୨୨ହଜାର କୋଟିର ଋଣ- ମାତ୍ର ୬.୫ କୋଟିରେ କେମିତି ହେଲା ସେଟଲମେଣ୍ଟ ?
ତାଙ୍କ ଉପରେ ୬ହଜାର୨୦୩ କୋଟି ଟଙ୍କାର ଅଦାଲତି କରଜ ଥିଲା। କିନ୍ତୁ ସରକାର ଓ ବ୍ୟାଙ୍କ ତାଙ୍କଠୁ ୧୪ହଜାର୧୦୦ କୋଟି ଟଙ୍କା ଅସୁଲି କରିନେଲେ। ହେଲେ ଅନ୍ୟ ଋଣଗ୍ରହିତା ଅତି କମ୍ ପରିମାଣ ଦେଇ ସେଟଲମେଣ୍ଟ କରିଦେଲେ। କିନ୍ତୁ ତାଙ୍କ ସହ ଅଲଗା ବ୍ୟବହାର କରାଗଲା। ତେବେ ଏନସିଏଲଟି କେମିତି ତୁଟାଇଲା ଏ ବିବାଦ। ଏନସିଏଲଟିର ଦୁଇ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠରେ ବିଭାଜିତ ରାୟ ଆସିଥିଲା।

୨୨ହଜାର କୋଟି ଟଙ୍କାର କରଜ। ହେଲେ ମାତ୍ର ୬.୫ କୋଟିରେ ହୋଇଗଲା ସେଟଲ। ସୁବାଷ ଚନ୍ଦ୍ରାଙ୍କ ରିପେମେଣ୍ଟ ପ୍ଲାନକୁ ଏନସିଏଲଟି ଏଭଳି ମଞ୍ଜୁରୀ ଦେବା ପରେ ଏବେ ସବୁଠି ଚର୍ଚ୍ଚା। ମାଲ୍ୟା କହିଲେ- ସରକାରଙ୍କ ଏହା ଦୋହରା ନୀତି। ଜି ଗ୍ରୁପର ଫାଉଣ୍ଡର ସୁବାଷ ଚନ୍ଦ୍ରା ନେଇଥିବା ୨୨ହଜାର କୋଟିର ଲୋନ୍ ମାତ୍ର ୬.୫ କୋଟିରେ ସୁଝିଯିବ। ଏଥିରେ କରଜ ଦେଇଥିବା ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାକୁ ନିଜର ୯୯.୯୭ ପ୍ରତିଶତ ବକେୟା ଟଙ୍କାର କ୍ଷତି ସହିବାକୁ ପଡ଼ିବ। ଅର୍ଥାତ୍ ଏହା ସହ ପୁରା ୨୨ହଜାର କୋଟିରୁ ଅଧିକ ଟଙ୍କାର ବକେୟା ଆଇନଗତ ଲଢ଼େଇ ସବୁଦିନ ଲାଗି ସରିଗଲା। ଚନ୍ଦ୍ରାଙ୍କୁ ଏତେ ବଡ଼ ସେଟଲମେଣ୍ଟ ଦେଖି ପଳାତକ ବିଜୟ ମାଲ୍ୟା ଏକ୍ସ-ରେ ପୋଷ୍ଟ କରି କହିଛନ୍ତି, ଏହା ହେଉଛି ଭାରତୀୟ ନ୍ୟାୟ ବ୍ୟବସ୍ଥାକୁ ଅସଲ ପରିହାସ। ମାଲ୍ୟା କହିଛନ୍ତି,ତାଙ୍କ ଉପରେ ୬ହଜାର୨୦୩ କୋଟି ଟଙ୍କାର ଅଦାଲତି କରଜ ଥିଲା। କିନ୍ତୁ ସରକାର ଓ ବ୍ୟାଙ୍କ ତାଙ୍କଠୁ ୧୪ହଜାର୧୦୦ କୋଟି ଟଙ୍କା ଅସୁଲି କରିନେଲେ। ହେଲେ ଅନ୍ୟ ଋଣଗ୍ରହିତା ଅତି କମ୍ ପରିମାଣ ଦେଇ ସେଟଲମେଣ୍ଟ କରିଦେଲେ। କିନ୍ତୁ ତାଙ୍କ ସହ ଅଲଗା ବ୍ୟବହାର କରାଗଲା। ତେବେ ଏନସିଏଲଟି କେମିତି ତୁଟାଇଲା ଏ ବିବାଦ। ଏନସିଏଲଟିର ଦୁଇ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠରେ ବିଭାଜିତ ରାୟ ଆସିଥିଲା। ଏହା ପରେ ଏନସିଏଲଟି