RAYSEN JAIL FIRING: ରାୟସେନ ଜେଲ ଗୁଳିକାଣ୍ଡର ଆସିଲା ସିସିଟିଭି ଫୁଟେଜ
ପ୍ରହରୀଙ୍କୁ ଧମକ ଦେଇଥିଲା। ଏହାକୁ ବିରୋଧ କରିବାରୁ ଉଭୟଙ୍କ ଭିତରେ ହାତାହାତି ହୋଇଥିଲା। ଏତିକିବେଳେ ନିଲେଶ ତାଙ୍କ ଉପରେ ଫାୟାରିଂ କରିଥିଲା। ଆଉ ଗୁଳି ଲାଗିବା ପରେ ପ୍ରହରୀ ତଳେ ପଡ଼ିଯାଇଥିଲେ। ଏତିକିରେ ଶାନ୍ତ ପଡ଼ିନଥିଲା ନିଲେଶ। ତଳେ ପଡ଼ି ଛଟପଟ ହେଉଥିବା ଦିଗବିଜୟଙ୍କ ମୁଣ୍ଡକୁ କଟ୍ଟାର ବଟ୍ ରେ ଦୁଇ ଥର ମାରିଥିଲା। ଆଉ ତାଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇଦେଲା।

ମଧ୍ୟପ୍ରଦେଶର ରାୟସେନ ଜେଲ ଗୁଳିକାଣ୍ଡର ଆସିଲା ସିସିଟିଭି ଫୁଟେଜ। ୨ ମିନିଟର ଫୁଟେଜ ଖୋଲିଲା ଷଡ଼ଯନ୍ତ୍ରର ରହସ୍ୟ। କଏଦୀ କେମିତି ଫେରାର ହେବାକୁ ଉଦ୍ୟମ କରିଥିଲା, ଏହାର ପୁରା ଚିତ୍ର ସାମ୍ନାକୁ ଆସିଲା। ୯ଦିନ ତଳେ ଜିଲ୍ଲା ଜେଲରେ ହୋଇଥିବା ଗୁଳିକାଣ୍ଡର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଭିଡ଼ିଓରେ ବିଚାରାଧୀନ କଏଦୀ ଜେଲର ପ୍ରହରୀଙ୍କୁ ଦେଶୀ କଟ୍ଟାରେ ଆକ୍ରମଣ କରି ଫେରାର୍ ହେବାକୁ ବସିଥିଲା। ଫୁଟେଜ ଭାଇରାଲ ପରେ ଜେଲର ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନବାଚୀ ଛିଡ଼ା ହୋଇଛି। ସେପ୍ଟେମ୍ୱର ୨ର ଘଟଣା। ବିଚାରାଧୀନ କଏଦୀ ନିଲେଶ ଓରଫ ଛୋଟେଲ ଜେଲ ପ୍ରହରୀଙ୍କ ଉପରେ ଆକ୍ରମଣ କରି ଫେରାର ହେବାକୁ ବସିଥିଲା। ସିସିଟିଭି ଫୁଟେଜ ଲିକ୍ ହେବା ପରେ ଜେଲର ସୁରକ୍ଷା ଓ ରେକର୍ଡର ଗୋପନୀୟତାକୁ ନେଇ ପ୍ରଶ୍ନ ଉଠିଛି। ଆଗ ଜେଲ ପ୍ରହରୀ ଦିଗବିଜୟ ସିଂ ତୋମରଙ୍କଠୁ ଚାବିକୁ ନେଇ କଥାବାର୍ତ୍ତା କରିଥିଲେ। ପ୍ରହରୀ ଭିତରକୁ ଗଲା ପରେ ନିଲେଶ ହାତରେ ଦେଶୀ କଟ୍ଟା ଧରି ଆସିଥିଲା। ଆଉ ପ୍ରହରୀଙ୍କୁ ଧମକ ଦେଇଥିଲା। ଏହାକୁ ବିରୋଧ କରିବାରୁ ଉଭୟଙ୍କ ଭିତରେ ହାତାହାତି ହୋଇଥିଲା। ଏତିକିବେଳେ ନିଲେଶ ତାଙ୍କ ଉପରେ ଫାୟାରିଂ କରିଥିଲା। ଆଉ ଗୁଳି ଲାଗିବା ପରେ ପ୍ରହରୀ ତଳେ ପଡ଼ିଯାଇଥିଲେ। ଏତିକିରେ ଶାନ୍ତ ପଡ଼ିନଥିଲା ନିଲେଶ। ତଳେ ପଡ଼ି ଛଟପଟ ହେଉଥିବା ଦିଗବିଜୟଙ୍କ ମୁଣ୍ଡକୁ କଟ୍ଟାର ବଟ୍ ରେ ଦୁଇ ଥର ମାରିଥିଲା। ଆଉ ତାଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇଦେଲା। ଏହା ପରେ ସେ ଗେଟର ଚାବି ଖୋଜିବାକୁ ଲାଗିଥିଲା। ଏତିକିବେଳେ ଜଣେ ମହିଳା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଳେ ପଡ଼ିଥିବା ଦେଶୀ ବନ୍ଧୁକକୁ ଉଠାଇନେଲେ। ଆହତ ସତ୍ତ୍ୱେ କଏଦୀ ନିଲେଶକୁ ଧରିଦେଇଥିଲେ ଦିଗବିଜୟ। ଚିତ୍କାର ଶୁଣି ଅନ୍ୟ ଜେଲକର୍ମୀ ପହଞ୍ଚିଯାଇଥିଲେ ଓ ଅଭିଯୁକ୍ତକୁ କାବୁ କରିନେଇଥିଲେ। ତଲାସି ବେଳେ ନିଲେଶ ପାଖରୁ ୪ଟି ଜୀବନ୍ତ ଖୋକା ଓ ଏକ ମୋବାଇଲ ବି ସିଜ୍ କରାଯାଇଛି। ପୁଲିସ ତଦନ୍ତରୁ ଜଣାପଡ଼ିଛି, ଏହି ଆକ୍ରମଣ ଅଚାନକ ନଥିଲା। ବରଂ ଜେଲରୁ ଖସିଯିବାକୁ ଏକ ଷଡ଼ଯନ୍ତ୍ର ଥିଲା। ନିଲେଶ ପ୍ରାୟ ୧୧ମାସ ହେଲା ରାୟସେନ ଜେଲରେ ବନ୍ଦୀ ଅଛନ୍ତି। ପରାଠିର ନେପାଳ ସିଂ ହତ୍ୟାକାଣ୍ଡରେ ବିଚାରାଧୀନ କଏଦୀ। ଯେବେକି ବରେଲିର ରାଜକୁମାର ରାଜପୁତ ହତ୍ୟକାଣ୍ଡରେ ତାଙ୍କୁ ସଜ୍ଜା ହୋଇସାରିଛି। ଜେଲରେ ତାଙ୍କର ବନ୍ଧୁତା ରାହୁଲ ବେଦି ସହ ହୋଇଥିଲା। ପୁଲିସ ଅନୁସାରେ, ଜେଲରୁ ଫେରାର୍ ହେବା ଲାଗି ରାହୁଲ ପାଖରୁ ନିଲେଶ ହତିଆର ମଗାଇବାକୁ କହିଥିଲା। ଜିଲାପାରି କାରଣରୁ ରାହୁଲ ନିଜେ ଆସିପାରିଲାନି। ସେଥିଲାଗି ନିଜ ସାଥୀ ଶୁଭମ ବେଦୀକୁ କହିଥିଲା। ଅଗଷ୍ଟ ୧୯ରେ ନିଲେଶର ମାମୁଁ ସୁପିୟାର ସିଂ ଶୁଭମ ବେଦୀକୁ ୩୧୫ ବୋର୍ ଦେଶୀ କଟ୍ଟା ଓ ୫ଟି କାର୍ଟୁସ ଦେଇଥିଲା। ଜେଲ ବାହାର କାନ୍ଥ ପାଖରେ ସ୍ଥିରିକୃତ ଜାଗାରେ ଶୁଭମ ପ୍ୟାକେଟ୍ ଫିଙ୍ଗିଦେଲା। ଯାହାକୁ ନିଲେଶ ଏହାକୁ ଭିତରୁ ଉଠାଇ ନେଇ ଲୁଚାଇଦେଲା। ସେପ୍ଟେମ୍ୱର ୨ରେ ଜେଲ ଅଧୀକ୍ଷକ ଛୁଟିରେ ଥିବାରୁ ଏହାର ଫାଏଦା ନେଇଥିଲା ନିଲେଶ।
