Saikula School Management:ବାରମ୍ବାର ବୈଠକ, ହେଉନି ସମାଧାନ: ସାଇଁକୁଳ ଆଶ୍ରମ ବିଦ୍ୟାଳୟରେ ଉତ୍ତେଜନା
ଘସିପୁରା ବ୍ଲକ ଅନ୍ତର୍ଗତ ସାଇଁକୁଳ ସରକାରୀ ଆଶ୍ରମ ବିଦ୍ୟାଳୟରେ ପରିଚାଳନା କମିଟି ଗଠନକୁ ନେଇ ଉତ୍ତେଜନା ଦେଖାଦେଇଛି । କମିଟି ଗଠନ ପାଇଁ ବାରମ୍ବାର ଅଭିଭାବକମାନଙ୍କୁ ଡକାଯାଉଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ ହୋଇଛି ।
ଅବ୍ୟବସ୍ଥା ଘେରରେ ସାଇଁକୁଳ ସରକାରୀ ଆଶ୍ରମ ବିଦ୍ୟାଳୟ । ଘସିପୁରା ବ୍ଲକ ଅନ୍ତର୍ଗତ ସାଇଁକୁଳ ସରକାରୀ ଆଶ୍ରମ ବିଦ୍ୟାଳୟରେ ପରିଚାଳନା କମିଟି ଗଠନକୁ ନେଇ ଉତ୍ତେଜନା ଦେଖାଦେଇଛି । କମିଟି ଗଠନ ପାଇଁ ବାରମ୍ବାର ଅଭିଭାବକମାନଙ୍କୁ ଡକାଯାଉଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଓ ଉପସଭାପତି ନିର୍ବାଚନ ପାଇଁ ଗ୍ରାମର ଦୁଇ ପକ୍ଷରୁ ଶତାଧିକ ଗ୍ରାମବାସୀ ଓ ଅଭିଭାବକ ବିଦ୍ୟାଳୟ ପରିସରରେ ଏକାଠି ହୋଇଥିଲେ । ତେବେ କୌଣସି କାରଣ ଦର୍ଶାଇ ପ୍ରଧାନ ଶିକ୍ଷୟିତ୍ରୀ ନିର୍ବାଚନ ପ୍ରକ୍ରିୟାକୁ ବାତିଲ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହେବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଏହାକୁ ନେଇ ଉପସ୍ଥିତ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ପରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇ ରାମଚନ୍ଦ୍ରପୁର ପୋଲିସ ବିଦ୍ୟାଳୟ ପରିସରରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି । ପରିଚାଳନା କମିଟି ଗଠନକୁ ନେଇ ଲାଗିରହିଥିବା ବିବାଦର ସ୍ଥାୟୀ ସମାଧାନ ସହ ଅଭିଭାବକମାନଙ୍କ ଦାବି ଉପରେ ପ୍ରଶାସନ ପଦକ୍ଷେପ ନେବାକୁ ସ୍ଥାନୀୟ ମହଲରେ ଦାବି ହୋଇଛି ।