ଅଧ୍ୟକ୍ଷ ତୃତୀୟ ସଦସ୍ୟ ଭାବେ ଜୁଡିସିଆଲ ମେମ୍ୱର ନୀଲେଶ ଶର୍ମାଙ୍କୁ ନିଯୁକ୍ତ କରିଥିଲେ। ନୀଲେଶ ଶର୍ମା ବହୁମତ ଆଧାରରେ ୧୪୪ ପୃଷ୍ଠାର ଆଦେଶରେ ରିପେମେଣ୍ଟ ପ୍ଲାନକୁ ମଞ୍ଜୁରୀ ଦେଇଦେଲେ। ଏତେ ବଡ଼ ଅର୍ଥ ସୁବାଷ ଚନ୍ଦ୍ରାଙ୍କ ଦ୍ୱାରା ପର୍ସନାଲ ଗ୍ୟାରେଣ୍ଟି ସହ ଜଡ଼ିତ। ଏସେଲ ଗ୍ରୁପ କମ୍ପାନୀ ପାଇଁ ନିଆଯାଇଥିବା ଲୋନ୍ ପାଇଁ ସୁବାଷ ଚନ୍ଦ୍ରା ବ୍ୟକ୍ତିଗତ ଗ୍ୟାରେଣ୍ଟର ପଡ଼ିଥିଲେ। କମ୍ପାନୀ ଖିଲାଫି କରିବାରୁ ଏହି ଋଣ ସୁଝିବା ଦାବି ସୁବାଷଙ୍କ ଉପରେ ପଡ଼ିଥିଲା। ଏହାର ଅର୍ଥ ନୁହେଁ ଯେ, ସେ ସବୁତକ ଟଙ୍କା ନିଜେ ଧାର ନେଇଥିଲେ। ଏ ପୁରା ମାମଲା ୨୦୧୬ରେ ଆରମ୍ଭ ହୋଇଥିଲା। ଯେବେ ଇଣ୍ଡିଆବୁଲ୍ସ ହାଉସିଂ ଫାଇନାନ୍ସ (IHF) କିଛି କମ୍ପାନୀକୁ ୭୨୬ କୋଟି ଟଙ୍କାର କରଜ ଦେଇଥିଲା। ୨୦୧୮ରେ ସୁବାଷ ଚନ୍ଦ୍ରା ଏହି ଋଣର ବ୍ୟକ୍ତିଗତ ଗ୍ୟାରେଣ୍ଟର ସାଜିଥିଲେ। ଅର୍ଥାତ୍ ବାକି କମ୍ପାନୀ ଟଙ୍କା ନ ସୁଝିଲେ, ସୁବାଷ ଚନ୍ଦ୍ରା ହିଁ ଏହାକୁ ଭରଣା କରିବେ। ଯେବେ କମ୍ପାନୀଗୁଡ଼ିକ ଋଣ ସୁଝିବାରେ ଖିଲାଫି ହେଲେ, ଇଣ୍ଡିଆବୁଲ୍ସ ୨୦୨୨ରେ ସୁବାଷ ଚନ୍ଦ୍ରାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲା। ୨୦୨୪ରେ ଏନସିଏଲଟି ଏହି କେସକୁ ଆଗକୁ ବଢ଼ାଇଥିଲା। ତେବେ ପ୍ରଶ୍ନ ଉଠୁଛି। ମାମଲା ୧୭୮ କୋଟିର ନୋଟିସରୁ ବଢ଼ି କେମିତି ୨୨ହଜାର କୋଟି ହୋଇଗଲା। ନିୟମ ଅନୁସାରେ, ଯଦି କୌଣସି ବ୍ୟକ୍ତି ବିରୁଦ୍ଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ ହୁଏ। ତାହେଲେ ତାଙ୍କୁ କରଜ ଦେଇଥିବା ସମସ୍ତେ ନିଜ ନିଜ ବାକି ଟଙ୍କା ମାଗିବାକୁ ଆସନ୍ତି। ଏସେଲ ଗ୍ରୁପର ଅଲଗା କମ୍ପାନୀ କରଜ ପାଇ ଏଚଡିଏଫସି, ଆକ୍ସିସ, କାନାଡ଼ା ଓ ଆରବିଏଲ ଭଳି ବ୍ୟାଙ୍କର ପର୍ସନାଲ ଗ୍ୟାରେଣ୍ଟି ନେଇଥିଲେ ସୁବାଷ ଚନ୍ଦ୍ରା। ଏ ସମସ୍ତ ବ୍ୟାଙ୍କର ପୁରୁଣା କରଜ, ବର୍ଷ ବର୍ଷ ଧରି ସୁଧ ଓ ଜରିମାନାକୁ ମିଶାଇଦେଲେ ମୋଟ୍ ୨୨ହଜାର୬କୋଟି୫୭ଲକ୍ଷ ଟଙ୍କା ହୋଇଯାଇଥିଲା। ଆଉ ଏବେ୨୨ହଜାର କୋଟି ବଦଳରେ ମାତ୍ର ୬.