ବେଣ୍ଟ ଜଙ୍ଗଲରୁ ନର-କଙ୍କାଳ ଠାବ ଘଟଣାର ପର୍ଦ୍ଦାଫାଶ
ଚାନ୍ଦପୁର ବେଣ୍ଟ ଜଙ୍ଗଲ ନର-କଙ୍କାଳ ମାମଲାରେ ବଡ଼ ଖୁଲାସା। ମୋବାଇଲ୍ ଟ୍ରାକିଂ ପରେ ୨ ଅଭିଯୁକ୍ତ ଗିରଫ।
ଖୋର୍ଦ୍ଧା: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନ ବେଣ୍ଟ ଗ୍ରାମ ଜଙ୍ଗଲରୁ ନର-କଙ୍କାଳ ଠାବ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ନର-କଙ୍କାଳଟି ଯାଜପୁର ଜିଲ୍ଲା ଗୋପାଳପୁର ଗାଁର ୨୨ ବର୍ଷୀୟ ଦିବ୍ୟ ମହାପାତ୍ରଙ୍କର ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଚାନ୍ଦପୁର ପୁଲିସ ୨ ଜଣଙ୍କୁ ଗିରଫ କରିଛି। ପୁଲିସର ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦିବ୍ୟଙ୍କୁ ହତ୍ୟା କରାଯାଇଥିଲା। ଅଭିଯୋଗ ଅନୁସାରେ, ଦିବ୍ୟଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ବେଣ୍ଟ ଜଙ୍ଗଲ ମଧ୍ୟରେ ଫିଙ୍ଗି ଦିଆଯାଇଥିଲା। ଏହାପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିବା ପୁଲିସ କହିଛି।
ଦିବ୍ୟଙ୍କ ମୋବାଇଲ୍ ଫୋନ୍ ଟ୍ରାକ୍ କରିବା ପରେ ଚାନ୍ଦପୁର ପୁଲିସ ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚିଥିଲା। ତଦନ୍ତ ପରେ ଢେଙ୍କାନାଳର ରାକେଶ ସେଠୀ ଏବଂ ସୋର ଥାନା ଅଧୀନ ରଞ୍ଜା ଅଞ୍ଚଳର ଜଣେ ନାବାଳକଙ୍କୁ ପୁଲିସ ଧରିଥିଲା। ପଚରାଉଚରା ସମୟରେ ଅଭିଯୁକ୍ତମାନେ ହତ୍ୟାକାଣ୍ଡ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିବା ଜଣାପଡ଼ିଛି। ସେମାନଙ୍କ ବୟାନ ଆଧାରରେ ପୁଲିସ ଘଟଣାସ୍ଥଳକୁ ଯାଇ ସିନ୍-ରିକ୍ରିଏସନ୍ କରିଥିଲା। ବେଣ୍ଟ ଜଙ୍ଗଲରୁ ନର-କଙ୍କାଳ ମିଳିବା ପରେ ପ୍ରାଥମିକ ଭାବେ ଏହା ସ୍ଥାନୀୟ ଓସ୍ତପଡ଼ା ଗାଁର କାଳିଆ ସାହୁଙ୍କର ବୋଲି ଚର୍ଚ୍ଚା ହୋଇଥିଲା। ତେବେ ପରବର୍ତ୍ତୀ ତଦନ୍ତରେ ଏହା କାଳିଆ ସାହୁଙ୍କର ନୁହେଁ ବୋଲି ଜଣାପଡ଼ିଛି। ପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତମାନଙ୍କ ବୟାନ ଆଧାରରେ ବେଣ୍ଟ ଜଙ୍ଗଲରୁ ମିଳିଥିବା ନର-କଙ୍କାଳଟି ଯାଜପୁର ଜିଲ୍ଲା ଗୋପାଳପୁର ଗାଁର ଦିବ୍ୟ ମହାପାତ୍ରଙ୍କର ବୋଲି ଜଣାପଡ଼ିଛି।
ତେବେ ନର-କଙ୍କାଳର DNA ରିପୋର୍ଟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ତେଣୁ DNA ରିପୋର୍ଟ ଆସିବା ପରେ ମୃତକଙ୍କ ପରିଚୟ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିପାରେ। ନୟାଗଡ଼ ଏସ୍ପି ସୁବାଷ ଚନ୍ଦ୍ର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛନ୍ତି। ଘଟଣାର ଅନ୍ୟାନ୍ୟ ଦିଗକୁ ନେଇ ଚାନ୍ଦପୁର ପୁଲିସର ତଦନ୍ତ ଜାରି ରହିଛି।
