NISHAD LEADER KILLED:ସୋସିଆଲ ମିଡିଆ ପୋଷ୍ଟରୁ ନିଷାଦ ନେତାଙ୍କୁ ହତ୍ୟା
ଫେସବୁକରେ ଲଗାତାର ନିଷାଦ ସମାଜକୁ ନେଇ କରୁଥିବା ପୋଷ୍ଟ ବାବଦରେ ପଚାରିଥିଲେ। କାହିଁକି ଏଭଳି ପୋଷ୍ଟ ବୋଲି ପଚାରିଥିଲା ଶୁଭମ। ବିନୋଦ କହିଥିଲେ, ନିଷାଦ ସମାଜ ସହ ହେଉଥିବା ଅନ୍ୟାୟ, ଅତ୍ୟାଚାର ଓ ନିଜ ହକ୍,ଅଧିକାରକୁ ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି।

ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ବିବାଦ ଓ ମର୍ଡର। ଗୋଣ୍ଡାର ବାସନ ବେପାରୀ ତଥା ନିଷାଦ ସମାଜର ନେତା ଓ ଭିଆଇପି ପାର୍ଟି ସହ ଜଡ଼ିତ ବିନୋଦ କୁମାର ସାହନୀଙ୍କୁ ହତ୍ୟା। ସୋସିଆଲ ମିଡିଆରେ ବିନୋଦ କରୁଥିବା ନିରନ୍ତର ବିବାଦୀୟ ପୋଷ୍ଟକୁ ନେଇ କିଛି ଲୋକଙ୍କ ସହ ତାଙ୍କର ଶତୃତା ଥିଲା। ବୁଧବାର ବିଳମ୍ୱିତ ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିବା ସମୟରେ ମୁଖ୍ୟ ଅଭିଯୁକ୍ତ ଶୁଭମ ସିଂ ଓରଫ ଗୋଲୁ ଓ ତା ସାଥୀମାନେ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ବିନୋଦଙ୍କର ଗତକାଲି ମୃତ୍ୟୁ ହୋଇଛି। ଏ ମାମଲାରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିଲା ବେଳେ ରାସ୍ତାରେ ବିନୋଦଙ୍କ ଗାଡ଼ି ଆଗରେ ନିଜ ଗାଡ଼ି ରଖିଦେଲେ। ଫେସବୁକରେ ଲଗାତାର ନିଷାଦ ସମାଜକୁ ନେଇ କରୁଥିବା ପୋଷ୍ଟ ବାବଦରେ ପଚାରିଥିଲେ। କାହିଁକି ଏଭଳି ପୋଷ୍ଟ ବୋଲି ପଚାରିଥିଲା ଶୁଭମ। ବିନୋଦ କହିଥିଲେ, ନିଷାଦ ସମାଜ ସହ ହେଉଥିବା ଅନ୍ୟାୟ, ଅତ୍ୟାଚାର ଓ ନିଜ ହକ୍,ଅଧିକାରକୁ ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଏ ବିବାଦରୁ କଥା କଟାକଟି ପରେ ଶୁଭମ ସିଂ, ସୁବାଷ ସିଂ ଓ ଆକାଶ ସିଂ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଧାରୁଆ ଅସ୍ତ୍ରରେ ହାଣିଥିଲେ। ଗୁରୁତର ଆହତ ହୋଇ ନିଜ ପରିବାର ଲୋକଙ୍କୁ ଫୋନ୍ କରି ଜଣାଇଥିଲେ ବିନୋଦ। ବିନୋଦ ସାହନି ସୋସିଆଲ ମିଡିଆରେ ନିଷାଦ ସମାଜ ସହ ଜଡ଼ିତ ମୁଦ୍ଦାକୁ ନେଇ ଲଗାତାର ପୋଷ୍ଟ କରୁଥିଲେ। ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ସେ ସାଧ୍ୱୀ ନିରଞ୍ଜନ ଜ୍ୟୋତି ଓ ରାଜୁ ଦାସଙ୍କ ଫଟୋ ସହ ଏକ ରିଲ ପୋଷ୍ଟ କରିଥିଲେ। ଏଥିରେ ଏକ ଗୀତ ଲଗାଇଥିଲେ। ଆଉ ଲେଖିଥିଲେ, ଯଦି ଗୀତ ପସନ୍ଦ ଆସେ। ଆଉ ଆପଣଙ୍କ ଭିତରେ ନିଷାଦରାଜର ରକ୍ତ ବହୁଛି, ତାହେଲେ ଏ ଭିଡ଼ିଓ ଅଧିକରୁ ଅଧିକ ସେୟାର କର। ନିଷାଦ ସମାଜର ଶତୃ ହୋଇଥିଲେ, ସେମାନେ କ୍ଷାନ୍ତ ରୁହନ୍ତୁ। ଫେସବୁକ ପୋଷ୍ଟରେ କ୍ୟାବିନେଟ ମନ୍ତ୍ରୀ ଡାକ୍ତର ସଞ୍ଜୟ ନିଷାଦ,ତାଙ୍କ ପୁଅ ଶ୍ରବଣ ନିଷାଦଙ୍କୁ ନେଇ ବି ସେ ରାଜନୀତିକ ଟିପ୍ପଣୀ କରୁଥିଲେ। ଏହାକୁ ନେଇ ପୂର୍ବରୁ ବି ଲୋକଙ୍କ ସହ ତାଙ୍କର ବଚସା ହୋଇଥିଲା। ବିନୋଦ ସାହନି ପ୍ରଥମେ ସମାଜବାଦୀ ପାର୍ଟି, ଆଜାଦ ସମାଜ ପାର୍ଟି ଓ ନିଷାଦ ସମାଜ ପାର୍ଟିରେ ଅଲଗା ଅଲଗା ପଦରେ ଥିଲେ। ସେ କରନୈଲଗଞ୍ଜ ବିଧାନସଭା ଓ କୈସରଗଞ୍ଜ ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିଲେ। ନିଷାଦ ସମାଜରେ ତାଙ୍କର ବେଶ୍ ଦବଦବା ଥିଲା। କାରଣ ସମାଜ ସହ ଜଡ଼ିତ ମୁଦ୍ଦାକୁ ସେ ନିରନ୍ତର ଉଠାଉଥିଲେ। ତାଙ୍କର ଗୋଟିଏ ପୁଅ ଓ ଦୁଇ ଝିଅ ଅଛନ୍ତି। ବଡ଼ ଝିଅ ରାଗିଣୀଙ୍କ ବିବାହ ସରିଥିଲା ବେଳେ ପୁଅ ରାଜା ଓ ସାନ ଝିଅ ବିଜୟଲକ୍ଷ୍ମୀଙ୍କ ବିବାହ ହୋଇନି। ଘଟଣାର ଗମ୍ଭୀରତା ଦୃଷ୍ଟିରୁ ସିଏମ ଅଫିସରୁ ନିର୍ଦେଶ ପରେ ପରସପୁର ଥାନା ଇନଚାର୍ଜ କମଲା ଶଙ୍କର ଚତୁର୍ବେଦୀ ଓ ଶାହପୁର ଫାଣ୍ଡି ଅଧିକାରୀ ଅଙ୍କିତ ସିଂଙ୍କୁ ସସପେଣ୍ଡ କରିଦିଆଯାଇଛି। ଦୁହିଁଙ୍କ ବିରୁଦ୍ଧରେ ବିଭାଗୀୟ ଯାଞ୍ଚ ଲାଗି ନିର୍ଦେଶ ଦିଆଯାଇଛି।