୫ କୋଟି ରିପେଣ୍ଟ ପ୍ଲାନକୁ ମଞ୍ଜୁରୀ ଦେଇଛି ଏନସିଏଲଟି। ତେବେ ଏଲଆଇସି ହାଉସିଂ ଫାଇନାନ୍ସ ଭଳି କିଛି ଋଣଦାତା ଏହି ରିପେମେଣ୍ଟ ବା ପରିଶୋଧ ପ୍ଲାନକୁ ନେଇ ଆପତ୍ତି ଉଠାଇଥିଲେ। ଏହାକୁ ଅବ୍ୟବହାରିକ ଓ ବେଆଇନ ବୋଲି କହିଥିଲା ଏଲଆଇସି। ଏଲଆଇସି ହାଉସିଂ କହିଥିଲା, ସେମାନେ ୧୩୨୨କୋଟି ୩୯ଲକ୍ଷ ଟଙ୍କା ପାଇବା ବଦଳରେ ଦିଆଯାଉଛି ମାତ୍ର ୩୮.୦୯ଲକ୍ଷ ଟଙ୍କା। ଅସହମତି ବା ଆପତ୍ତି ଜାହିର କରିଥିବା କରଜଦାତାଙ୍କ ଦାବିକୁ ଖାରଜ କରିଦେଇଥିଲା ଏନସିଏଲଟି। ଏନସିଏଲଟିର କହିବା କଥା, ବିରୋଧ କରୁଥିବା କରଜଦାତାଙ୍କ ପାଖରେ ୨୦ ପ୍ରତିଶତରୁ କମ୍ ଭୋଟିଂ ସେୟାର ଥିଲେ। ରିପେମେଣ୍ଟ ପ୍ଲାନକୁ ୮୦.୮୧ ପ୍ରତିଶତ ଭୋଟିଂ ସେୟାର ଥିବା କରଜଦାତାଙ୍କଠୁ ଜରୁରୀ ମଞ୍ଜୁରୀ ମିଳିସାରିଛି। ଆଇନ ମୁତାବକ, ବହୁମତ ମଞ୍ଜୁରୀ କାରଣରୁ ଟ୍ରିବ୍ୟୁନାଲ ଏ ସବୁ ଆପତ୍ତି ଓ ଅସହମତି ଦାବିକୁ ଖାରଜ କରିଦେଇଛନ୍ତି। ଆଉ ଏଭଳି ରିପେମେଣ୍ଟ ପ୍ଲାନ ଠିକ୍ ବୋଲି କହିଲା ଏନସିଏଲଟି। ଟ୍ରିବ୍ୟୁନାଲ କହିଛି ଯେ, ରିଜୋଲୁସନ ପ୍ରଫେସନାଲ ଅନୁସାରେ ସୁବାଷ ଚନ୍ଦ୍ରାଙ୍କ ବ୍ୟକ୍ତିଗତ ସମ୍ପତ୍ତିର ମୂଲ୍ୟ ପ୍ଲାନରେ ଦିଆଯାଇଥିବା ଅର୍ଥରାଶିରୁ ବି କମ୍। ଯଦି ଏହି ପ୍ଲାନ୍ ଖାରଜ ହୋଇଥାଆନ୍ତା, ତାହେଲେ ଚନ୍ଦ୍ରା ଦେବାଳିଆ ଘୋଷିତ ହୋଇଥାଆନ୍ତେ। କରଜଦାତାଙ୍କୁ ଏହାଠୁ ବି କମ୍ ରାଶି ମିଳିଥାଆନ୍ତା। ପ୍ଲାନ୍ ମଞ୍ଜୁରୀ ହେଲେ ଚନ୍ଦ୍ରା ପୁଣି ଥରେ ଅଣ୍ଟା ସଳଖିପାରିବେ ଓ ମୂଳ କରଜଦାତା ଭବିଷ୍ୟତରେ ତାଙ୍କଠୁ ଅସୁଲି କରିବାର ସମ୍ଭାବନା ରହିବ। ଏନସିଏଲଟି ଏହା ବି ସ୍ପଷ୍ଟ କରିଛନ୍ତି ଯେ, କରଜଦାତାଙ୍କ ପାଖରେ ମୂଳ ଋଣ ନେଇଥିବା ବ୍ୟକ୍ତି ବା କମ୍ପାନୀଠୁ ବକେୟା ଅସୁଲିର ଅଧିକାର ବଳବତ୍ତର ରହିବ। ତେବେ ଏ ମାମଲା ଭବିଷ୍ୟତରେ ଭାରତୀୟ ବ୍ୟାକିଂ ଓ କର୍ପୋରେଟ ସେକ୍ଟର ଉପରେ ବଡ଼ ପ୍ରଭାବ ପକାଇବ। ଯଦି ୭୫ ପ୍ରତିଶତରୁ ଅଧିକ ଋଣ ଦେଇଥିବେ। ବ୍ୟାଙ୍କ ବା ବ୍ୟକ୍ତି କୌଣସି ରିପେମେଣ୍ଟ ପ୍ଲାନ ଉପରେ ରାଜି ହୁଅନ୍ତି। ତାହେଲେ ଅଦାଲତ ଏହି କାରବାର ବା ବୁଝାମଣାକୁ ଅନ୍ତିମ ଫୈସଲା ମାନିବେ।
