Parineeti Chopra: “ରାଜନେତାଙ୍କୁ ବିବାହ କରିବିନି”ରୁ “ରାଘବ ହିଁ ଜୀବନସାଥୀ”
ପୁଣି ଚର୍ଚ୍ଚାରେ ପରିଣୀତି ଚୋପ୍ରା ଓ ରାଘବ ଚଢ଼ାଙ୍କ ଲଭ୍ ଷ୍ଟୋରୀ । ରାଘବ ଚଢ଼ାଙ୍କୁ କାହିଁକି ବିବାହ କଲେ ପରିଣୀତି? କହିଲେ—“ଆମ ସମ୍ପର୍କରେ ଥିଲା ଅଧିକ ଦାୟିତ୍ୱ” ।
ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ବିବାହକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ୨୦୨୩ ସେପ୍ଟେମ୍ବରରେ ଦୁହେଁ ବିବାହ କରିଥିଲେ। ବିବାହ ପୂର୍ବରୁ ପରିଣୀତିଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଜଣେ ରାଜନେତାଙ୍କୁ ବିବାହ କରିବେ ନାହିଁ ବୋଲି କହିଥିଲେ। ନିକଟରେ ନେଟଫ୍ଲିକ୍ସର ‘Shaque: Trust No One’ ପ୍ରଚାର ସମୟରେ ନୟନଦୀପ ରକ୍ଷିତଙ୍କ ସହ କଥାବାର୍ତ୍ତା ବେଳେ ପରିଣୀତି ତାଙ୍କ ବିବାହ ଓ ରାଘବଙ୍କ ସହ ସମ୍ପର୍କ ବିଷୟରେ ଖୋଲାମେଲା ଭାବେ କହିଛନ୍ତି।
ପରିଣୀତିଙ୍କ କହିବା ଅନୁସାରେ, ତାଙ୍କର ଓ ରାଘବଙ୍କ ସମ୍ପର୍କରେ ଅନ୍ୟମାନଙ୍କ ତୁଳନାରେ ଅଧିକ ଦାୟିତ୍ୱ ଥିଲା। ରାଘବ ଦିଲ୍ଲୀରେ ରହୁଥିବା ବେଳେ ପରିଣୀତି ମୁମ୍ବାଇରେ ରୁହନ୍ତି। ଜଣେ ମନୋରଞ୍ଜନ ଜଗତରୁ ଏବଂ ଅନ୍ୟଜଣ ରାଜନୀତି କ୍ଷେତ୍ରରୁ ଆସିଥିବାରୁ ଦୁହିଁଙ୍କ ଜୀବନଶୈଳୀ ମଧ୍ୟରେ ପାର୍ଥକ୍ୟ ରହିଥିଲା। ପରିଣୀତି କହିଛନ୍ତି ଯେ ଦୁଇ ପରିବାର, ଏକ ରାଜନୈତିକ ପରିବାର ଓ ଅନ୍ୟଟି ବ୍ୟବସାୟିକ ପୃଷ୍ଠଭୂମିର ଏକାଠି ହେଉଥିବାରୁ ଦୁହିଁଙ୍କ ମଧ୍ୟରେ ଭଲ ବୁଝାମଣା ରହିବା ଅତ୍ୟନ୍ତ ଜରୁରୀ ଥିଲା। ପରିଣୀତିଙ୍କ ଅନୁସାରେ, ସମ୍ପର୍କର ପ୍ରଥମ ଦିନରୁ ହିଁ ସେ ଓ ରାଘବ ସ୍ପଷ୍ଟ ଥିଲେ ଯେ ଏହି ସମ୍ପର୍କକୁ ସଫଳ କରିବାକୁ ହେଲେ ପରସ୍ପରକୁ ସମାନ ଭାବେ ଦେଖିବାକୁ ପଡ଼ିବ। ସେ କହିଥିଲେ, “ଆମେ ବନ୍ଧୁଙ୍କ ଭଳି ଏବଂ ପ୍ରକୃତରେ ଆମେ ପରସ୍ପରର ସମାନ। ଆମେ ଆମ କ୍ୟାରିୟର କିମ୍ବା ବାହାର ଦୁନିଆର କୌଣସି ଭାରକୁ ଆମ ସମ୍ପର୍କ ଭିତରକୁ ଆଣୁନାହୁଁ।” ସେ ଆହୁରି କହିଛନ୍ତି ଯେ ଯେତେବେଳେ ସେ ଓ ରାଘବ ନିଜସ୍ୱ ସମୟରେ ରହନ୍ତି, ସାଧାରଣ ନାଇଟ୍ ସୁଟ୍ ପିନ୍ଧି ଦୁହେଁ ନିଜ ଦୁନିଆରେ ଥାନ୍ତି, ନାଇଟ୍ ସୁଟ୍ ପିନ୍ଧି ନିଜ ଘରେ ଦୁହେଁ ଯେତେବେଳେ ଏକାଠି ଥାଆନ୍ତି, ସେହି ସମୟକୁ ପରିଣୀତି କହିଛନ୍ତି ତାଙ୍କ ସମ୍ପର୍କର “ମୋଷ୍ଟ ପ୍ୟୁର୍” ମୁହୂର୍ତ୍ତ। ପରିଣୀତି ପୂର୍ବରୁ କହିଥିବା କଥା ଅନୁସାରେ, ସେ ଏପରି ଜଣେ ସଫଳ ପୁରୁଷଙ୍କୁ ବିବାହ କରିବାକୁ ଚାହୁଁଥିଲେ, ଯିଏ ନମ୍ର ହେବା ସହ ତାଙ୍କ ଭଳି ମଧ୍ୟବିତ୍ତ ପରିବାରରୁ ଆସିଥିବେ। ରାଘବଙ୍କ ମଧ୍ୟରେ ସେ ଏହି ଗୁଣଗୁଡ଼ିକ ଦେଖିଥିବା କଥା ଅଭିନେତ୍ରୀ କହିଛନ୍ତି। ସୂଚନା ଅନୁସାରେ, ୨୦୨୩ରେ ଉଦୟପୁରରେ ପରିଣୀତି ଓ ରାଘବଙ୍କ ବିବାହ ଅନୁଷ୍ଠିତ ହୋଇଥିଲା।
