଭେଟିବା ଲାଗି ମହଲତ ମାଗିବେ। ୫ଟି ମେଗା ରାଲି ହେବ। ନଭେମ୍ୱର ପହିଲାରେ ଦିଲ୍ଲୀରେ ମେଗା ରାଲି କରାଯିବ। ସୁପ୍ରିମକୋର୍ଟରେ ଗଡ଼ୁଥିବା ଏସଆଇଆର ସମ୍ପର୍କିତ ସମସ୍ତ ମାମଲା ତ୍ୱରିତ ତୁଟାଇବା ଉପରେ ଜୋର ଦିଆଯାଇଛି। ଏ ନେଇ ଅପିଲ କରାଯାଇଛି। ତେବେ ଇଣ୍ଡି ମେଣ୍ଟ ବୈଠକରେ ଦୁଇ ବିରୋଧୀ ଦଳ ଦୂରେଇ ରହିଲେ। ଏହି ଦୁଇଟି ଦଳ ହେଲା ଆମ୍ ଆଦମୀ ପାର୍ଟି ଓ ଡିଏମକେ। ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବାକୁ ସଂସଦରେ ପ୍ରସ୍ତାବ ଆଣିବା ସମ୍ପର୍କରେ ବିସ୍ତୃତ ବିଚାର ବିମର୍ଶ କରିବେ ଇଣ୍ଡି ମେଣ୍ଟ ନେତାଏ। ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ଅଧ୍ୟକ୍ଷ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ମହାସଚିବ ଜୟରାମ ରମେଶ, କେସି ବେନୁଗୋପାଳଙ୍କ ବ୍ୟତୀତ ମମତା ବାନାର୍ଜୀ, ଅଭିଷେକ ବାନାର୍ଜୀଙ୍କ ସହ ସପା, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ସିପିଏମଏଲ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦ ପାଓ୍ୱାର), ଶିବସେନା (ଉଦ୍ଧବ ବାଲାସାହେବ ଠାକରେ)ଙ୍କ ପ୍ରତିନିଧି ବି ସାମିଲ ହୋଇଛନ୍ତି। ଭିଡ଼ିଓ କନଫରେନ୍ସରେ ସାମିଲ ହୋଇ ଉଦ୍ଧବ ଠାକରେ ଓ ହେମନ୍ତ ସୋରେନ ମତ ରଖିଥିଲେ। ୟୁପିରେ ସପା ପ୍ରମୁଖ ଅଖିଳେଶ ଯାଦବ ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ସମ୍ୱନ୍ଧୀୟ ଦସ୍ତାବିଜ ବ୍ୟବସ୍ଥା କାରଣରୁ ଅନୁପସ୍ଥିତ ରହିଥିଲେ। ଡିଏମକେ ମୁଖପାତ୍ର ଟି.କେ.ଏସ. ଏଲଙ୍ଗୋ କହିଛନ୍ତି, ତାଙ୍କ ଦଳ ବୈଚାରିକ ରୂପରେ ବିରୋଧୀ ଦଳ ସହ ଅଛି। ଇଣ୍ଡି ମେଣ୍ଟ ବୈଠକରେ ତାଙ୍କ ଦଳ କିନ୍ତୁ ସାମିଲ ହେବନି। ହେଲେ ଜ୍ଞାନେଶ କୁମାରଙ୍କୁ ହଟାଇବାକୁ ସଂସଦରେ ପ୍ରସ୍ତାବ ଆଗତ ହେଲେ ଦଳ ତାକୁ ସମର୍ଥନ କରିବ। ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପରେ ଡିଏମକେ ଓ କଂଗ୍ରେସ ଭିତରେ ମତଭେଦ ସାମ୍ନାକୁ ଆସିଥିଲା। ସେପଟେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରସ୍ପର ବିରୁଦ୍ଧରେ ଲଢିଥିବାରୁ କଂଗ୍ରେସ ଓ ଆପ୍ ଭିତରେ ମତଭେଦ ବଢ଼ିଥିଲା। ଆପ୍ ର କହିବା କଥା, ଯେଉଁଠି କଂଗ୍ରେସ ରହିବ, ସେଠି ଦଳ ସାମିଲ ହେବନି। ଗଲା ୩ ବର୍ଷରେ ଅଷ୍ଟମ ଥର ଏକାଠି ହୋଇଛନ୍ତି ବିପକ୍ଷ ଦଳ। ଏସଆଇଆର ଓ ନିର୍ବାଚନ କମିଶନ ଭିତରେ ମତଭଦ ବାବଦରେ ଚର୍ଚ୍ଚା ହୋଇଛି। ପ୍ରାୟ ସାଢେ ୩ ଘଣ୍ଟା ଧରି ମାନସମଂଥନ ହୋଇଥିଲା। ମୋଦି ଓ ଶାହ ନିର୍ବାଚନ ଆୟୋଗଙ୍କୁ ସଖି କଣ୍ଢେଇ ଭାବେ କାମ କରାଉଛନ୍ତି ବୋଲି ଆରୋପ ଲଦିଛନ୍ତି ବିରୋଧୀ। ଖଡ଼ଗେ କହିଥିଲେ, ଭୋଟ ଚୋରି କରି ନିର୍ବାଚନ ଜିତୁଛନ୍ତି ଏମାନେ। ଯେତେବେଳେ ଚୋରିକୁ ବିରୋଧ କରାଯାଏ, ବିରୋଧୀଙ୍କ ପଛରେ ଇଡି, ସିବିଆଇ ଓ ଇନକମ ଟାକ୍ସ ଲଗାଇ ହଇରାଣ କରୁଛନ୍ତି।
