Teach Kandhamal:ଆରମ୍ଭ ହେଲା 'ଟିଚ୍ କନ୍ଧମାଳ': ସ୍କୁଲ୍ରେ କ୍ଲାସ୍ ନେଲେ ଉପଜିଲ୍ଲାପାଳ
କନ୍ଧମାଳ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା 'ଟିଚ୍ କନ୍ଧମାଳ' କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।ଅଧିକାରୀମାନେ କେବଳ କାର୍ଯ୍ୟାଳୟରେ ଫାଇଲ୍ ଦେଖୁଥିବା ବେଳେ ଏବେ ସେମାନେ ସୋମବାର ଦିନ ସ୍କୁଲ ଯାଇ ପାଠ ପଢ଼ାଇବେ |

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଆଦିବାସୀ ବହୁଳ ତଥା ଦୁର୍ଗମ କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ସରକାରୀ ସ୍କୁଲଗୁଡ଼ିକ ପ୍ରାୟତଃ ଶିକ୍ଷକ ଅଭାବ ଏବଂ ଭିତ୍ତିଭୂମି ସମସ୍ୟା ଦେଇ ଗତି କରିଥାଏ। ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶକ୍ରମେ ସାରା ଜିଲ୍ଲାରେ 'ଟିଚ୍ କନ୍ଧମାଳ' କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।ସାଧାରଣତଃ ଅଧିକାରୀମାନେ କେବଳ କାର୍ଯ୍ୟାଳୟରେ ଫାଇଲ୍ ଦେଖୁଥିବା ବେଳେ ଏବେ ସେମାନେ ସୋମବାର ଦିନ ସ୍କୁଲ ଯାଇ ପିଲାଙ୍କ ଆବଶ୍ୟକତା ଉପରେ ସିଧାସଳଖ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି।ଆଜି ସୋମବାର ଦିନ ଏହି କ୍ରମରେ କୋଟଗଡ଼ ଉଚ୍ଚ ବିଦ୍ୟାଳୟରେ ଉପଜିଲ୍ଲାପାଳ ପହଞ୍ଚି ଛାତ୍ରଛାତ୍ରୀଙ୍କୁ କ୍ଲାସରୁମ୍ ମଧ୍ୟରେ ପାଠ ପଢ଼ାଇଥିବା ଦେଖିବାକୁ ମିଳିଛି।
ଉପଜିଲ୍ଲାପାଳ ସ୍କୁଲରେ ପହଞ୍ଚିବା ପରେ ପିଲାମାନଙ୍କ ସହ ସାଧାରଣ ଶିକ୍ଷକଙ୍କ ଭଳି ମିଶିଥିଲେ ଏବଂ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଅଫିସରମାନେ ସ୍କୁଲର ସମସ୍ୟାଗୁଡ଼ିକୁ ଚିହ୍ନଟ କରି ସିଧାସଳଖ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ଏବଂ ଅତି କମ୍ ସମୟ ମଧ୍ୟରେ ସେଗୁଡ଼ିକର ସମାଧାନ କରାଯିବ। ଉପାନ୍ତ ଅଞ୍ଚଳର ପିଲାମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ଓ ପ୍ରଶାସନିକ ସେବା ପ୍ରତି ଉତ୍ସାହ ସୃଷ୍ଟି କରିବା ପାଇଁ ଏହି କାର୍ଯ୍ୟକ୍ରମ ବେଶ୍ ସହାୟକ ହେବ ବୋଲି ସ୍ଥାନୀୟ ଶିକ୍ଷାବିତ୍ମାନେ ମତ ପ୍ରକାଶ କରିଛନ୍ତି।
